ଦେଶ- ବିଦେଶରାଜ୍ୟ

President Draupadi Murmu will arrive

ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ

  • ଆସନ୍ତା ୨୭ ତାରିଖରେ ଦିନିକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି।
  • ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ।
  • କୌଣସି ରାଜ୍ୟ ବିଧାନସଭାରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ।

ଭୁବନେଶ୍ୱର ୨୫-୧୧-୨୦୨୫(ଏସ.ଏମ ) :  ସନ୍ତା ୨୭ ତାରିଖରେ ଦିନିକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ। କୌଣସି ରାଜ୍ୟ ବିଧାନସଭାରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ଯେଭଳି କୌଣସି ପ୍ରକାର ତ୍ରୁଟି ନହୁ, ଏହାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ରାଷ୍ଟ୍ରପତି ୨୭ ତାରିଖ ଅପରାହ୍ଣ ସମୟରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜଭବନ ଯାଇ ପରେ ବିଧାନସଭା ଶୀତକାଳୀନ ଅଧିବେଶନରେ ଯୋଗଦେବେ। ରାଜଭବନରେ ରାତ୍ରିଯାପନ କରି ପରଦିନ ଅର୍ଥାତ ୨୮ ତାରିଖ ସକାଳୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଫେରିବେ। 

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭୁବନେଶ୍ବର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ୨୫ ପ୍ଲାଟୁନ୍‌ ଫୋର୍ସ, ୩ ଏସ୍‌ଟିୟୁ, ଡଗ୍‌ ସ୍କାଡ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜନ କରାଯାଇଛି। ୫ ଜଣ ଡିସିପିଙ୍କ ନେତୃତ୍ବରେ ୬ ଜଣ ଆଡିସନାଲ୍‌ ଡିସିପି, ୨୩ଜଣ ଏସିପି, ୩୧ ଜଣ ଇନ୍ସପେକ୍ଟର, ୧୩୧ଜଣ ଏସ୍ଆଇ/ ଏଏସ୍ଆଇ , ୧୮୫ ଜଣ ଏପିଆର୍‌ କନେଷ୍ଟବଳ, ୭୫ ଜଣ ମହିଳା କନେଷ୍ଟବଳ, ୧୫୦ ଜଣ ଟ୍ରାଫିକ୍‌ କର୍ମଚାରୀ ରାଜଧାନୀ ଉପରେ ପୂରା ନଜର ରଖିବେ। ସେହିପରି ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌, ଏନ୍‌ଏଚ୍‌ଏଆଇ, ଆର୍‌ ଆଣ୍ଡ ବି, ବିଏମ୍‌ସିର ଅଧିକାରୀ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନ୍ସ ଵିଙ୍ଗ୍‌ ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ‌ଏହାଛଡ଼ା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯାନବାହାନ ଚଳାଚଳ ନିୟନ୍ତ୍ରଣ ଉପରେ ଟ୍ରାଫିକ୍‌ କଟକଣା ଲଗାଯାଇଛି। ରୁଟ୍ ଲାଇନିଂ ପାଇଁ ପାଞ୍ଚ ପ୍ଲାଟୁନ୍ ନିୟୋଜନ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ପୂର୍ଣ୍ଣ ଅଭ୍ୟାସ ନଭେମ୍ବର ୨୬ ତାରିଖରେ ହେବ  ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।

ବିଧାନସଭା ପାଇଁ ଟ୍ରାଫିକ୍‌ କଟକଣା ଜାରି…
ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେସନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଧାନସଭା ଚାଲୁଥିବା ସମୟରେ ନିରାପତ୍ତା ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ ଓ ପୁଲିସ କମିସନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍‌ ଓ ପବ୍ଲିକ୍ ଅର୍ଡର୍ ଓ ରେଗୁଲେସନ୍ ୨୦୦୮ ଧାରା ୩୬ ଅନୁସାରେ ଏହି କଟକଣା ଜାରି କରାଯାଇଛି। ବିଧାନସଭା ଚାଲୁଥିବା ସମୟ‌ରେ ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକିଜ୍ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ବରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ। ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଲୋୟର୍ ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଥିବା ସମସ୍ତ ଯାନବାହନ ପାୱାର୍ ହାଉସ୍ ଛକ ଦେଇ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଥିବା ସମସ୍ତ ଯାନବାହନ ଶାସ୍ତ୍ରୀନଗର ଛକ ଦେଇ ଯିବେ। ଏହି କଟକଣା ଜରୁରୀ ସେବାରେ ନିୟୋଜିତ ଯାନବାହାନ ଉପରେ ଲାଗୁ ହେବ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *