LatestNewsଦୁର୍ନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

Rourkela Smart City

ଲକ୍ଷ୍ୟଚ୍ୟୁତ ସ୍ମାର୍ଟସିଟି: ଗୁରୁତ୍ବପୂର୍ଣ୍ଣ ୫ ପ୍ରକଳ୍ପ ଅସଂପୂର୍ଣ୍ଣ

୨୦୧୪ ନଭେମ୍ବର ୪ ତାରିଖରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା। ଦୁଇବର୍ଷ ପରେ, ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ଓଡ଼ିଶାର ଦ୍ବିତୀୟ ସହରଭାବେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇଥିଲା।

ରାଉରକେଲା୨୭-୧୧-୨୦୨୫(ଏସ.ଏମ ) : ୦୧୪ ନଭେମ୍ବର ୪ ତାରିଖରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା। ଦୁଇବର୍ଷ ପରେ, ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ଓଡ଼ିଶାର ଦ୍ବିତୀୟ ସହରଭାବେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇଥିଲା। ଇତିମଧ୍ୟରେ ୯ ବର୍ଷ ବିତିସାରିଛି। ଏମିତିକି ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସ୍ମାର୍ଟସିଟି ମିସନ୍ ଆନୁଷ୍ଠାନିକ ଭାବେ ଗତ ମାର୍ଚ୍ଚ ୩୧ରୁ ଶେଷ ହୋଇସାରିଲାଣି। କିନ୍ତୁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ର ସହର ନବକଳେବର ଯୋଜନା, ବାସ୍ତବତାଠାରୁ ଯୋଜନ ଦୂରେ। ପ୍ରକଳ୍ପ ବିଳମ୍ବ, ଅସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ନାଗରିକ ସମସ୍ୟା ଶେଷ ହେବା ନାଁ ନେଉନି। ଅପରପକ୍ଷରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଯେଉଁ ସବୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, ତାହା ଏବେ ଭାଙ୍ଗିରୁଜି ଗଲାଣି। ଏବେକାର ସ୍ଥିତିକୁ ତର୍ଜମାକଲେ ରାଉରକେଲା ସ୍ମାର୍ଟସିଟି ଯେ ତା’ର ଉଦ୍ଦେଶ୍ୟ ହାସଲ କରିପାରିନି, ତାହା ଜଳଜଳ ହୋଇ ଦିଶୁଛି।

ସ୍ମାର୍ଟସିଟି ମିସନ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ମୋଟ୍‌ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିପାଇଁ ମୋଟ୍‌ ୧୫୧୨.୮୬ କୋଟି ଅର୍ଥ ଅନୁମୋଦିତ ହୋଇଥିଲା। ବର୍ତ୍ତମାନସୁଦ୍ଧା ୧୧୫୫.୨୪ କୋଟି ବିନିଯୋଗରେ ୫୯ଟି ପ୍ରକଳ୍ପର ନିର୍ମାଣ ସରିଛି। କିନ୍ତୁ ବିଡ଼ମ୍ବନା, ୩୫୭.୬୨ କୋଟି ବ୍ୟୟଅଟକଳରେ ନିର୍ମାଣ ଚାଲିଥିବା ୫ଟି ପ୍ରକଳ୍ପ ସରିବାର ନାଁ ନେଉନି। ଏହି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ହେଉଛି, ରାଉରକେଲା-୧ ଅନ୍ତର୍ଗତ ଟ୍ରାଇବାଲ୍‌ ମ୍ୟୁଜିୟମ୍‌, ଟ୍ରାଫିକ୍‌ କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ୍‌ ସେଣ୍ଟର୍‌, ଅଡିଟୋରିୟମ ଓ କନଭେନ୍‌ସନ ସେଣ୍ଟର୍‌, କୋଏଲନଗରସ୍ଥ ବିଶାଳ ରିକ୍ରିଏସନାଲ ପାର୍କ ଓ ଛେଣ୍ଡ୍‌ସ୍ଥ ସାଇନ୍ସ ପାର୍କ। ଏତଦ୍‌ବ୍ୟତୀତ ବେଦବ୍ୟାସ ଐତିହ୍ୟ ବିକାଶ ଯୋଜନା ମଧ୍ୟ ଅଧପନ୍ତରିଆ। ଏହି ପ୍ରକଳ୍ପ ମଧ୍ୟରୁ କେବଳ ସାଇନ୍ସ ପାର୍କ ନିକଟ ଭବି‌ଷ୍ୟତରେ ଖୋଲିବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଅବଶିଷ୍ଟ ପ୍ରକଳ୍ପର ଭାଗ୍ୟ କେବେ ଫିଟିବି, ତାହା ଅସ୍ପଷ୍ଟ। ଏସବୁ ପ୍ରକଳ୍ପର ନିର୍ମାଣ ଅବଧି ‌ଶେଷ ହେଲାଣି।

୧୨ କୋଟି ବିନିଯୋଗରେ ଚଳାପଥ…
୨୦୨୨ ଜୁଲାଇ ସୁଦ୍ଧା ପ୍ରକଳ୍ପ ସଂପନ୍ନ ପାଇଁ କାର୍ଯ୍ୟାଦେଶ ବଣ୍ଟନବେଳେ ଉଲ୍ଲେଖ କରାଯାଇଥିଲା, କିନ୍ତୁ ଏହା ସମ୍ଭବ ହେଲାନି। ଗୋଟିଏପଟେ ସ୍ମାର୍ଟସିଟି ଲିମିଟେଡ୍‌ ଅନୁମୋଦିତ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସରିନଥିବାବେଳେ ଅନ୍ୟପଟେ ନିର୍ମିତ ପ୍ରକଳ୍ପ ଭାଙ୍ଗିଗଲାଣି। ସହରର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ପ୍ରାୟ ୧୨ କୋଟି ବିନିଯୋଗରେ ଚଳାପଥ ଓ ରାସ୍ତା ମଝିରେ ଚାରାରୋପଣ କରାଯାଇଥିବାବେଳେ ବର୍ଷକ ମଧ୍ୟରେ ଏସବୁ ଉଭାନ ହୋଇଯାଇଥିଲା। ବିଭିନ୍ନ ଅଞ୍ଚଳର ଚଳାପଥରେ ଖଞ୍ଜାଯାଇଥିବା ଟାଇଲ୍‌ କେଉଁଠି ଭାଙ୍ଗିଗଲାଣି ତ ପୁଣି କେଉଁଠି ଦବିଯାଇଛି। ଉଦ୍‌ଘାଟନର ମାତ୍ର ୬ ମାସ ଭିତରେ ପ୍ରାୟ ୩୦ ଲକ୍ଷ ବ୍ୟୟରେ ନିର୍ମିତ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’ ଭୁଶୁଡ଼ିପଡ଼ିଥିବାବେଳେ ଅସରାଏ ବର୍ଷାରେ ପାଚେରି ଧସିଯାଇଥିଲା। ଫଳରେ ସ୍ମାର୍ଟସିଟି ଅଧିନସ୍ଥ ପ୍ରକଳ୍ପର ମାନକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ…

ସ୍ମାର୍ଟସିଟି ଲିମିଟେଡ୍‌ ଯେ ପୂର୍ବ ଚମକ ହରାଇସାରିଲାଣି, ଏଥିରେ ଦ୍ବିମତ ନାହିଁ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୂର୍ବରୁ ରାଉରକେଲାକୁ ବିଭିନ୍ନ ପୁରସ୍କାର, ଯଥା-‘ଇ-କୁଲ୍‌ ମଣ୍ଡି’ ପାଇଁ ‘ମିଲାନ୍‌ ପ୍ୟାକ୍ଟ୍‌’ ପୁରସ୍କାର (୨୦୨୨), ‘ଇଟ୍‌ ସ୍ମାର୍ଟସିଟି’ ପ୍ରତିଯୋଗିତାରେ ରାଉରକେଲା ଦେଶରେ ଶ୍ରେଷ୍ଠ ୧୧ ଭିତରେ ସ୍ଥାନିତ ହେବା (୨୦୨୨), ‘ବ୍ଲୁମବର୍ଗ୍‌ ଗ୍ଲୋବାଲ୍ ମେୟର୍ସ୍‌’ ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୫ ସହର ଭିତରେ ରହିବା (୨୦୨୧), ‘ନର୍‌ଚରିଂ ନେବରହୁଡ୍‌’ ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରହିବା(୨୦୨୧) ଆଦି ଉପଲବ୍ଧି ଅନତ୍ୟମ। ଏବେ କିନ୍ତୁ ସ୍ଥିତି ନିମ୍ନଗାମୀ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟାନ୍ବୟନ ତଥା ପ୍ରଗତି କ୍ଷେତ୍ରରେ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଦୁଇବର୍ଷ ପୂର୍ବେ, ଅର୍ଥାତ୍‌ ୨୦୨୩ରେ ପ୍ରକଳ୍ପ ସଂପନ୍ନ ତଥା ତ୍ବରାନ୍ବିତ କ୍ଷେତ୍ରରେ ମାତ୍ରାଧିକ ଶିଥିଳତା ଯୋଗୁ ରାଉରକେଲା ଦେଶର ୧୦୦ ସ୍ମାର୍ଟସିଟି ମଧ୍ୟରୁ ୪୭ତମ ସ୍ଥାନରେ ରହିଥିଲା। ଏତଦ୍‌ବ୍ୟତୀତ ଆବଶ୍ୟକତା ଥିବା ସତ୍ତ୍ବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ସଦିଚ୍ଛା ପ୍ରକାଶ କରୁନାହାନ୍ତି। ବିଶେଷକରି ସହରର ପ୍ରବେଶ ପଥ ଭାବେ ବିବେଚିତ ପାନପୋଷ ନିକଟସ୍ଥ ବ୍ରାହ୍ମଣୀ ନଦୀତଟ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ବିଚାରକୁ ନେଉନାହାନ୍ତି। ୨୦୧୭ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥିଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ। ଆଗାମୀ ଦିନରେ ୩ଟି ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା,ଟିସ୍କୋ ସାଇଟ୍‌ ଉନ୍ନତୀକରଣ, ବନ୍ୟାଜଳ ନିଷ୍କାସନ ଓ ବସଷ୍ଟାଷ୍ଟ୍‌ ପୁନର୍ବିକାଶ କରାଯିବ। ତେବେ ଏସବୁ ପ୍ରକଳ୍ପ ପୂର୍ବ ପ୍ରକଳ୍ପ ଭଳି ଅନିଶ୍ଚିତତା ଭିତରକୁ ଠେଲିହୋଇଯିବ ନା ବେଗ ଧରିପାରିବ; ତାହା ସମୟ କହିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *