The police
ପୁଲିସ ରଖୁନି, କୋର୍ଟରେ ବଢ଼ୁଛି ମାମଲା: ୧୦ ମାସରେ କୋର୍ଟରେ ୯ ହଜାର ୧-ସିସି ମାମଲା
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଥାନାରେ ଜଣେ ଅଭିଯୋଗକାରୀଙ୍କ ସହିତ ପୁଲିସ ଭଲ ବ୍ୟବହାର କରିବା ସହିତ ସମସ୍ତ ଏଫ୍ଆଇଆର୍ ଉପରେ ମାମଲା ରୁଜୁ କରିବ।
ଭୁବନେଶ୍ୱର ୨୭-୧୦-୨୦୨୫(ଏସ.ଏମ ) : କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଥାନାରେ ଜଣେ ଅଭିଯୋଗକାରୀଙ୍କ ସହିତ ପୁଲିସ ଭଲ ବ୍ୟବହାର କରିବା ସହିତ ସମସ୍ତ ଏଫ୍ଆଇଆର୍ ଉପରେ ମାମଲା ରୁଜୁ କରିବ। କିନ୍ତୁ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଠିକ୍ଭାବେ କାର୍ଯ୍ୟ କରୁନାହିଁ। ଜଣେ ମହିଳା ଏସ୍ଆଇ ଜଣେ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ନେଇ ମହିଳା ଥାନା ଆସିଥିଲେ। କିନ୍ତୁ ଥାନାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ନିଜେ ଏସ୍ଆଇ ଅଭିଯୋଗ କରିଛନ୍ତି। ଠିକ୍ ଦଫା ଲଗାଯାଇ ନଥିବା ଅଭିଯୋଗ କରି ସେ ସିପିଙ୍କଠାରୁ ଆରମ୍ଭ କରି ଡିଜିପିଙ୍କ ଦ୍ବାରସ୍ଥ ହୋଇଥିଲେ। ଥାନାରେ ମଧ୍ୟ ତାଙ୍କ ସହିତ ଠିକ୍ ବ୍ୟବହାର କରାଯାଇ ନଥିବା ସେ ଗଣମାଧ୍ୟମ ସମ୍ମୁଖରେ ରୋକ୍ଠୋକ୍ ଅଭିଯୋଗ କରିଥିଲେ। ଜଣେ ମହିଳା ପୁଲିସଙ୍କ ସହିତ ଥାନାରେ ଏଭଳି ବ୍ୟବହାର କରାଯାଉଛି, ତେବେ ସାଧାରଣ ଲୋକଙ୍କ କଥା ନ କହିବା ଭଲ। କେବଳ ଏହି ମାମଲା ନୁହେଁ କିଛି ଦିନ ତଳେ ଆଉ ଏକ ମାମଲାରେ ମଧ୍ୟ ମହିଳା ଥାନା ପୁଲିସ ସମାନ ଭାବେ ମାମଲା ରୁଜୁ କରି ନଥିଲେ। ଫଳରେ ମହିଳାଜଣକ ରାତି ଅଧରେ ଥାନା ସମ୍ମୁଖରେ ଧାରଣା ଦେବା ପରେ ପୁଲିସ ଅଭିଯୋଗକୁ ରୁଜୁ କରିଥିଲା।
ଜଣେ ସାଧାରଣ ଲୋକର ମାମଲା ଯଦି ପୁଲିସ ନ ରଖିଲା କିମ୍ବା ମାମଲା ରୁଜୁ କରି ଚୁପ୍ ହୋଇ ବସି ପଡ଼ିଲା, ତେବେ କୋର୍ଟରେ ଏକ ମାମଲା ରୁଜୁ କରାଯାଇ ପୁଲିସକୁ ତଦନ୍ତ କିମ୍ବା ମାମଲା ରୁଜୁ କରିବାକୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ମାତ୍ର ୧୦ ମାସରେ ୯ହଜାର ମାମଲା ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ୨୦୨୪ରେ ୧୧ ହଜାର ଓ ୨୦୨୩ରେ ୧୦ ହଜାର ୧-ସିସି ମାମଲା ଭୁବନେଶ୍ବର କୋର୍ଟରେ ରୁଜୁ ହୋଇଥିଲା। ଚଳିତ ବର୍ଷ ଏହି ରେକର୍ଡକୁ ମଧ୍ୟ ଟପି ଯିବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ପୁଲିସ ବିନା ଚାପରେ ଲୋକଙ୍କ ମାମଲା ରୁଜୁ କରୁ ନାହିଁ କିମ୍ବା ବଡ଼ବଡ଼ିଆଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଲେ ଅଭିଯୋଗପତ୍ର ବି ରଖୁ ନାହିଁ। ଥାନାରେ ହିଁ ରଫାଦଫା କରିବାକୁ ବାଧ୍ୟ କରୁଛି। ତେଣୁ ବହୁ ଲୋକ ନ୍ୟାୟ ପାଇ ପାରୁ ନାହାନ୍ତି। ଏହାକୁ ନେଇ ସରକାର କଠୋର ହେବା ଆବଶ୍ୟକ ବୋଲି ଆଇନଜୀବୀ ତୁଷାର ମହାନ୍ତି କହିଛନ୍ତି।
