Upgrading of Khandagiri, Udayagiri
ଖଣ୍ଡଗିରି, ଉଦୟଗିରି, ଧଉଳି ଓ ବରୁଣେଇ ପାହାଡ଼ର ଉନ୍ନତୀକରଣ: ୧୦ ବର୍ଷରେ ଖର୍ଚ୍ଚ ୧୧୦ କୋଟି
ମନ୍ଦିରମାଳିନୀ ସହର ଭୁବନେଶ୍ବର ଓଡ଼ିଶା ପର୍ଯ୍ୟଟନର ଭିନ୍ନ ଆକର୍ଷଣ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କଠାରୁ ଆରମ୍ଭ କରି ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର, ପବିତ୍ର କୁଣ୍ଡ ସହ ଐତିହ୍ୟ ଓ ସ୍ଥାପତ୍ୟ ଦେଖିବାକୁ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟେ।
ଭୁବନେଶ୍ୱର ୩୦-୧୧-୨୦୨୫( ଏସ.ଏମ ) : ମନ୍ଦିରମାଳିନୀ ସହର ଭୁବନେଶ୍ବର ଓଡ଼ିଶା ପର୍ଯ୍ୟଟନର ଭିନ୍ନ ଆକର୍ଷଣ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କଠାରୁ ଆରମ୍ଭ କରି ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର, ପବିତ୍ର କୁଣ୍ଡ ସହ ଐତିହ୍ୟ ଓ ସ୍ଥାପତ୍ୟ ଦେଖିବାକୁ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ଓ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟେ। ହେଲେ ରାଜଧାନୀର ଆକର୍ଷଣ କେବଳ ଶୈବପୀଠରେ ସୀମିତ ନାହିଁ, ଏଠାରେ ରହିଛି ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା। ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ରହିଛି। ଆହୁରି ମଧ୍ୟ ରାଜଧାନୀ ଉପକଣ୍ଠରେ ରହିଛି ଧଉଳି ପାହାଡ଼। ଏହା ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ଶାନ୍ତିସ୍ତୁପ। ଏଥି ସହ ଭୁବନେଶ୍ବରଠାରୁ ମାତ୍ର ୨୮ କିମି ଦୂରତାରେ ଥିବା ବରୁଣେଇ ପାହାଡ଼ ଓ ମନ୍ଦିର ପର୍ଯ୍ୟଟକଙ୍କ ମଧ୍ୟରେ ଭିନ୍ନ ଆକର୍ଷଣ ସୃଷ୍ଟି କରିବାରେ ସଫଳ ହୋଇଛି। ହେଲେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏସବୁର ବିକାଶ ପ୍ରତି ଯେତିକି ଧ୍ୟାନ ଦେବା କଥା, ତାହା ଦେଇ ନାହିଁ। ଯେତିକି ଅର୍ଥ ବରାଦ ହେଉଛି, ତାହାର ବି ଯୋଜନାବଦ୍ଧ କାର୍ଯ୍ୟକାରିତାରେ ତ୍ରୁଟି ରହୁଛି। ଫଳରେ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି।
ଓଡ଼ିଶା ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ, ରାଜଧାନୀ ଆସୁଥିବା ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବାକୁ ଓ ଭ୍ରମଣର ସୁଖଦ ଅନୁଭୂତି ଦେବାକୁ ଖଣ୍ଡଗିରି, ଉଦୟଗିରି, ଧଉଳି ଓ ବରୁଣେଇ ପର୍ଯ୍ୟଟନର ବ୍ୟାପକ ବିକାଶ କରାଯାଇଛି। ବିଭାଗର ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଏହି ୪ଟି ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ଉନ୍ନୟନ ପାଇଁ ବିଭାଗ ପକ୍ଷରୁ ୧୧୦ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ସେହି ଅନୁଯାୟୀ ଆଖିଦୃଶିଆ ବିକାଶକୁ କେହି ଅନୁଭବ କରିପାରୁ ନାହାନ୍ତି। ଆଜି ବିଧାନସଭାରେ ବିଭୂତି ବଳବନ୍ତରାୟଙ୍କ ଏକ ପ୍ରଶ୍ନରେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, ବରୁଣେଇ ପାହାଡ଼ ଓ ମନ୍ଦିରର ଉନ୍ନତୀକରଣ ପାଇଁ ଗତ ୧୦ ବର୍ଷରେ ଖର୍ଚ୍ଚ ହୋଇଛି ୧୩ କୋଟି ଟଙ୍କା। ସେଥିରୁ ବରୁଣେଇ ପାହାଡ଼ ଓ ପର୍ଯ୍ୟଟକର ବିକାଶ ପାଇଁ ୨.୫୦ କୋଟି ଟଙ୍କା, ଅମରଜ୍ୟୋତି ସ୍ତମ୍ଭ ପାଇଁ ଦେଢ଼ କୋଟି, ଐତିହ୍ୟ ଫାଟକ ନିର୍ମାଣ ପାଇଁ ୧.୨୦ କୋଟି, ପାର୍କିଂ ବ୍ୟବସ୍ଥା ପାଇଁ ୧.୫୦ କୋଟି, ବରୁଣେଇ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପାଇଁ ୫୦ ଲକ୍ଷ, ବରୁଣେଇ ମନ୍ଦିରଠାରୁ ସୀତାକୁଣ୍ଡ ପର୍ଯ୍ୟନ୍ତ ଭିତ୍ତିଭୂମି ବିକାଶ ବାବଦକୁ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି।
ତଥାପି ପର୍ଯ୍ୟଟକ ନିରାଶ
ଯୋଜନାବଦ୍ଧ ବିକାଶର ଅଭାବ ଅନୁଭୂତ ହେଉଛି
ସେହିଭଳି ଖଣ୍ଡଗିରି ଓ ଉଦୟଗିରିର ଭିତ୍ତିଭୂମି ବିକାଶ, ନବୀକରଣ, ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’, ବିଦ୍ୟୁତ୍ ସଂଯୋଗ, କଳିଙ୍ଗନଗର ଯାଏ ଐତିହ୍ୟ ରାସ୍ତା ସଂଯୋଗ, ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ ସହ ଜଳ ଓ ବିଦ୍ୟୁତ ସଂଯୋଗ, ଖଣ୍ଡଗିରି ପାନ୍ଥିକାର ଉନ୍ନୟନ କାର୍ଯ୍ୟ, ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଓ ରାସ୍ତାର ବିକାଶ, ପ୍ରବାସୀ ଭାରତୀୟ ଦିବସ ଅବସରରେ ଖଣ୍ଡଗିରି ଓ ଉଦୟଗିରିରେ ପ୍ରସ୍ତୁତି ଆଦି କାର୍ଯ୍ୟରେ ଗତ ୧୦ ବର୍ଷରେ ବିଭାଗ ଖର୍ଚ୍ଚ କରିଛି ୭୦ କୋଟି ୭୮ ଲକ୍ଷ ଟଙ୍କା। ସବୁଠାରୁ ନୈରାଶ୍ୟଜନକ କଥା ହେଉଛି, ୨୦୨୩ ଡିସେମ୍ବରରୁ ଉଦୟଗିରି ପାହାଡ଼ର ରାଣୀଗୁମ୍ଫା ସମ୍ମୁଖରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ପ୍ରଦର୍ଶନ ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତ ହୋଇସାରିଛି। ହେଲେ ୨ ବର୍ଷ ହେଲା ତାହା ଆରମ୍ଭ ହୋଇପାରୁନାହିଁ। ବିଜୁଳି ସଂଯୋଗ ଭଳି ଛୋଟିଆ କାମ ପାଇଁ ହୋଇପାରୁନଥିବାରୁ ଏହା ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ନିରାଶ କରୁଛି।
ଅନ୍ୟପଟେ ଧଉଳି ପାହାଡ଼ର ପର୍ଯ୍ୟଟନ ବିକାଶରେ ବିଭାଗ ୧୦ ବର୍ଷରେ ଖର୍ଚ୍ଚ କରିଛି ୨୬ କୋଟି ୯୨ ଲକ୍ଷ ଟଙ୍କା। ଅର୍ଥାତ ପାଖାପାଖି ୨୭ କୋଟି ଟଙ୍କା। ଏହି ଟଙ୍କା ଧଉଳିରେ ସପିଂ କମ୍ପ୍ଲେକ୍ସ, ଐତିହ୍ୟ ଫାଟକ, ରାତୀୟ ରାଜପଥରୁ ପଞ୍ଚାୟତ ଛକର ବିଦ୍ୟୁତ ସଂଯୋଗ, ଧବଳେଶ୍ବର ମନ୍ଦିରର ଉନ୍ନତୀକରଣ, ଇଲେକ୍ଟ୍ରିକ୍ ମିନି ବସ୍ କ୍ରୟ, ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ର ସ୍ଥାପନ ସହ ଏହାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣା, ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ, ଧଉଳି ପାର୍କିଂରେ ଶୌଚାଳୟ ଓ ବିଶ୍ରାମକକ୍ଷ ନିର୍ମାଣ, ଭୌଗୋଳିକ ସର୍ବେକ୍ଷଣ, ଧଉଳି ହ୍ରଦ ନିକଟରେ ପିଣ୍ଡି ଓ ପାର୍କିଂ ସ୍ଥଳ ନିର୍ମାଣ, ବୋଟ୍ କ୍ଲବ୍ ନିର୍ମାଣ ଓ ବିଭିନ୍ନ ନବୀକରଣ କାମରେ ଧଉଳି ପର୍ଯ୍ୟଟନ ବିକାଶରେ ଏହି ଅର୍ଥ ବ୍ୟୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ହେଲେ ପର୍ଯ୍ୟଟକଙ୍କ ଅସୁବିଧା ସେଠି କାହୁଁରେ କ’ଣ। ଡିଜି ନଥିବାରୁ ବିଦ୍ୟୁତ୍ ସରବରାହ କଟିଲେ, ଅନ୍ଧାରରେ ଶୌଚାଳୟ ଯିବାକୁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିଭଳି ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ କରାଯାଉନାହିଁ। ପର୍ଯ୍ୟଟକଙ୍କ ବୋଟିଂ ପାଇଁ ୫ଟି ବୋଟ୍କୁ ୧୦ ଲକ୍ଷ ଟଙ୍କାରେ କିଣାଯାଇଥିଲା। ହେଲେ କିଣା ହେବା ଦିନରୁ ଏହା କାହା କାମରେ ଆସିପାରିନାହିଁ। ଏଭଳି ସ୍ଥଳରେ ଏତେ କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ଓ ନବୀକରଣ କେଉଁ କାମକୁ ବୋଲି ପର୍ଯ୍ୟଟକମାନେ ପ୍ରଶ୍ନ କରିଛନ୍ତି।
