LatestNewsPoliticsରାଜନୀତିରାଜ୍ୟଶିକ୍ଷା

Utkal University

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ଜଉମୁଦ ଲଫାପାରେ ତିନି ନାଁ

ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି ଚୟନ ଆଜି ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତ୍‌କାର ଶେଷ ହୋଇଛି। ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ଦୁଇ ସଦସ୍ୟ ଗୁରୁ…

ଭୁବନେଶ୍ୱର ୨୯-୧୧-୨୦୨୫(ଏସ.ଏମ.) : ତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି ଚୟନ ଆଜି ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତ୍‌କାର ଶେଷ ହୋଇଛି। ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ଦୁଇ ସଦସ୍ୟ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଆଲୋକ କୁମାର ଚକ୍ରୱାଲ, କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦର ପୂର୍ବତନ କୁଳପତି ପ୍ରଫେସର କଟିମଣି ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତ୍‌କାର ନେଇଛନ୍ତି। ଚୟନ କମିଟିର ସଦସ୍ୟମାନେ ଆଜି ଅପରାହ୍ଣ ସୁଦ୍ଧା ତିନିଜଣ ଆଶାୟୀଙ୍କ ନାଁ ଚୂଡ଼ାନ୍ତ କରିବା ସହ ଜଉମୁଦ ଲଫାପାରେ ତାହାକୁ ସିଲ୍‌ କରି ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି। ଆସନ୍ତାକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାହାକୁ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହାପରେ କୁଳାଧିପତି ତଥା ରାଜ୍ୟପାଳ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ତିନି ଆଶାୟୀଙ୍କୁ ସାକ୍ଷାତ୍‌କାର ପାଇଁ ରାଜଭବନକୁ ଡାକିବେ ବୋଲି ସୂଚନା ମିଳିଛି।

ରାଜ୍ୟ ବାହାରୁ ଅଧିକ ପ୍ରଫେସର ସାମିଲ

ପ୍ରଥମ ଦିନରେ ୧୬ଜଣ ଆଶାୟୀ ପ୍ରଫେସରଙ୍କୁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ଜଣ ସାମିଲ ହୋଇଥିଲେ। ବାକି ରହିଥିବା ୯ଜଣ ପ୍ର‌ଫେସରଙ୍କୁ ଆଜି ପୂର୍ବାହ୍ନରେ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ସାକ୍ଷାତ୍‌କାର ପରୀକ୍ଷା ଦେବାକୁ ଆସିଥିଲେ। ଜଣେ ପ୍ରଫେସର ଅନୁପସ୍ଥିତ ରହିଥିଲେ। ଅର୍ଥାତ୍‌ ଦୁଇଦିନରେ ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଆଶା ବାନ୍ଧିଥିବା ୨୨ଜଣ ପ୍ରଫେସରଙ୍କ ସାକ୍ଷାତ୍‌କାର ନିଆଯାଇଛି। ଦୁଇଦିନ ଧରି ରାଜ୍ୟ ଅତିଥି ଭବନରେ ଚାଲିଥିବା ସାକ୍ଷାତ୍‌କାରରେ ଆଶାୟୀ ପ୍ରଫେସରମାନେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନେଇ ସେମାନଙ୍କ ସ୍ବପ୍ନ, ଯୋଜନା ବିଷୟରେ ଚୟନ କମିଟି ଆଗରେ ମତ ରଖିଥିଲେ। ମୋଟ ୨୨ଜଣ ପ୍ରଫେସରଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୪ ଜଣ କୁଳପତି ଦୌଡ଼ରେ ସାମିଲ ହୋଇ ସାକ୍ଷାତ୍‌କାର ଦେଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟ, ଫକୀର‌ମୋହନ ବିଶ୍ବବିଦ୍ୟାଳୟ, ଭିଏସ୍‌ଏସ୍‌ୟୁଟିରୁ ଜଣେ ଲେଖାଏ ପ୍ରଫେସର ରହିଛନ୍ତି। ୨୨ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ପ୍ରଫେସର ମଧ୍ୟ ଅଛନ୍ତି।  ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଦୁଇ ଜଣ ପ୍ରଫେସର, ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଜଣେ, ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଜଣେ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଜଣ ପ୍ରଫେସର ସାକ୍ଷାତ୍‌କାର ଦେଇଛନ୍ତି। ରାଜସ୍ଥାନର ଏକ ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ହେବାକୁ ଆଗ୍ରହ ଦେଖାଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *