Newsପାଣିପାଗରାଜ୍ୟ

Winter Magic in Kandhamal

ଶୀତ ସାଜିଛି ମିତ… 

କନ୍ଧମାଳ କାନ୍ଧରେ ବସି କେବେ ଗୀତ ଗାଉଛି, ପୁଣି କେବେ ଲୁଚି ଯାଉଛି ଚଳିତ ବର୍ଷର ପହିଲି ଶୀତ

  • ଶୀତ ଋତୁଟେ ନା ସ୍ମୃତିଟେ… ଶୀତ ଆସିଲେ ସବୁକିଛି ସୁନ୍ଦର ଲାଗେ ।
  • ଦେହ ସିନା ଥରେ ହେଲେ ମନ କିନ୍ତୁ କୁହୁଡ଼ି ପହଁରେ…
  • ସହର ହେଉ କି ଗାଁ, ଶୀତ ସେମାନଙ୍କ ମିତ, ଏକ ସୁନ୍ଦର ଗୀତ ।
  • ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, ପବନକୁ ଛୁଇଁଲେ ମହୁଆ ହୁଏ ଦେହ…

ଘୁ.ଉଦୟଗିରି ୦୮-୧୧-୨୦୨୫(ଏସ.ଏମ ) : ଶୀତ ଋତୁଟେ ନା ସ୍ମୃତିଟେ… ଶୀତ ଆସିଲେ ସବୁକିଛି ସୁନ୍ଦର ଲାଗେ । ଦେହ ସିନା ଥରେ ହେଲେ ମନ କିନ୍ତୁ କୁହୁଡ଼ି ପହଁରେ… ଘାସ ଗାଲିଚାରେ କାକର ପଡ଼ିଲେ ହିଁ ଶୀତ ଆସିଲାଣି ବୋଲି ଜଣାପଡ଼େ, ଓଠ ଯେବେ ରାତି ପାହୁ ପାହୁ ଉଷୁମ ଚା’ ଖୋଜେ ସେବେ ଶୀତର ଆଗମନୀ ଅନୁଭବ ହୁଏ ଆଉ ହାଲିଆ ଦେହ ବିଛଣା ଉପରେ ଭୋର ଭୋର ଯେବେ ଘୋଡ଼େଇ ହେବାକୁ କମ୍ବଳ ଟାଣେ ସେବେ ଶୀତ ଝରକା ଫାକେ ଠକଠକ କରୁଛି ବୋଲି ଜଣାପଡ଼େ… ହଁ ଶୀତ ଯେବେ ଆସେ ! ସେବେ ନିଦଭରା ଶୀତୁଆ ସକାଳରେ ସୂରୁଜ ଟିକେ ଡେରି କରି ଉଅଁନ୍ତି । ସୂର୍ଯ୍ୟ ଆକାଶ ଛାତିରେ ଛିଡ଼ା ହେଉ ହେଉ ଅଳସଟେ ଭାଙ୍ଗନ୍ତି…

winter
winter Photograph: (sampurna.live)

 

ସହର ହେଉ କି ଗାଁ, ଶୀତ ସେମାନଙ୍କ ମିତ, ସେମାନଙ୍କ ପାଇଁ ଏକ ସୁନ୍ଦର ଗୀତ । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, ଶୀତ ପବନକୁ ଛୁଇଁଲେ ମହୁଆ ହୁଏ ଦେହ । ଗାଁରେ ଶୀତ ଶାସ୍ତି ହେଲେ ସହରରେ ମସ୍ତି… କିନ୍ତୁ ଏଥର ଶୀତ ଟିକେ ଡେରିରେ ଆସିଛି । କାର୍ତ୍ତିକ ପୂନେଇଁ ଲଗାଣି ତଥାପି ଦେହ ଥରୁନି କି ଦାନ୍ତକୁ ଦାନ୍ତ ବାଜୁନି । ବୋଧେ ଶୀତ ଥିରିଥିରି ସବାରୀରେ ଆସୁଛି । 

ଆଉ କନ୍ଧମାଳରେ ତ ଶୀତ ଗଲା କିଛି ଦିନ ହେବ ଲୁଚକାଳି ଖେଳୁଛି । ସପ୍ତାହେ ହେଲାଣି ଏହି ଶୀତ ଲହରୀ ଜରି ରହିଛି ସତ ତଥାପି କନ୍ଧମାଳରେ ପାରଦ ତଳ ମୁହଁ ହୋଇଛି । କେବେ ଶୀତ କନ୍ଧମାଳ କାନ୍ଧରେ ବସୁଛି ତ ପୁଣଇ କେବେ ଫୁର୍… କିନା ଉଡ଼ିଯାଉଛି । ଗତ କିଛି ଦିନ ହେଲା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳେ ହିଁ ରହୁଛି । ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି।

ସ୍ଥାନୀୟ ସହରର ତାପମାତ୍ରା ବଢୁଛି ଖସୁଛି । ଚଳିତ ବର୍ଷ ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ୨.୮ଡିଗ୍ରୀ ତଳକୁ ଖସି ଆଜି ୧୧ ଡିଗ୍ରୀ ଥିବା ସୂଚନା ମିଳିଛି। କୃଷି ବିଜ୍ଞାନ ସୂଚନା ଓ ପରାମର୍ଶ କେନ୍ଦ୍ରର ସୂଚନା ଅନୁସାରେ ସ୍ଥାନୀୟ ସହରର ତାପମାତ୍ରା  ଲଗାତାର ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। 

kandhamal
kandhamal Photograph: (sampurna.live)

ଦିନକୁ ଦିନ ପାରଦ ଖସୁଛି ଥଣ୍ଡା ବଢୁଛି। ୫ତାରିଖ ଦିନ ତାପମାତ୍ରା ୧୨.୪ଡିଗ୍ରୀ ଥିବା ବେଳେ ୬ ତାରିଖରେ ୧୩ଡି ଗ୍ରୀ, ୭ ତାରିଖରେ ୧୩.୮ଡିଗ୍ରୀ ଏବଂ ଆଜି ୨.୮ ଡିଗ୍ରୀ ଖସି ପାରଦ ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ସହ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ରେକର୍ଡ କରିଛି। କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ସକାଳ ୮ ପର୍ଯ୍ୟନ୍ତ ରହୁଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢି ବଢି ଜାଡ ଆରମ୍ଭ ହେଉଛି । 

ଯାତ୍ରୀଙ୍କ ପାଇଁ ଜାଡ଼ ଯାତନା

ବିଶେଷ କରି ଗରିବ ଅସହାୟ ନିରାଶ୍ରୟ ମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି । ଅନ୍ୟ ପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ବିଶ୍ରାମଗୃହ ନ ଥିବା ହେତୁ ଯାତ୍ରୀବାହୀ ବସକୁ ଅପେକ୍ଷା କରୁଥିବା ଯାତ୍ରୀ ମାନେ ଥଣ୍ଡା କାକରରେ ଦୀର୍ଘ ସମୟ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ବସକୁ ଅପେକ୍ଷା କରିବାକୁ ପଡୁଛି ରାତି ଏବଂ ପାହାନ୍ତିଆ ରେ ବହୁ ଅସୁବିଧା ଭୋଗିବାକୁ ପଡୁଛି ଯାତ୍ରୀ ମାନଙ୍କୁ। ନିଆଁ ଭରସାରେ ରହୁଛନ୍ତି ଯାତ୍ରୀ । ରାସ୍ତା କଡରେ ନିଆଁ ଜାଳି ବସକୁ ଅପେକ୍ଷା କରିବାକୁ ପଡୁଛି । 

ଘୁ.ଉଦୟଗିରିରେ ଘୁରୁଛି ଶୀତ ଲହରୀ

ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶାର ସବୁଠାରୁ କମ  ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସହର ରହିଛି ଯାହାର ଆଜିର ତାପମାତ୍ରା ୧୧ଡିଗ୍ରୀ ରେକର୍ଡ କରାଯାଇଛି। ଗତ ବର୍ଷ ଶୀତ ଋତୁ ସାରା ଘୁ.ଉଦୟଗିରି ସହରର ତାପମାତ୍ରା ଓଡ଼ିଶାର ସାବୁଠାରୁ କମ ତାପମାତ୍ରା ରହୁଥିବା ଏବଂ ସର୍ବାଧିକ ଥଣ୍ଡାର ସହର ଭାବେ ରେକର୍ଡ ସୃଷ୍ଟି କରିଥିଲା।ଚଳିତ ବର୍ଷ ଆରମ୍ଭରୁ ପୁଣି ସେଇ ରେକର୍ଡ ଆରମ୍ଭ ହୋଇଛି। 

ଅତିଥି ପାଲଟିଛି ପହିଲି ଶୀତ

ଅନ୍ୟ ପଟେ ହଠାତ୍ ଏବଂ ବିଳମ୍ବରେ ଶୀତର ଆଗମନ ହେତୁ ଗରମ ପୋଷାକର ବ୍ୟବସାୟ ଆରମ୍ଭ ହୋଇନି । ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ସକାଳୁ ଏବଂ ସନ୍ଧ୍ୟାରେ ସହରବାସୀ ଶୀତ ପାଇଁ ଭ୍ରମଣ କରୁଥିବା ବେଳେ ପ୍ରାତ ଭ୍ରମଣ ପାଇଁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ବାହାରୁଛନ୍ତି । ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ଥଣ୍ଡାର ମଜା ଉଠାଉଛନ୍ତି। ଆଗାମୀ ଦିନରେ ଆହୁରି ୩ରୁ୪ଡିଗ୍ରୀ ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ଆଶଙ୍କା କରିଛି ପାଣିପାଗ ବିଭାଗ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *