LatestNewsPoliticsTOP STORIESରାଜ୍ୟ

ଆରମ୍ଭ ହେଲା ଭୁବନେଶ୍ବର ଚଳଚ୍ଚିତ୍ର ଉତ୍ସବ

ଆରମ୍ଭ ହେଲା ଭୁବନେଶ୍ବର ଚଳଚ୍ଚିତ୍ର ଉତ୍ସବ…

ପ୍ରଦର୍ଶିତ ହେଲା ‘ମାଟିର ମଣିଷ’, ‘କା’ ଓ ‘ଭକ୍ତ ସାଲବେଗ’

ଭୁବନେଶ୍ୱର ୦୭-୦୬-୨୦୨୫ ( ଏସ .ଏମ ) :  ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ଚଳଚ୍ଚିତ୍ର ମହାକୁମ୍ଭ। କେବଳ ଓଡ଼ିଆ ନୁହେଁ ଆହୁରି ୭ଟି ଭାରତୀୟ ଭାଷାରେ ୪ ଦିନ ଧରି ପ୍ରଦର୍ଶିତ ହେବ ବହୁ କ୍ଲାସିକ୍‌ ଚଳଚ୍ଚିତ୍ର। ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ଆଜି ଜୟଦେବଭବନଠାରେ ଦ୍ୱିତୀୟ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିନେତା, ନିର୍ଦ୍ଦେଶକ ତଥା ରାଜନେତା ପ୍ରଶାନ୍ତ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନାଟ୍ୟକାର ଅନନ୍ତ ମହାପାତ୍ର, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସତ୍ୟ ଶରଣ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ କାଳନ୍ଦୀଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଆଧାରିତ ମୃଣାଳ ସେନ୍‌ଙ୍କ ନିର୍ଦ୍ଦେଶିତ ‘ମାଟିର ମଣିଷ’, କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସକୁ ନେଇ ନିର୍ମିତ ‘କା’ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ଉତ୍ତମ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳିରେ ରାଧା ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ ପ୍ରଦର୍ଶିତ ହୋଇଯାଇଛି। ଓଡ଼ିଆ ସିନେମା ଜଗତରେ ବହୁବର୍ଷ ଧରି କାର୍ଯ୍ୟ କରିଥ‌ିବା ପାଞ୍ଚଜଣ ସିନେ ବ୍ୟକ୍ତିତ୍ବଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ସଂଗୀତ ପାଇଁ ତାନସେନ୍‌ ସିଂ, ଅଭିନୟ ପାଇଁ ଜୟା ଗୋସ୍ବାମୀ ଓ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ବେଶ ପୋଷାକ ସଜ୍ଜାକାରୀ ନିର୍ମଳ ଦାଶ ଏବଂ କଳା ନିର୍ଦ୍ଦେଶକ ବାଞ୍ଛାନିଧ ପଟ୍ଟନାୟକ ଏଥିରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ଫିଲ୍ମ ସର୍କଲର ସଦସ୍ୟ ଲେଖକ ଓ ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ, ସିନେ ସମୀକ୍ଷକ ଅଶୋକ ପାଲିତ୍, ମୁମ୍ବାଇରେ ଅବସ୍ଥାପିତ ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ ଓ ଅଭିନେତା ସୁକାନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲାଇଟ୍‌ କଟିଯିବା ଯୋଗୁଁ ୨ ଘଣ୍ଟା ବିଳମ୍ବ…
ଭୁବନେଶ୍ବର ଚଳଚ୍ଚିତ୍ର ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ସିନେପ୍ରେମୀଙ୍କ ଭିଡ଼ ଜମିଥିଲା ଜୟଦେବ ଭବନରେ। ‘ମାଟିର ମଣିଷ’ ଚଳଚ୍ଚିତ୍ରର ସ୍କ୍ରିନିଂ ଆରମ୍ଭ ହେଉହେଉ ଜୟଦେବ ଭବନର ଲାଇଟ୍‌ କଟିଯାଇଥିଲା। କ’ଣ ଘଟିଛି ବୋଲି ଜୟଦେବ ଭବନର ଟେକ୍‌ନିକାଲ୍‌ ଟିମ୍‌ ଖୋଜାଖୋଜି କରିଥିଲେ। ହେଲେ କାରଣ ଖୋଜି ପାଇନଥିଲେ। ଠିକ୍‌ ସମୟରେ ପ୍ରେକ୍ଷାଳୟର ଜେନେରେଟର୍‌ ବି କାମ କରିନଥିଲା। ଫଳରେ ୨ ଘଣ୍ଟା ଧରି ଆଗନ୍ତୁକମାନେ ଅପେକ୍ଷା କରି କରି ବିରକ୍ତ ହୋଇ ପ୍ରେକ୍ଷାଳୟ ଛାଡ଼ିଥିଲେ। ଆୟୋଜକମାନେ ବି ଧର୍ଯ୍ୟହରା ହୋଇ ହୋହଲ୍ଲା କରିଥିଲେ। ଫଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପରେ ଜଣାପଡ଼ିଥିଲା ଜୟଦେବଭବନର କୌଣସି ସୁଇଚ୍‌ ପୋଡ଼ିଯାଇଛି। ଏହାକୁ ସଜାଡ଼ିବା ପରେ ଶେଷରେ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। କିନ୍ତୁ ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁ କାର୍ଯ୍ୟକ୍ରମ ୨ ଘଣ୍ଟା ବିଳମ୍ବରେ ଚାଲିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *