କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ନୂଆ ଇତିହାସ ରଚିଛନ୍ତି, ଆଇପିଏଲ୍ରେ ସର୍ବକନିଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି
କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ନୂଆ ଇତିହାସ ରଚିଛନ୍ତି, ଆଇପିଏଲ୍ରେ ସର୍ବକନିଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି
ରାଜସ୍ଥାନ ରୟାଲ୍ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ନୂଆ ଇତିହାସ ରଚିଛନ୍ତି। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି।
ରାଜସ୍ଥାନ/ଭୁବନେଶ୍ୱର ୨୦.୦୪.୨୦୨୫(ଏସ .ଏମ ) : ରାଜସ୍ଥାନ ରୟାଲ୍ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ନୂଆ ଇତିହାସ ରଚିଛନ୍ତି। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ରବିବାର ସୂର୍ଯ୍ୟବଂଶୀ ଇମ୍ପାକ୍ଟ ଖେଳାଳି ଭାବେ ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ପୁଣି ନିଜେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍କୁ ଛକା ମାରି ବିରଳ କ୍ଲବ୍ରେ ସାମିଲ ହୋଇଥିଲେ। ଶାର୍ଦୁଳ ଠାକୁରଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍ରେ ଷ୍ଟ୍ରାଇକ୍ ପାଇଥିବା ଏହି ଅସାଧାରଣ ପ୍ରତିଭାଧାରୀ ଏହାକୁ ଅନାୟାସରେ ଏକ୍ସଟ୍ରା କଭର ସୀମାରେଖା ଉପରେ ବାହାରକୁ ପଠାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏତିକିରେ କିନ୍ତୁ ଅଟକି ନଥିଲେ। ଅନ୍ୟତମ ଅନ୍ତର୍ଜାତୀୟ ଅଭିଜ୍ଞତା ସଂପନ୍ନ ଦ୍ରୁତ ବୋଲର ଆୱେସ ଖାନଙ୍କ ଦ୍ବିତୀୟ ଓଭରର ଦ୍ବିତୀୟ ବଲ୍କୁ ମଧ୍ୟ ଛକା ମାରି ରୟାଲ୍ସ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏଥର ଅଫ୍ ଷ୍ଟମ୍ପ ଉପର ବଲ୍କୁ ଛକା ମାରି ସେ ଯେ ସବୁପ୍ରକାର ସଟ୍ ଖେଳିବାରେ ସିଦ୍ଧହସ୍ତ ତାର ପ୍ରମାଣ ଦେଇଥିଲେ। ସେହିଭଳି ସ୍ପିନର ଦିଗବେଶ ରାଠିଙ୍କୁ ଆଉ ଏକ ଛକା ମାରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ୨୦ ବଲ୍ରୁ ୨ଟି ଦର୍ଶନୀୟ ଚୌକା ଓ ତିନିଟି ଛକା ସହ ୧୭୦ ଷ୍ଟ୍ରାଇକ୍ ରେଟ୍ରେ ୩୪ ରନ୍ କରିଥିଲେ।ସ୍ପିନର ବୋଲରଙ୍କୁ ଏକ ସଟ୍ ମାରିବକୁ ଯାଇଁ ଷ୍ଟମ୍ପିଂ ହୋଇଯାଇଥିଲେ। ପ୍ରକାଶ ଥାଉ କି ମାତ୍ର ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ଚଳିତବର୍ଷ ଆଇପିଏଲ୍ ନିଲାମରେ ୧.୧ କୋଟି ଟଙ୍କାରେ କିଣି ଚହଳ ସୃଷ୍ଟି କରିଥିଲା। ସେତେବେଳକୁ ତାଙ୍କୁ କେବଳ ୧୩ ବର୍ଷ ହୋଇଥିଲା। ଫଳରେ ଆଇପିଏଲ୍ରେ ନିଲାମ ହେବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ସେ। ପରବର୍ତ୍ତୀ ସମୟରେ ତାଙ୍କ ବୟସକୁ ନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ଏହା ସଂପୂର୍ଣ୍ଣ ଅମୂଳକ ଥିଲା ବୋଲି ଜଣାପଡ଼ିଥିଲା। ବିହାରର ତେଜପୁରରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟବଂଶୀ ମାତ୍ର ୧୨ ବର୍ଷ ବୟସରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ତାଙ୍କ ପଦାର୍ପଣକୁ ଏବେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ ପଦାର୍ପଣ କରିବା ସହ ତୁଳନା କରାଯାଉଛି।