LatestNewsଅପରାଧଘଟଣା ଦୁର୍ଘଟଣାଦୁର୍ନୀତିରାଜନୀତିରାଜ୍ୟଶିକ୍ଷା

ଛାତ୍ରୀ ଆତ୍ମାହୁତି: ୩ ସଂସ୍ଥାର ତନାଘନା, ମୃତ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ଅଧିକାରୀ

ଛାତ୍ରୀ ଆତ୍ମାହୁତି: ୩ ସଂସ୍ଥାର ତନାଘନା, ମୃତ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ଅଧିକାରୀ

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଏହି ମାମଲାରେ ଗିରଫ ହୋଇଥିବା ଏଚ୍‌ଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବ୍ୟତୀତ ଆଉ କିଏ କିଏ ସଂପୃକ୍ତ….

ବାଲେଶ୍ବର/ଭୁବନେଶ୍ୱର ୧୯-୦୭-୨୦୨୫(ଏସ.ଏମ. ) : ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଏହି ମାମଲାରେ ଗିରଫ ହୋଇଥିବା ଏଚ୍‌ଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବ୍ୟତୀତ ଆଉ କିଏ କିଏ ସଂପୃକ୍ତ, କଲେଜରେ ଯୌନ ନିର୍ଯାତନା ଓ ଆଣ୍ଟି ରାଗିଂ ନିୟମ ପାଳନ ହେଉଥିଲା କି ନାହିଁ, ସେ ସଂପର୍କରେ ଖୋଳତାଡ଼ ଚାଲିଛି। ଆଜି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ତଥ୍ୟ ଅନୁସନ୍ଧାନକାରୀ ଦଳ (ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌), କ୍ରାଇମ୍‌ବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ଟିମ୍‌ ପୃଥକ୍‌ ଭାବେ ତଦନ୍ତ କରିଛନ୍ତି। ଗତ ୧୨ ତାରିଖରେ ଛାତ୍ରୀଜଣକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ପରେ ୧୪ ତାରିଖରେ ଭୁବନେଶ୍ବର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୫ ତାରିଖରେ ୟୁଜିସି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଥିବାବେଳେ ଆଜି କମିଟି ପ୍ରଥମଥର କଲେଜ ଆସି ଘଟଣାର ତଦନ୍ତ କରିଛି। ୪ ଜଣିଆ କମିଟିରେ ଅଧ୍ୟକ୍ଷ ନୂଆଦିଲ୍ଲୀ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟର ପ୍ରଫେସର ରାଜକୁମାର ମିତ୍ତଲ, ୟୁଜିସିର ଯୁଗ୍ମ ନିର୍ଦ୍ଦେଶକ ଅସୀମା ମଙ୍ଗଲ, ୟୁଜିସିର ପୂର୍ବତନ କମିସନ୍‌ ସଦସ୍ୟ ପ୍ରଫେସର ସୁଷମା ଯାଦବ ଓ ଗୁଜରାଟ ବିଶ୍ବବିଦ୍ୟାଳୟର କୁଳପତି ଡ. ନୀରୋଜ ଗୁପ୍ତା ରହିଛନ୍ତି। ସେମାନେ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ କୁମାର ପାଢ଼ୀଙ୍କ ସହ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଦସ୍ୟ, କଲେଜର ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କ ସହ ଘଟଣା ସଂପର୍କରେ ପଚରାଉଚରା କରିଥିଲେ। କମିଟି ଆସନ୍ତାକାଲି ମଧ୍ୟ ପଚରାଉଚରା କରିବ ଏବଂ ୭ ଦିନ ମଧ୍ୟରେ ୟୁଜିସିକୁ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି।ସେହିପରି ବାଲେଶ୍ବରରେ ଗତକାଲିଠାରୁ ଥିବା କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଟିମ୍‌ ଶୁକ୍ରବାର ମଧ୍ୟାହ୍ନରେ ମୃତ ଛାତ୍ରୀଙ୍କ ଭୋଗରାଇ ବାସଭବନକୁ ଯାଇ ଛାତ୍ରୀଙ୍କ ବାପାଙ୍କୁ ଭେଟିବା ସହ ତାଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା। ପରେ କଲେଜ ଆସି ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାଢ଼ୀଙ୍କ ସହ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ରେ ଆଇଜି ଏସ୍ ସାଇନି, ଡିଏସ୍‌ପି ଇମନ କଲ୍ୟାଣ ନାୟକ ଓ ଇନ୍‌ସପେକ୍ଟର ପାଞ୍ଚାଳି ରାଉତ ରହିଥିଲେ।

ତଥ୍ୟ ନେଲେ ୟୁଜିସି, କ୍ରାଇମ୍‌ବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗ ଟିମ୍‌
ମୃତ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ଅଧିକାରୀ

ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ ୩ ଜଣିଆ ଟିମ୍‌ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ, ଛାତ୍ରୀଛାତ୍ରୀ, ଆଇସିସି କମିଟି ସଦସ୍ୟସଦସ୍ୟାଙ୍କୁ ପୃଥକ୍‌ ପୃଥକ୍‌ ଭାବେ ପଚରାଉଚରା କରିଥିଲା। ଦିନ ୨ଟାରୁ ପ୍ରାୟ ୬ ଘଣ୍ଟା ଧରି ତଦନ୍ତ ଜାରି ରହିଥିଲା। ଟିମ୍‌ରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ମୌସୁମୀ ନାୟକ ଓ ବିଜେବି କଲେଜର ପ୍ରଫେସର ଝୁମକୀ ରଥ ରହିଥିଲେ। ତଦନ୍ତ ବାବଦରେ ସଂପୃକ୍ତ କମିଟି ଓ ଟିମ୍‌ ସଦସ୍ୟଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ନାନା ପ୍ରଶ୍ନ ପଚାରିଥିଲେ। ହେଲେ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କେହି କିଛି କହିବାକୁ ମନା କରିଥିଲେ। ବରଂ ତଦନ୍ତରେ ସହଯୋଗ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *