ଦେଶରେ କରୋନା ସକ୍ରିୟ ମାମଲା ୭ ହଜାର ଟପିଲା
ଦେଶରେ କରୋନା ସକ୍ରିୟ ମାମଲା ୭ ହଜାର ଟପିଲା
ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର୧୨-୦୬-୨୦୨୫( ଏସ .ଏମ ) : ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ସକ୍ରିୟ ମାମଲା ୭ ହଜାର ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ମୋଟ୍ ସକ୍ରିୟ ମାମଲା ୭,୧୨୧। ଗତ ୨୪ ଘଣ୍ଟାରେ ଦେଶରେ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ୩ ଜଣଙ୍କର ଏବଂ କର୍ଣ୍ଣାଟକରେ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳରେ ଦିନକରେ ୧୭୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। କେରଳରେ ମୋଟ୍ ସକ୍ରିୟ ମାମଲା ୨,୨୨୩ ରହିଛି। ସେହିପରି ଗୁଜରାଟରେ ୧୧୪ ସଦ୍ୟ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଗୁଜରାଟରେ ସକ୍ରିୟ ମାମଲା ୧୨୨୩ରେ ପହଞ୍ଚିଛି। ଇତିମଧ୍ୟରେ କର୍ଣ୍ଣାଟକରେ ୧୦୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ କର୍ଣ୍ଣାଟକରେ ମୋଟ୍ ସକ୍ରିୟ ମାମଲା ୪୫୯ରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ସକ୍ରିୟ ମାମଲା ୭୫୭ରେ ପହଞ୍ଚିଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଥିବା ସମସ୍ତ ୬ ଜଣଙ୍କର ଅନ୍ୟାନ୍ୟ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିଲା। ଝାଡ଼ଖଣ୍ଡରେ ଜୁନ୍ ୧୦ ତାରିଖରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ଜଣେ ୪୪ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ ରାଞ୍ଚିର ରିମ୍ସ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।