LatestNewsPoliticsରାଜନୀତିରାଜ୍ୟ

ପଛୁଆବର୍ଗଙ୍କ ପାଇଁ ଯୋଜନା ନାହିଁ

ପଛୁଆବର୍ଗଙ୍କ ପାଇଁ ଯୋଜନା ନାହିଁ

ସରକାର ବଦଳୁଛି, ସ୍ଥିତି ବଦଳୁନି

ରାଜ୍ୟରେ ୫୪% ଓବିସି/ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ସେମାନଙ୍କୁ ସରକାର ଶିକ୍ଷା, ନିଯୁକ୍ତି ସବୁଥିରେ ୨୭% ସଂରକ୍ଷଣ ଦିଅନ୍ତୁ। ଗତ ବର୍ଷକ ତଳେ ବିଜେଡିକୁ ଛାଡ଼ି ସବୁ ରାଜନୈତିକ ଦଳ ଓ ବିଭିନ୍ନ ‌ସଂଗଠନ ଏଭଳି ଦାବି କରୁଥିଲେ।

ଭୁବନେଶ୍ୱର ୧୩.୦୫.୨୦୨୫(ଏସ .ଏମ ) :  ରାଜ୍ୟରେ ୫୪% ଓବିସି/ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ସେମାନଙ୍କୁ ସରକାର ଶିକ୍ଷା, ନିଯୁକ୍ତି ସବୁଥିରେ ୨୭% ସଂରକ୍ଷଣ ଦିଅନ୍ତୁ। ଗତ ବର୍ଷକ ତଳେ ବିଜେଡିକୁ ଛାଡ଼ି ସବୁ ରାଜନୈତିକ ଦଳ ଓ ବିଭିନ୍ନ ‌ସଂଗଠନ ଏଭଳି ଦାବି କରୁଥିଲେ। ଏବେ ବିଜେପିକୁ ଛାଡ଼ି ସମସ୍ତ ରାଜନୈତିକ ଦଳ ଏ ଦାବି ଦୋହରାଉଛନ୍ତି। ପଛୁଆବର୍ଗ ସବୁ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା କହି ବିଭିନ୍ନ ରାଜନୈତିକ ଦଳ ଗଳାଫଟା ଚିତ୍କାର କରୁଛନ୍ତି। ହେଲେ ବାସ୍ତବ ଚିତ୍ର ଅଲଗା। ରାଜ୍ୟର ଅଧାରୁ ଅଧିକ ଲୋକ ଯେଉଁ ବର୍ଗର ବୋଲି ଦାବି କରାଯାଉଛି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଯୋଜନା କିଛି ନାହିଁ। ନା ପୂର୍ବ ସରକାରରେ ଓବିସି ଫୋକସ୍‌ରେ ଥିଲେ ନା ନୂଆ ସରକାର ଏ ସଂକ୍ରାନ୍ତରେ କିଛି ଠୋସ୍ ପଦକ୍ଷେପ ନେଲେଣି। ଏବେ କେନ୍ଦ୍ର ସରକାର ଜା‌ତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେବା ପରେ ଏହି ପ୍ରସଙ୍ଗଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୨୩ ମସିହାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିସନଙ୍କ ସର୍ଭେ ଅନୁଯାୟୀ (ଏଯାଏଁ ଉପସ୍ଥାପନ ହୋଇନାହିଁ) ରାଜ୍ୟରେ ୩୯.୩୧% ଓବିସି/ଏସ୍‌ଇବିସି ବର୍ଗର ଲୋକ ଅଛନ୍ତି। ଏଥିରୁ ମାତ୍ର ୨.୮% ସରକାରୀ ଚାକିରି ଓ ୧.୩% ବୃତ୍ତିଗତ ଚାକିରି କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ରରେ ୨୫.୨% ନିୟୋଜିତ ଅଛନ୍ତି। ୧୯.୩% ନିଜ ଜମିରେ ଚାଷ କରୁଛନ୍ତି। ଏହି ସର୍ଭେ ଦର୍ଶାଇଛି ଯେ ଏବେ ବି ପଛୁଆବର୍ଗର ଲୋକ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ପଛୁଆ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ କେବଳ ନାମକୁ ମାତ୍ର ‘ପଛୁଆବର୍ଗ’ ଯୋଡ଼ା ହେଲା ଭଳି ଅଛି। କାରଣ ଏହି ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗତବର୍ଷ ତୁଳନାରେ ୧୨% ଅଧିକ ଅର୍ଥାତ୍ ୬୪୩୬ କୋଟି ୯ଲକ୍ଷ ୯୨ହଜାର ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି। ମାତ୍ର ଏଥିରୁ ରାଜ୍ୟ ସରକାରଙ୍କ ଯୋଜନା ଭାବେ ଓବିସି/ଏସ୍‌ଇବିସିଙ୍କ ପାଇଁ ମାତ୍ର ଗୋଟିଏ ଯୋଜନା ଅଛି। ତାହା ହେଲା ପଛୁଆବର୍ଗଙ୍କ ଦକ୍ଷତା ବୃଦ୍ଧି ତାଲିମ୍। ଏଥିପାଇଁ ୧କୋଟି ୩୫ଲକ୍ଷ ଟଙ୍କା ବରାଦ ହୋଇଛି। ସେହିପରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଯଥା ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେଉଛି। ତାହା ହେଲା ସେମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ। ଛାତ୍ରାବାସ ପାଇଁ ୬୦:୪୦ ଅନୁପାତରେ, ଛାତ୍ରୀନିବାସ ପାଇଁ ୯୦:୧୦ ଅନୁପାତରେ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଏ ବାବଦକୁ ୭୨ କୋଟି ୧୦ ଲକ୍ଷ ଟଙ୍କା ବଜେଟ୍‌ରେ ରଖାଯାଇଛି। 

ଏସ୍‌ଟି ଓ ଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଫୋକସ୍‌ରେ ନାହିଁ
ସରକାର ବଦଳୁଛି, ସ୍ଥିତି ବଦଳୁନି

ଅପରପକ୍ଷେ ମଣ୍ଡଳ କମିସନଙ୍କ ସୁପାରିସ୍‌କୁ ତତ୍କାଳୀନ କେନ୍ଦ୍ର ସରକାର ଅଗଷ୍ଟ, ୧୯୯୦ରେ ଲାଗୁ କରିବା ପରେ ଓବିସି ବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ଦିଆଯାଉଛି। କିଛି ରାଜ୍ୟ ଏହାକୁ ଲାଗୁ କରିଛନ୍ତି। କିନ୍ତୁ ଏହି ସାଢ଼େ ତିନି ଦଶନ୍ଧି ମଧ୍ୟରେ ଓଡ଼ିଶାରେ କଂଗ୍ରେସ, ବିଜେଡି, ବିଜେପି ସରକାର ଗଢ଼ିଥିଲେ ବି କେହି ଏ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓବିସି/ଏସ୍‌ଇବିସି ବର୍ଗଙ୍କୁ ୨୭% ସଂରକ୍ଷଣ ଦେଇପାରିନାହାନ୍ତି। ଓଡ଼ିଶାରେ ଓବିସି/ଏସ୍‌ଇବିସିଙ୍କୁ ନିଯୁକ୍ତି କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଦିଆଯାଉଛି। ରାଜ୍ୟରେ ସବୁଠୁ ଅଧିକ ପଛୁଆବର୍ଗର ଲୋକ ଥିବାବେଳେ ସରକାର କାହିଁକି କେବଳ ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧.୨୫% ସଂରକ୍ଷଣ ଦେବେ ବୋଲି ଓବିସି ଫୋରମ୍ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ପଛୁଆବର୍ଗଙ୍କୁ ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମ, ଅନ୍ୟାନ୍ୟ ନାମଲେଖା କ୍ଷେତ୍ରରେ ବି ୨୭% ସଂରକ୍ଷଣ ଦିଆଯାଉ। ପଛୁଆବର୍ଗଙ୍କୁ ବିଜେଡି ସରକାର ଅବହେଳା କରି ଆସୁଥିଲା। ଯେଉଁଥିପାଇଁ ପଛୁଆବର୍ଗଙ୍କ ସର୍ଭେ ରିପୋର୍ଟକୁ ସର୍ବସାଧାରଣରେ ଉପସ୍ଥାପନ କରାଗଲାନି। ଯଦି ସର୍ଭେ ଠିକ୍ ଭାବେ ହୋଇଥିଲା ତେବେ ଏହାକୁ କାହିଁକି ଲୁଚାଯାଇଛି? ବିଜେପି, ବିରୋଧୀ ଦଳରେ ଥିବାବେଳେ ପଛୁଆବର୍ଗଙ୍କ ପାଇଁ ଯେଉଁ ସ୍ବର ଉଠାଉଥିଲା ତାହା କାହିଁକି ଆଉ ଶୁଭୁନି? ଅପରପକ୍ଷେ ପଛୁଆବର୍ଗଙ୍କୁ ବିନା ସୁଧରେ ଋଣ ଦେବାକୁ ଖୋଲିଥିବା ଓବିସି ଫାଇନାନ୍ସ ଆଣ୍ଡ ଡେଭଲପ୍‌ମେଣ୍ଟ କୋଅପରେଟିଭ୍ କର୍ପୋରେସନ୍‌କୁ ୨୦୦୮ରୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିଦିଆଯାଇଛି।  

ସେହିପରି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ ପଛୁଆବର୍ଗଙ୍କୁ କିପରି ସଂରକ୍ଷଣ ଦିଆଯିବ ସେ ନେଇ ସରକାର ଚିନ୍ତା କରୁଛନ୍ତି। କେନ୍ଦ୍ର ସରକାରଙ୍କ ବିଶ୍ବକର୍ମା ଯୋଜନାରେ ପଛୁଆବର୍ଗଙ୍କୁ ତାଲିମ୍ ସହ କିଟ୍ ପ୍ରଦାନ କରାଯାଉଛି। ଓବିସି ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ପ୍ରି-ମାଟ୍ରିକ୍‌ ମେଧା ବୃତ୍ତି ବାବଦରେ ପ୍ରାୟ ୪୦୦କୋଟି ଟଙ୍କା ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ, ବିଭାଗର ମୋଟ୍ ୬୪୩୬ କୋଟି ୯ ଲକ୍ଷ ୯୨ ହଜାର ଟଙ୍କାର ବଜେଟ୍‌ରୁ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୫୨୪୨କୋଟି ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିରୁ ସିଂହଭାଗ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଖର୍ଚ୍ଚ ହେଉଛି, ଯାହାଙ୍କ ସଂଖ୍ୟା ରାଜ୍ୟରେ ମୋଟ୍‌ ଜନସଂଖ୍ୟାର ୨୨.୮୫%। ଏହା ପରେ ଅନୁସୂଚିତ ଜାତି ବର୍ଗ (ଜନସଂଖ୍ୟାର ୧୭.୧୩%) ପାଇଁ ଅଧିକ ଖର୍ଚ୍ଚ ହେଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ୫.୦୬% ଲୋକ ଥିବାବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କିଛି ନାହିଁ। କେବଳ ୫୦ଟି ବହୁମୁଖୀ ଗୋଷ୍ଠୀ ତଥା ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୩୦ ଲକ୍ଷ ହିସାବରେ ୧୫ କୋଟି ଖର୍ଚ୍ଚ କରିବାକୁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *