ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ପାକିସ୍ତାନକୁ ଆଇନା ଦେଖାଇଲେ ଓୱାଇସି

ପାକିସ୍ତାନକୁ ଆଇନା ଦେଖାଇଲେ ଓୱାଇସି

ଆଲଜେରିଆରେ ଏଆଇଏମଆଇଏମ ମୁଖ୍ୟ ଏବଂ ସାଂସଦ ଓୱାଇସି କହିଛନ୍ତି ଯେ, ପାକିସ୍ତାନରେ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ଧାର୍ମିକ ସ୍ବୀକୃତି ମିଳିଛି। ଯାହା ସମ୍ପୂର୍ଣ୍ଣ ଭୁଲ୍। ଇସଲାମ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଅନୁମତି ଦିଏ ନାହିଁ ଏବଂ ଦୁର୍ଭାଗ୍ୟବଶତଃ, ଏହା ସେମାନଙ୍କର ବିଚାରଧାରା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୦୬-୨୦୨୫(ଏସ .ଏମ ) : ଭାରତର ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ୩୩ଟି ଦେଶର ରାଜଧାନୀ ଗସ୍ତ କରୁଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ସମସ୍ତ ବ୍ୟକ୍ତି ବିଭିନ୍ନ ମଞ୍ଚରେ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ନୀତିର ପର୍ଦ୍ଦାଫାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ଅଛନ୍ତି।

ଦଳରେ ସାମିଲଥିବା ଏଆଇଏମଆଇଏମ ମୁଖ୍ୟ ଏବଂ ସାଂସଦ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ, ଭାରତ ଏବଂ ଆଲଜେରିଆ ନଭେମ୍ବର ୨୦୨୪ରେ ଏକ ପ୍ରତିରକ୍ଷା ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ମୁଁ ନିଶ୍ଚିତ ଯେ, ଏହା ବୁଝାମଣା ବୃଦ୍ଧି କରିବ ଏବଂ ଆମର ସମ୍ପର୍କକୁ ମଜବୁତ କରିବ। ଆଶା କରୁଛି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ଆଲଜେରିଆ ଗସ୍ତ କରିବେ। ଆଲଜେରିଆର ରାଷ୍ଟ୍ରପତି ଅବଦେଲମାଜିଦ୍ ଟେବବୁନ୍ ଭାରତ ଗସ୍ତରେ ଆସିବାର ଆଶା କରାଯାଉଛି। ଏହା ସଠିକ ଦିଗରେ ଏକ ବହୁତ ଭଲ ପଦକ୍ଷେପ ହେବ।

ସାଂସଦ ଓୱାଇସି କହିଛନ୍ତି ଯେ, ପାକିସ୍ତାନରେ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ଧାର୍ମିକ ସ୍ବୀକୃତି ଅଛି, ଯାହା ସମ୍ପୂର୍ଣ୍ଣ ଭୁଲ୍। ଇସଲାମ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଅନୁମତି ଦିଏ ନାହିଁ ଏବଂ ଦୁର୍ଭାଗ୍ୟବଶତଃ, ଏହା ସେମାନଙ୍କର ବିଚାରଧାରା।
ସେ କହିଛନ୍ତି ଯେ, ଆତଙ୍କବାଦ ଦୁଇଟି ଜିନିଷ ଉପରେ ବଞ୍ଚିଥାଏ, ବିଚାରଧାରା ଏବଂ ଟଙ୍କା। ଥରେ ଆପଣ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ତାଲିକାରେ ସାମିଲ କଲେ,ଭାରତରେ ଆତଙ୍କବାଦ ଏବଂ ହତ୍ୟାକାଣ୍ଡ ହ୍ରାସ ପାଇବ। ।

ସାଂସଦ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ, ଜାକିୟୁର ରେହମାନ ଲଖଭି ନାମକ ଜଣେ ଆତଙ୍କବାଦୀ ଅଛନ୍ତି। ବିଶ୍ୱର କୌଣସି ଦେଶ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହେଉଥିବା ଆତଙ୍କବାଦୀକୁ ମୁକ୍ତ କରିବାକୁ ଦେବ ନାହିଁ। ଜେଲରେ ଥିବା ସମୟରେ ଲଖଭି ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ। ଏଭଳି କହି ଓୱାଇସି ପାକିସ୍ତାନକୁ ଆଇନା ଦେଖାଇଛନ୍ତି। ପାକିସ୍ତାନ କିଭଳି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ସେନେଇ ଓୱାଇସି ତାହାର ପର୍ଦ୍ଦାଫାସ୍ କରିଛନ୍ତି।ଓୱାଇସି କହିଛନ୍ତି, ଏହା କେବଳ ଦକ୍ଷିଣ ଏସିଆର ପ୍ରଶ୍ନ ନୁହେଁ। ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତି। କଣ ହେବ? ଆପଣମାନେ କ’ଣ ଚାହୁଛନ୍ତି ଯେ, ଏହି ହତ୍ୟାକାଣ୍ଡ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରେ ବ୍ୟାପିଯାଉ? ଆତଙ୍କବାଦର ମୁଖ୍ୟ ପ୍ରାୟୋଜକ ପାକିସ୍ତାନକୁ ନିୟନ୍ତ୍ରଣ କରିବା ବିଶ୍ୱ ଶାନ୍ତି ପାଇଁ ଆବଶ୍ୟକ। ପାକିସ୍ତାନକୁ ଏଫଏଟିଏଫର ଗ୍ରେ ତାଲିକାକୁ ଫେରାଇ ଆଣିବାକୁ ପଡିବ।

ବିଜେପି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ପାକିସ୍ତାନ ନିଜର ଆତଙ୍କବାଦୀ ତାଲିମ, ପାଣ୍ଠି ଏବଂ ଅସ୍ତ୍ର କାର୍ଯ୍ୟକ୍ରମକୁ ଲୁଚାଇବା ପାଇଁ ପରମାଣୁ ଶକ୍ତି ବ୍ୟବହାର କରିଛି। ପାକିସ୍ତାନ ଆତଙ୍କବାଦୀମାନଙ୍କ ସହିତ ଖୋଲାଖୋଲି ଭାବରେ ଏହା କରୁଛି। ଏହା କେବଳ ମୁଁ କହୁନାହିଁ। ଆପଣମାନେ ଏହାକୁ ଇଣ୍ଟରନେଟରେ ଦେଖିପାରିବେ। ସମସ୍ତେ ଜାଣନ୍ତି ଯେ, ପାକିସ୍ତାନ ପୂର୍ବରୁ ଅନେକ ଥର ଏହା କରିଛି।ଓସାମା ବିନ୍ ଲାଡେନଙ୍କ କ୍ଷେତ୍ରରେ ପାକିସ୍ତାନ ବର୍ଷ ବର୍ଷ ଧରି ମିଛ କହିଥିଲା। ଯେପର୍ଯ୍ୟନ୍ତ ଆମେରିକୀୟମାନେ ତାଙ୍କୁ ହତ୍ୟା କରି ନଥିଲେ। ପାକିସ୍ତାନରେ ୫୨ ଆତଙ୍କାବାଦୀ ସଂଗଠନର ସଦସ୍ୟ ଅଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟ ଥିବା ଆଲଜେରିଆ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ସଂଗଠନ ଏବଂ ସଦସ୍ୟଙ୍କୁ ନିଷିଦ୍ଧ କରିଛି। ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀ ପାକିସ୍ତାନରେ ଖୋଲାଖୋଲି ଭାବରେ କାର୍ଯ୍ୟ କରୁଛନ୍ତି।

ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ, ୧୯୭୨ ମସିହାରେ ଆମେ ୯୩,୦୦୦ ସୈନିକଙ୍କୁ ପାକିସ୍ତାନକୁ ଫେରାଇ ଦେଇଥିଲୁ, ତଥାପି ଆମର ୫୪ ଜଣ ସୈନିକ ପାକିସ୍ତାନ ଜେଲ୍‌ରେ ଅଛନ୍ତି। ପାକିସ୍ତାନ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ନାହିଁ। ୧୯୮୦ ମସିହାରୁ ପାକିସ୍ତାନ ପ୍ରତିରକ୍ଷା ପାଇଁ ଏହାର ବଜେଟର ୨୦-୨୫% ଖର୍ଚ୍ଚ କରୁଛି।ଆଇଏମଏଫ, ସାଉଦି ଆରବ ଏବଂ ଆମେରିକା ସେମାନଙ୍କୁ ଋଣ ଦିଅନ୍ତି। ସେମାନଙ୍କ ଅର୍ଥନୀତିର ୮୦% କେବଳ ଋଣ ଉପରେ ନିର୍ଭରଶୀଳ। ସେମାନଙ୍କର ଅର୍ଥନୀତି ଏପରି ଅବସ୍ଥାରେ ଅଛି ଯେ, ଯେକୌଣସି ଦିନ ସେମାନେ ପରବର୍ତ୍ତୀ ସୋମାଲିଆ କିମ୍ବା ସୁଡାନ ହୋଇପାରନ୍ତି। ଯେକୌଣସି ଦେଶ ସେମାନଙ୍କୁ ସାହାଯ୍ୟ କଲେ ନିଜର ଟଙ୍କା ହିଁ ହରାଇବ।

ରାଜ୍ୟସଭା ସାଂସଦ ରେଖା ଶର୍ମା କହିଛନ୍ତି, ଏହା ପ୍ରଥମ ଥର ନୁହେଁ ଯେ, ଆମେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ। ପାକିସ୍ତାନ ଏହା ବାରମ୍ବାର କରିଆସିଛି। କିନ୍ତୁ ଏଥର ଆମର ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏହାକୁ ଆଗକୁ ବଢ଼ାଇବୁ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *