ଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ରବର୍ଟ ଭଦ୍ରାଙ୍କୁ ସମର୍ଥନ କଲେ ରାହୁଲ

ରବର୍ଟ ଭଦ୍ରାଙ୍କୁ ସମର୍ଥନ କଲେ ରାହୁଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ପଛରେ ଏକ ଦଶନ୍ଧି ହେଲା ପଡ଼ିଛି ବୋଲି ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ୧୯-୦୭-୨୦୨୫(ଏସ .ଏମ ) : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ପଛରେ ଏକ ଦଶନ୍ଧି ହେଲା ପଡ଼ିଛି ବୋଲି ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ଧରି ମୋ ଭିଣୋଇଙ୍କୁ ଏହି ସରକାର ନିର୍ଯାତନା ଦେଉଛନ୍ତି। ଏହି ସଦ୍ୟତମ ଚାର୍ଜସିଟ୍ ତାହାର ଏକ ଅଂଶ। ମୁଁ ରବର୍ଟ, ପ୍ରିୟଙ୍କା ଓ ସେମାନଙ୍କ ପିଲାମାନଙ୍କ ସହ ଛିଡ଼ା ହୋଇଛି କାରଣ ସେମାନେ ରାଜନୈତିକ ପ୍ରତିଶୋଧର ସମ୍ମୁଖୀନ ହେଉଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ହରିୟାଣାରେ ଜମି କାରବାରରେ ଅନିୟମିତତା ଅଭିଯୋଗରେ ଭଦ୍ରାଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିବାର ଦିନକ ପରେ ବିରୋଧୀ ଦଳ ନେତା ଏକ୍ସରେ ଏହି ମନ୍ତବ୍ୟ ଦେଇଛନ୍ତି।

‘ଭିଣୋଇଙ୍କୁ ୧୦ ବର୍ଷ ହେଲା ହଇରାଣ କରୁଛନ୍ତି’

ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟରେ ୩୭ କୋଟିରୁ ଅଧିକ ଟଙ୍କାର ୪୩ଟି ସ୍ଥାବର ସମ୍ପତ୍ତିକୁ ଇଡି ଜବତ କରିଛି, ଯାହା ଭଦ୍ରା ଓ ସ୍କାଏ ଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ସମେତ ତାଙ୍କର ଅନ୍ୟ ସହଯୋଗୀ କମ୍ପାନି ସହ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ୨୦୧୮ରେ ଗୁରୁଗ୍ରାମ ପୁଲିସ ଏକ ଏଫ୍‌ଆଇଆର୍‌ ରୁଜୁ କରିଥିଲା, ଯେଉଁଥିରେ ଭଦ୍ରାଙ୍କ କମ୍ପାନି ବିରୋଧରେ ୨୦୦୮ ଫେବ୍ରୁଆରିରେ ଗୁରୁଗ୍ରାମର ସେକ୍ଟର ୮୩ ସ୍ଥିତ ଶିକୋହପୁର ଗ୍ରାମରେ ୩.୫୩ ଏକର ଜମି ଜାଲିଆତି କରି କିଣାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଜମିକୁ ଓଁକାରେଶ୍ୱର ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌ଠାରୁ ସାଢ଼େ ୭ କୋଟି ଟଙ୍କାରେ କିଣାଯାଇଥିବା ଜଣାପଡ଼ିଛି।

ଗତ ଏପ୍ରିଲରେ ଲଗାତାର ତିନି ଦିନ ଧରି ଇଡି ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିବା ଭଦ୍ରା ବାରମ୍ବାର କହିଛନ୍ତି ଯେ ଏହି ମାମଲା ତାଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ୍ କରୁଥିବା ଏକ ରାଜନୈତିକ ପ୍ରତିଶୋଧର ଅଂଶ। ଭଦ୍ରାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଜଣେ ଆଇନ ପାଳନକାରୀ ଭାରତୀୟ ନାଗରିକ ହିସାବରେ ଭଦ୍ରା ସବୁବେଳେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରି ଆସୁଛନ୍ତି। ଶେଷରେ ସତ୍ୟର ବିଜୟ ହେବ ବୋଲି ସେ ବିଶ୍ୱାସ ରଖିଛନ୍ତି। ଭଦ୍ରାଙ୍କୁ ସମର୍ଥନ କରି କଂଗ୍ରେସ ଏହି ଚାର୍ଜସିଟ୍‌କୁ ମୋଦୀ ସରକାରଙ୍କ ଆଉ ଏକ କୁତ୍ସିତ ପ୍ରୟାସ ବୋଲି କହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *