Uncategorized

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍

ରାଜଧାନୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଘର ଭିତରକୁ ତାଲାଭାଙ୍ଗି ପଶିଲା ଲକ୍ଷ୍ମୀସାଗର ଥାନା ପୁଲିସ୍। ସାଇଣ୍ଟିଫିକ୍ ଟିମ୍ ଘର ଭିତରେ ପଶି ଛାନଭିନ୍ ଚଳାଇଛନ୍ତି। 

ଭୁବନେଶ୍ବର ୧୯-୧୦-୨୦୨୫(ଏସ.ଏମ ) :  ରାଜଧାନୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଘର ଭିତରକୁ ତାଲାଭାଙ୍ଗି ପଶିଲା ଲକ୍ଷ୍ମୀସାଗର ଥାନା ପୁଲିସ୍। ସାଇଣ୍ଟିଫିକ୍ ଟିମ୍ ଘର ଭିତରେ ପଶି ଛାନଭିନ୍ ଚଳାଇଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଝାଡ଼ଖଣ୍ଡର ୧୬ବର୍ଷୀୟା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ। ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।ବଡ଼ କଥା ହେଉଛି, ଏହି ମାମଲା ରାଜଧାନୀରେ ଚାଲିଥିବା ଏକ ବଡ଼ଧରଣର ସେକ୍ସ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଲିଥିବା ସେକ୍ସ ରୢାକେଟ୍‌ରେ ପୀଡ଼ିତାଜଣକ ଫସିଥିବା ସ୍ପଷ୍ଟ ହେବା ପରେ ପୁଲିସ ଆଜି ସେଠାରେ ଚଢ଼ଉ କରିଛି। ପୁଲିସ ସେଠାରୁ ସେକ୍ସ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଘରମାଲିକଙ୍କ ସମେତ ୪ଜଣଙ୍କୁ ଉଠାଇ ଆଣିବା ସହ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ‌‌‌ହେଲେ ଘରମାଲିକ ସଞ୍ଜୀବ କୁମାର ଦାସ ଓରଫ ବାପି(୫୪), ମଞ୍ଚେଶ୍ବର ପାଲାମଣ୍ଡପ ନିକଟ ଜିତୁ ହାଉସ୍‌ ପରିଡ଼ା କଲୋନି ଅଞ୍ଚଳରେ ରହୁଥିବା‌ ପୁରୀଜିଲ୍ଲା ବଳଙ୍ଗାର ମଞ୍ଜୁ ସେଠୀ(୪୭), ବରମୁଣ୍ଡା କାଳୀମନ୍ଦିର ଅଞ୍ଚଳରେ ରହୁଥିବା‌ କଟକ ଜିଲ୍ଲା ବାଙ୍କୀର ମମତା ସାହୁ(୪୨), ନୟାଗଡ଼ ବସନ୍ତପୁର ଅଞ୍ଚଳର ଅବିନାଶ ମୁଦୁଲି(୨୮)। ଅବିନାଶ, ମାଲିକ ସଞ୍ଜୀବର ସହଯୋଗୀ ଭାବେ କାମ କରୁଥିବା ବେଳେ ମମତା ଓ ମଞ୍ଜୁ ଦେହଜୀବୀମାନଙ୍କ ପରିଚାଳନାରେ ନିୟୋଜିତ ଥିଲେ। ଏହି ରୢାକେଟ୍‌ ବାବଦରେ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି।
ବଡ଼ଧରଣର ସେକ୍ସ ରୢାକେଟ୍‌ ଧରାପଡ଼ିଥିଲା…
୧୬ ତାରିଖ ରାତିରେ ନାବାଳିକା ଜଣକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଜଣେ ମହିଳା ଏକ ଅଟୋରେ ଆଣି ନାବାଳିକାଙ୍କୁ କାଜୁଆଲିଟି ୱାର୍ଡରେ ଭର୍ତ୍ତି କରିଥିଲେ। ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଡ୍ୟୁଟିରେ ଥିବା ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଡାକ୍ତର, ନାବାଳିକାଙ୍କ ସାଙ୍ଗରେ ଥିବା ମହିଳାଙ୍କୁ ପଚରାଉଚରା କରିଥିଲେ। ଫସିଯିବା ଆଶଙ୍କାରେ ମହିଳା ଜଣକ ମଉକା ଦେଖି ସେଠାରୁ ଚମ୍ପଟ ମାରିଥିଲା। ତେଣୁ ଡାକ୍ତର ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫାଣ୍ଡିକୁ ଏମ୍‌ଏଲ୍‌ସି(ମେଡିକୋ ଲିଗାଲ୍‌ କେସ୍‌) ରିପୋର୍ଟ ଦେଇଥିଲେ। ମାତ୍ର ପୁଲିସ ମହିଳାଙ୍କୁ ଖୋଜିବା ବେଳକୁ ସେ ଅନ୍ତର୍ଦ୍ଧାନ ହୋଇସାରିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା। ସେପଟେ ନାବାଳିକାଙ୍କ ଅବସ୍ଥା ବିଗିଡ଼ିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ। ସିସିଟିଭି ଫୁଟେଜ୍‌ରୁ ମହିଳାଜଣକ ଏକ ଅଟୋ ଯୋଗେ ପଳାଇଥିବା ଜଣାପଡ଼ିଥିଲା। ପୁଲିସ ଅଟୋ ନମ୍ବରକୁ ପିଛା କରିଥିଲା ଏବଂ ଗତକାଲି ରାତିରେ ତାକୁ ଠାବ କରିବା ପରେ ସେ ମହିଳାଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ଅନ୍‌ଲାଇନ୍‌ରେ ଯାତ୍ରୀ ସେବା ଯୋଗାଉଥିବା ଅଟୋଚାଳକଙ୍କ ସୂଚନାନୁସାରେ ମହିଳାଜଣକ ଲକ୍ଷ୍ମୀସାଗରରୁ ବୁକିଂ କରିଥିଲେ ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ବୁକିଂ କରାଯାଇଥିବା ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ଆଜି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପହଞ୍ଚି ଯାଇଥିଲା। ‘ଆଳୁ ଖୋଳୁଖୋଳୁ ମହାଦେବ ମିଳିବା’ ନ୍ୟାୟରେ ପୁଲିସ ମହିଳାଙ୍କୁ ଖୋଜୁଖୋଜୁ ବଡ଼ଧରଣର ସେକ୍ସ ରୢାକେଟ୍‌ ଧରାପଡ଼ିଥିଲା। ଏହା ଭିତରେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ପୁଲିସର ଏକ ଟିମ୍‌ ତାଙ୍କୁ ପଚରାଉଚରା କରିଥିଲା। ନାବାଳିକା ଜଣକ ଝାଡ଼ଖଣ୍ଡରୁ ଆସି ଏଠାରେ ଫସିଯାଇଥିବା କହିଥିଲେ। ତାଙ୍କୁ ଜୋର୍‌ ଜବରଦସ୍ତ ଗୃହବନ୍ଦୀ କରି ଦେହ ବେପାରରେ ନିୟୋଜିତ କରାଯାଉଥିଲା ବୋଲି ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଚଢ଼ଉ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଲୋକଙ୍କ କହିବା କଥା ବହୁଦିନ ହେଲା ଏଠାରେ କିଛି ଅନୈତିକ କାର୍ଯ୍ୟକଳାପ ଚାଲିଛି ବୋଲି ସନ୍ଦେହ କରାଯାଉଥିଲା। ମାତ୍ର ଘର ମାଲିକଙ୍କ ଡରରେ କେହି ମୁଣ୍ଡ ପୂରାଉ ନଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *