ଦେଶ- ବିଦେଶରାଜନୀତି

ରୁଷ-ୟୁକ୍ରେନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା

ରୁଷ-ୟୁକ୍ରେନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଆଜି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ତୁର୍କୀ ରାଜଧାନୀ ଇସ୍ତାନବୁଲଠାରେ ହୋଇଛି । ଅଧିକ ଯୁଦ୍ଧବନ୍ଦୀଙ୍କୁ ହସ୍ତାନ୍ତର କରାଯିବ

ଇସ୍ତାନବୁଲ/ନୂଆଦିଲ୍ଲୀ୦୩-୦୬-୨୦୨୫(ଏସ .ଏମ ) : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଆଜି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ତୁର୍କୀ ରାଜଧାନୀ ଇସ୍ତାନବୁଲଠାରେ ହୋଇଛି। ତୁର୍କୀ ବିଦେଶ ମନ୍ତ୍ରୀ ହକନ ଫିଦାନ୍‌ଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ବୈଠକରେ ଉଭୟ ପକ୍ଷ ଅଧିକ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ହସ୍ତାନ୍ତର କରିବା ପାଇଁ ରାଜି ହୋଇଛନ୍ତି। ଏଥିସହ ମୋଟ ୧୨ ହଜାର ମୃତ ସୈନିକଙ୍କ ଶରୀରକୁ ଫେରାଇବା ନେଇ ମଧ୍ୟ ସହମତି ପ୍ରକାଶ ପାଇଛି। ପ୍ରତ୍ୟେକ ପକ୍ଷ ୬ ହଜାର ଲେଖାଏଁ ମୃତ ସୈନିକଙ୍କ ଶରୀର ହସ୍ତାନ୍ତର କରିବେ ବୋଲି କହିଛନ୍ତି। ପ୍ରାୟ ଘଣ୍ଟାଏ ଭିତରେ ଶେ‌ଷ ହୋଇଥିବା ଆଲୋଚନାରେ ଅସ୍ତ୍ରବିରତି ନେଇ କୌଣସି ସୁଫଳ ମିଳିନାହିଁ। ସାମୟିକ ଅସ୍ତ୍ରବିରତି ପରିବର୍ତ୍ତେ ରୁଷ୍‌ ଦୀର୍ଘ ମିଆଦୀ ସମାଧାନ ଚାହୁଛି। ଅନ୍ୟପକ୍ଷରେ କିବ୍‌ କହିଛି ପୁଟିନ ଶାନ୍ତି ପ୍ରତି ଆଗ୍ରହୀ ନାହାନ୍ତି।କ୍ରେମଲିନ ପକ୍ଷରୁ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଉଥିବା ଭ୍ଲାଦିମିର ମେଦିନସ୍କି କହିଛନ୍ତି, ଆମ ପକ୍ଷରୁ ୟୁକ୍ରେନ ପ୍ରତିନିଧିମାନଙ୍କୁ ସଂପୂର୍ଣ୍ଣ ଅସ୍ତ୍ରବିରତି ନେଇ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିସହିତ ଆଗୁଆ ଅଞ୍ଚଳରେ ଦୁଇରୁ ତିନିଦିନ ପାଇଁ ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ମୃତ ସୈନିକମାନଙ୍କ ମରଶରୀରକୁ ପରସ୍ପରକୁ ହସ୍ତାନ୍ତର କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟ ଆଲୋଚନା ଅନୁଯାୟୀ, ଉଭୟ ପକ୍ଷଙ୍କ ନିକଟରେ ଯୁଦ୍ଧବନ୍ଦୀଭାବେ ରହିଥିବା ୧୦୦୦ ଲେଖାଏଁ ସୈନିକଙ୍କୁ ପରସ୍ପରକୁ ପ୍ରଦାନ କରାଯିବା ପରେ ସେମାନେ ବଡ଼ଧରଣର ଯୁଦ୍ଧବନ୍ଦୀ ଅଦଳବଦଳ କରିବେ ବୋଲି କହିଛନ୍ତି।

୬ହଜାର ଲେଖାଏଁ ସୈନିକଙ୍କ ମରଶରୀର ଫେରାଇବେ
ଅଧିକ ଯୁଦ୍ଧବନ୍ଦୀଙ୍କୁ ହସ୍ତାନ୍ତର କରାଯିବ

ଆଜିର ଆଲୋଚନାରେ ୟୁ‌କ୍ରେନ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତେମ ଉମେରୋଭ ତାଙ୍କ ଦେଶର ନେତୃତ୍ବ ନେଇଛନ୍ତି। ସେ କହିଛନ୍ତି, ନୂଆ ଯୁଦ୍ଧବନ୍ଦୀ ହସ୍ତାନ୍ତର ସମୟରେ ଯୁଦ୍ଧରେ ଗୁରୁତର ଆହତ ହୋଇଥିବା ଏବଂ ଯୁବବର୍ଗଙ୍କ ହସ୍ତାନ୍ତର ନେଇ ଗୁରୁତ୍ବ ଦିଆଯିବ। ମସ୍କୋ ପକ୍ଷରୁ ୟୁକ୍ରେନଙ୍କୁ ଏକ ଶାନ୍ତି ଚିଠା ପ୍ରସ୍ତାବ ଦିଆଯାଇଛି। କିବ୍‌ ଏହାର ସମୀକ୍ଷା କରିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହିତ ଜୁନ ମାସ ଶେଷ ହେବା ପୂର୍ବରୁ ୟୁକ୍ରେନ ଅଧିକ ଆଲୋଚନା ଚାହିଛି। ତେବେ ପୁଟିନ ଓ ଜେଲେନସ୍କିଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହିଁ ‌ଅନେକ ବିବାଦର ସମାଧାନ କରିପାରିବ ବୋଲି ‌ସେ କହିଛନ୍ତି। ଏଭଳି ସ୍ଥିତିରେ ଆଜିର ଏହି ଆଲୋଚନାକୁ ତୁର୍କୀ ରାଷ୍ଟ୍ରପତି ତାଇପ ‌ଏର୍ଡୋଗାନ ଏକ ମହାନ ବୈଠକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହିତ ଉଭୟ ରୁଷ୍‌ ଏବଂ ୟୁକ୍ରେନ ରାଷ୍ଟ୍ରପତି ଆଲୋଚନାକୁ ଆସିବା ନେଇ ସେ ଆଶବାଦୀ ଥିବା କହିଛନ୍ତି।
ରୁଷ୍‌ର ବାୟୁସେନା ଘାଟି ଉପରେ ୟୁ‌କ୍ରେନ ଭୟଙ୍କର ଡ୍ରୋନ ଆକ୍ରମଣ କରି ବିପୁଳ କ୍ଷତି ଘଟାଇବା ପରେ ଆଲୋଚନାରୁ ସେତେଟା ସୁଫଳ ମିଳିବ ନାହିଁ ବୋଲି ଅନୁମାନ କରାଯାଉଥିଲା। ଏହି ଆକ୍ରମଣ ପାଇଁ ୟୁକ୍ରେନ ପ୍ରାୟ ଦେଢ଼ ବର୍ଷ ଧରି ଯୋଜନା କରିଥିଲା। ଯୋଜନାର ନେତୃତ୍ବ ୟୁକ୍ରେନ ସୁରକ୍ଷା ସେବା ମୁଖ୍ୟ ବାସିଲ ‌ମଲିୟୁକ୍‌ ନେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *