୫୦ ପର୍ଯ୍ୟନ୍ତ ଲେଖି ପାରିଲାନି ବୋଲି ୪ ବର୍ଷୀୟ ଝିଅକୁ ହତ୍ୟା କଲା ବାପା
୫୦ ପର୍ଯ୍ୟନ୍ତ ଲେଖି ପାରିଲାନି ବୋଲି ୪ ବର୍ଷୀୟ ଝିଅକୁ ହତ୍ୟା କଲା ବାପା
- ବାଳୁତ ପିଲାଙ୍କ ଉପରେ ପାଠପଢ଼ା ବୋଝ ବଢ଼ିବାରେ ଲାଗିଛି।
- ପ୍ରତିଦ୍ବନ୍ଦ୍ବିତାମୂଳକ ଦୁନିଆ ଏହି ବୋଝକୁ ସଙ୍କଟଜନକ କରୁଛି।
- ଫଳରେ ପିଲାଙ୍କ ଜୀବନରୁ ବାଲ୍ୟ ସମୟ କଟିବାରେ ଲାଗିଛି।
ଫରିଦାବାଦ ୨୪-୦୧-୨୦୨୬(ଏସ.ଏମ ) : ବାଳୁତ ପିଲାଙ୍କ ଉପରେ ପାଠପଢ଼ା ବୋଝ ବଢ଼ିବାରେ ଲାଗିଛି। ପ୍ରତିଦ୍ବନ୍ଦ୍ବିତାମୂଳକ ଦୁନିଆ ଏହି ବୋଝକୁ ସଙ୍କଟଜନକ କରୁଛି। ଫଳରେ ପିଲାଙ୍କ ଜୀବନରୁ ବାଲ୍ୟ ସମୟ କଟିବାରେ ଲାଗିଛି। ମାତାପିତା ନିଜନିଜ ପିଲାଙ୍କୁ ପାଠପଢ଼ା ଦୌଡ଼ରେ ଆଗକୁ ଯିବାକୁ ବାଧ୍ୟ କରୁଛନ୍ତି। ଏହା ଯୋଗୁ ବହୁ ପିଲାଙ୍କ ଜୀବନ ଦୀପ ଅକାଳ ଲିଭି ଯାଉଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ହରିୟାଣାର ଫରିଦାବାଦରେ ଘଟିଛି। ଜଣେ ବାପା ହୋମ୍ୱାର୍କ ନକରିଥିବାରୁ ନିଷ୍ଠୁର ହୋଇ ଚାରି ବର୍ଷର ଝିଅକୁ ହତ୍ୟା କରିଛନ୍ତି।
କ୍ରୋଧରେ ପିଟିଲେ
ପୁଲିସ କହିଛି ଯେ, ଜୟସ୍ୱାଲ ଓ ତାଙ୍କ ସ୍ତ୍ରୀ ଉଭୟ ଘରୋଇ କମ୍ପାନିରେ କାମ କରୁଥିଲେ। ଯେତେବେଳେ ମାଆ ଦିନରେ କାମକୁ ଯାଉଥିଲେ, ଜୟସ୍ୱାଲ ପିଲାମାନଙ୍କର ଯତ୍ନ ନେବା ଓ ତାଙ୍କ ଝିଅର ପାଠପଢ଼ା ତଦାରଖ କରିବା ପାଇଁ ଘରେ ରହୁଥିଲେ। ଏହି ଘଟଣା ଜାନୁଆରି ୨୧ ତାରିଖରେ ଘଟିଥିଲା। ତଦନ୍ତକାରୀମାନେ କହିଛନ୍ତି ଯେ, ଜୟସ୍ୱାଲ ଝିଅଟିକୁ ଏକ ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖିବାକୁ କହିଥିଲେ। କିନ୍ତୁ ପିଲାଟି ଏହା କରିପାରିନଥିଲା। ଫଳରେ ପିତା କ୍ରୋଧରେ ପିଟିବା ଆରମ୍ଭ କରିଥିଲେ। ସନ୍ଧ୍ୟାରେ ମାଆ କାମରୁ ଫେରି ଝିଅକୁ ମୃତ ଅବସ୍ଥାରେ ପାଇଥିଲେ। ସେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଫରିଦାବାଦ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଏକ ମାମଲା ରୁଜୁ କରାଯାଇଛି ଓ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନିଆଯାଇଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ସମାଜ ପାଇଁ ଚେତାବନୀ
ଏହି ଘଟଣା ପିଲାମାନଙ୍କ ଉପରେ ଶିକ୍ଷକଙ୍କ ଚାପ ଓ ପିତାମାତାଙ୍କ ବୃଦ୍ଧି ପାଉଥିବା ହିଂସାକୁ ସ୍ପଷ୍ଟ କରିଛି। ଏକ ନିଷ୍ପାପ ପିଲା, ଯିଏ ଏପର୍ଯ୍ୟନ୍ତ ଦୁନିଆ ବିଷୟରେ କିଛି ଜାଣି ନଥିଲା ଖେଳିବା ବୟସରେ ପାଠପଢ଼ାର ବୋଝ ମୁଣ୍ଡେଇଥିଲା ଗଣିତର ସଂଖ୍ୟା ଲେଖି ନ ପାରିବାରୁ ନିଜ ଜୀବନ ହରାଇଛି।
