କୁଆଖାଇ ବ୍ୟାରେଜ୍ ପାଇଁ ଜମି ଅଡ଼ୁଆ
କୁଆଖାଇ ବ୍ୟାରେଜ୍ ପାଇଁ ଜମି ଅଡ଼ୁଆ…
- କୁଆଖାଇ ବ୍ୟାରେଜ୍କାମ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।
- ଜମି ଅଧିଗ୍ରହଣ ବିବାଦ ଓ ବିଳମ୍ବ କାରଣରୁ ଏହି ପ୍ରକଳ୍ପ ଆଗେଇ ପାରୁନି।
- ୪ ମାସ ହେଲାଣି ଏହି ବିବାଦ ଉଗ୍ରରୂପ….
ଭୁବନେଶ୍ୱର ୩୦-୦୧-୨୦୨୬(ଏସ .ଏମ ) : କୁଆଖାଇ ବ୍ୟାରେଜ୍କାମ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଜମି ଅଧିଗ୍ରହଣ ବିବାଦ ଓ ବିଳମ୍ବ କାରଣରୁ ଏହି ପ୍ରକଳ୍ପ ଆଗେଇ ପାରୁନି। ୪ ମାସ ହେଲାଣି ଏହି ବିବାଦ ଉଗ୍ରରୂପ ନେଇଛି। ଏଣୁ ପ୍ରକଳ୍ପ ସମୟ ଭିତରେ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି। ଯେହେତୁ କୁଆଖାଇ ପ୍ରକଳ୍ପ ଉପରେ କୁଶଭଦ୍ରା ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ କରୁଛି, ଯଦି କୁଆଖାଇ ପ୍ରକଳ୍ପ ଅଟକି ଯାଏ, କୁଶଭଦ୍ରା ପ୍ରକଳ୍ପ ବି ଅଟକିଯିବ। ସେପଟେ ଜମିକୁ ନିଜର ବୋଲି ଦାବି କରୁଥିବା କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ଏହି ପ୍ରକଳ୍ପ ସ୍ଥଳକୁ ମାଲ ପରିବହନ ପାଇଁ ନିର୍ମିତ ରାସ୍ତାକୁ ଖୋଳି ଦେଇଛନ୍ତି। ଦୁଇ ଦୁଇଟି ଜାଗାରେ ରାସ୍ତାକୁ କାଟି ଦିଆଯାଇଛି। ଏଣୁ ପ୍ରକଳ୍ପ ସ୍ଥଳକୁ ମାଲ ପରିବହନରେ ଅସୁବିଧା ଉପୁଜିଛି। ୨୦୨୪ ଜାନୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ରିଭରଫ୍ରଣ୍ଟ ଯୋଜନାରେ ଖୋର୍ଦ୍ଧା, ପୁରୀ ସମେତ ୧୩ଟି ଜିଲ୍ଲା ପାଇଁ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ(ଇନ୍ଷ୍ଟ୍ରିମ୍ଷ୍ଟୋରେଜ ପ୍ରୋଜେକ୍ଟ)ର ଭିତ୍ତିପ୍ରସ୍ତର ପକାଇଥିଲେ। କୁଆଖାଇ ଇନ୍ଷ୍ଟ୍ରିମ୍ଷ୍ଟୋରେଜ୍ପ୍ରକଳ୍ପ ଓ କୁଶଭଦ୍ରା ଇନ୍ଷ୍ଟ୍ରିମ୍ଷ୍ଟୋରେଜ ପ୍ରକଳ୍ପ ଏହା ଅନ୍ତର୍ଭୁକ୍ତ ଥିଲା। ଜଳସଂପଦ ବିଭାଗ ପ୍ରାଚୀ ଡିଭିଜନ୍ଅଧୀନ ଏହି ଦୁଇ ପ୍ରକଳ୍ପ ପାଇଁ ୨୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରୁ କେବଳ କୁଆଖାଇ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ଖର୍ଚ୍ଚ ହେବ। କୁଆଖାଇ ବ୍ୟାରେଜ୍ର ଲମ୍ବ ୧୯୨ ମିଟର ଓ କୁଶଭଦ୍ରା ବ୍ୟାରେଜ୍ର ଲମ୍ବ ୧୪୧ ମିଟର। ଏହି ପ୍ରକଳ୍ପ କାମର ନିର୍ବାହୀ ଏଜେନ୍ସି ଓଡ଼ିଶା କନ୍ଷ୍ଟ୍ରକ୍ସନ୍କର୍ପୋରେସନ୍ହୋଇଥିବା ବେଳେ ଡିଡି ବିଲ୍ଡର୍ସ ଲିମିଟେଡ୍କାମର କାର୍ଯ୍ୟାଦେଶ ପାଇଛି।
ଯେହେତୁ ଭୁବନେଶ୍ବରରେ ଜଳସଂକଟ ବଢ଼ିଚାଲିଛି, ଏହି ସଂକଟର ଦୀର୍ଘସ୍ଥାୟୀ ସମାଧାନ ପାଇଁ କୁଆଖାଇ ଇନ୍ଷ୍ଟ୍ରିମ୍ଷ୍ଟୋରେଜ୍ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା ବର୍ଷା ଜଳକୁ ସଂରକ୍ଷଣ କରି ରଖିବା ଏବଂ ଭୂତଳ ଜଳସ୍ତର ବୃଦ୍ଧି କରିବା। ଚାଷଜମିକୁ ଜଳସେଚିତ କରିବା। ସଂରକ୍ଷିତ ଜଳସ୍ଥଳକୁ ଆଇଲାଣ୍ଡ ଭଳି ସଜେଇ ବୋଟିଂ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କରି ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତ କରିବା। ଉଭୟ କୁଆଖାଇ ଓ କୁଶଭଦ୍ରାର ଏଭଳି ବ୍ୟାରେଜ୍କରି ଐତିହାସିକ ପ୍ରାଚୀ ନଦୀକୁ ପୁନଃଜୀବଦାନ ଦେବା ଏହାର ଉଦ୍ଦେଶ୍ୟ ଥିଲା। ପ୍ରକଳ୍ପର ଭିତ୍ତିପ୍ରସ୍ତର ବେଳେ ୨ ବର୍ଷରେ କାମ ସରିବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଲାଣି, କିନ୍ତୁ ପ୍ରକଳ୍ପ କାମ ଅଧା ବି ସରିନି। ଜମି ବିବାଦରୁ ବ୍ୟାରେଜ୍ଅଧାଗଢ଼ା ଅବସ୍ଥାରେ ପଡ଼ିଛି। ଜଳସଂପଦ ବିଭାଗ ପ୍ରାଚୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରଘୁନାଥ ସ୍ବାଇଁ କହିଛନ୍ତି, ପ୍ରକଳ୍ପର ନକ୍ସା ପ୍ରସ୍ତୁତି ବେଳେ କିଛି ବେସରକାରୀ ଜମି ଅଧିଗ୍ରହଣ କରାଯିବ। ବ୍ୟକ୍ତିଗତ ମାଲିକାନାରେ ଥିବା ସେହି ଜମି ଛାଡ଼ିବାକୁ ସମ୍ପୃକ୍ତ ଜମିମାଲିମାନେ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେମାନେ ଜମି ଦେବାକୁ ଅରାଜି ହେଉଛନ୍ତି। ଜମି ମୂଲ୍ୟ ବଢ଼ି ଯାଇଥିବା ଆଳ କରି ପ୍ରକଳ୍ପରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଯେଉଁଥିପାଇଁ ପ୍ରକଳ୍ପ କାମ ଆଗେଇ ପାରୁନି। ତଥାପି ଜମି ଅଧିଗ୍ରହଣ କରି ପ୍ରକଳ୍ପ କାମ ସାରିବୁ। ୨୦୨୭ ମସିହା ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଇଂ. ସ୍ବାଇଁ କହିଛନ୍ତି।
