ରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଶ୍ରୀମନ୍ଦିରରେ ମାସେ ପଶି ପାରିବେନି ରାମକୃଷ୍ଣ ଦାସମହାପାତ୍ର

ଶ୍ରୀମନ୍ଦିରରେ ମାସେ ପଶି ପାରିବେନି ରାମକୃଷ୍ଣ ଦାସମହାପାତ୍ର

  • ମହାପ୍ରଭୁଙ୍କ ସେବାରୁ ବାସନ୍ଦ
  • କେବଳ ଭୁଆଁ ବୁଲାଇବାକୁ ନିଲମ୍ବନ
  • ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ନୋଟିସ୍‌ ଜାରି କରିଛନ୍ତି

ପୁରୀ/ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) : ରିଷ୍ଠ ଦଇତାପତି ସେବକ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର (ଟିକିପୁଅ)ଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ପାଇଁ ନିଲମ୍ବିତ କରାଯାଇଛି। ଏ ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ନୋଟିସ୍‌ ଜାରି କରିଛନ୍ତି। ନିଲମ୍ବନ ଅବଧିରେ ଟିକିପୁଅ କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ଦୀଘା ମନ୍ଦିର ପ୍ରସଙ୍ଗରେ ଶ୍ରୀମନ୍ଦିରର ମର୍ଯ୍ୟାଦା କ୍ଷୁଣ୍ଣ ହେବା ଅଭିଯୋଗରେ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।

ନିଲମ୍ବନ ଆଦେଶରେ ସ୍ପଷ୍ଟ କରାଯାଇଛି ଯେ ନିଲମ୍ବନ ଅବଧି ସମୟରେ ଦଇତାପତି, ଅନ୍ୟ ନିଯୋଗର କୌଣସି ସେବକ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କରିପାରିବେନି। ଧମକଚମକ ଦେଇ ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ ନିଲମ୍ବନ ଅବଧିକୁ ବଢ଼ାଯାଇ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ସମୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର୍‌ ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ନଜର ରଖିବେ। ନିୟମିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଶ୍ରୀମନ୍ଦିରରେ ମାସେ ପଶି ପାରିବେନି
ଶ୍ରୀମନ୍ଦିରର ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ
‘କେବଳ ଭୁଆଁ ବୁଲାଇବାକୁ ନିଲମ୍ବନ’

ନିଲମ୍ବନ ସମୟ ବା ପରବର୍ତ୍ତୀ ସମୟରେ ଶ୍ରୀ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ, ପାଉଣା, ପୁରସ୍କାର ରଦ୍ଦ କରାଯିବ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶ୍ରୀ ଦାସମହାପାତ୍ର ଯୋଗ ଦେଇଥିଲେ। ସେଠାରେ ‘ଜଗନ୍ନାଥଧାମ-ଦୀଘା’ ଲେଖା ଯାଇଥିଲା। ପୁରୀ ହିଁ ଜଗନ୍ନାଥ ଧାମ ହୋଇଥିବାରୁ ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଥିଲା। ଉଦ୍ୟୋକ୍ତାମାନଙ୍କ ନିକଟରେ ଟିକିପୁଅ କାହିଁକି ଏହାର ପ୍ରତିବାଦ କରିନଥିଲେ ସେ ନେଇ ଗତ ୩ ତାରିଖରେ ତାଙ୍କୁ କୈଫିୟତ୍‌ ତଲବ କରିଥିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା। ହେଲେ ସେ ଉତ୍ତର ନ ରଖିବାରୁ ୯ ତାରିଖରେ ଆଉ ଏକ କୈଫିୟତ୍‌ ତଲବ କରାଯାଇଥିଲା। ବିଭିନ୍ନ ନିଯୋଗମାନଙ୍କୁ ଏହି ପ୍ରସଙ୍ଗରେ ମତ ରଖିବାକୁ କୁହାଯାଇଥିଲା। ଅଧିକାଂଶ ନିଯୋଗ ତାଙ୍କୁ ନିଲମ୍ବନ କରିବାକୁ ମତ ରଖିଥିଲେ।

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗର୍ବ ଓ ଅହଙ୍କାର ବିବର୍ଜିତ ହୋଇ ଶ୍ରୀମନ୍ଦିର ପରମ୍ପରା, ଗରିମା ତଥା ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଆମର କର୍ତ୍ତବ୍ୟ। ଆଗାମୀ ଦିନରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅନ୍ୟମାନଙ୍କ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଉଦାହରଣ ହେବ। ଅନ୍ୟପଟେ ଏବେ ଦଇତାମାନଙ୍କର କୌଣସି ସେବା ନାହିଁ। ୧୦ ତାରିଖରେ ସ୍ନାନପୂର୍ଣ୍ଣିମା ପୂର୍ବରୁ ୯ ତାରିଖରେ ଦଇତା ପ୍ରବେଶ ରହିଛି। ଠିକ୍‌ ସ୍ନାନପୂର୍ଣ୍ଣିମା ଦିନ ହିଁ ଏହି ନିଲମ୍ବନ ଆଦେଶକୁ ମାସେ ପୂରିବ। ସେହିଦିନ ନିଲମ୍ବନ ଉଠିବା ପରେ ସେ ରଥଯାତ୍ରାରେ ସାମିଲ ହେବେ। ଏହି ନିଲମ୍ବନ କେବଳ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ତେବେ ଶ୍ରୀମନ୍ଦିରରେ ପ୍ରବେଶ କରି ନପାରିବା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଅଧିକାଂଶ ସେବାୟତ ମତ ରଖିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *