ରାଜ୍ୟ

ସମାଧିପୀଠରେ ସ୍ବାଭିମାନ ଦିବସ

ସମାଧିପୀଠରେ ସ୍ବାଭିମାନ ଦିବସ

 ‘ମଧୁବାବୁ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର ଅନ୍ୟତମ ପ୍ରତୀକ’

କଟକ ୨୯.୦୪.୨୦୨୫(ଏସ .ଏମ ) :  ବୀରତ୍ବ, ବଳିଦାନ ଓ ସ୍ବାଭିମାନ କେବେ ବୃଥା ଯାଏ ନାହିଁ। ମଧୁ ବାବୁଙ୍କ ଜୟନ୍ତୀ ବହୁ ବର୍ଷ ଧରି ପାଳନ କରାଯାଉ ନଥିଲା। ଓଡ଼ିଆ ଜାତିର ଜନସ୍ମୃତିରୁ ଉତ୍କଳ ଗୌରବ ମଧୁସୂଦନ ଦାସ ବହୁ ଦିନ ଧରି ହଜି ଯାଇଥିଲେ। ମାତ୍ର ସମୟ ଆସିଲା ଯେତେବେଳେ ମଧୁବାବୁଙ୍କ ବଳିଦାନ ଓ ସ୍ବାଭିମାନକୁ ସ୍ବୀକୃତି ମିଳିଲା। ‘ସମ୍ବାଦ-ଆମ ଓଡ଼ିଶା’ ଜଣେ ବଳିଷ୍ଠ ସ୍ବାଭିମାନୀ ତଥା ଏ ଜାତିର ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରିବା ଦିଗରେ ଉଦ୍ୟମ ଆରମ୍ଭ କରି ଏହାକୁ ଏକ ରାଜ୍ୟସ୍ତରୀୟ ଉତ୍ସବରେ ପରିଣତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି ତୁଳସୀପୁର ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧିପୀଠରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ମଧୁ ଜୟନ୍ତୀ ‘ସ୍ବାଭିମାନ ଦିବସ‌’‌ ସମାରେହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗୋଟିଏ ଜାତିର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ଦ୍ବାରା ତାର ଗୌରବ ଓ ସମ୍ମାନକୁ ଆକଳନ କରାଯାଇ ପାରିବ ନାହିଁ। ଯେଉଁ ଜାତିର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଯେତେ ଉନ୍ନତ ସେ ସେତେ ଅଧିକ ସମ୍ମାନ ଓ ଗୌରବ ପାଇଥାଏ। ଓଡ଼ିଆ ଭାଷା ଉପରେ ଅତୀତରେ ବାହ୍ୟ ଶକ୍ତି ଦ୍ବାରା ଆକ୍ରମଣ କରାଯାଇଥିଲା। ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କୁହାଗଲା। ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାକୁ ଏକ ଭାଷା ଭିତ୍ତିକ ପ୍ରଦେଶ ଗଠନ କରିବା ପାଇଁ ମଧୁବାବୁ ଯେଉଁ ବଳିଦାନ ଦେଇଥିଲେ ତାହାକୁ ଏ ଜାତି ସବୁ ଦିନ ପାଇଁ ମନେ ରଖିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି କଟକ ମେୟର ସୁବାସ ସିଂହ କହିଥିଲେ ଯେ ମଧୁ ଜୟନ୍ତୀ ପାଳନ କରି ଉତ୍କଳ ଗୌରବଙ୍କୁ ଉପଯୁକ୍ତ ସମ୍ମାନ ଦେବା ପ୍ରଶଂସନୀୟ। ୧୯୩୬ରେ ଭାଷାକୁ ନେଇ ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ୟମ କରିଥିଲେ। ତାଙ୍କୁ ଅନୁକରଣ କରି ଦେଶ ସ୍ବାଧୀନ ହେବାପରେ ଭା‌ଷାକୁ ନେଇ ଅନ୍ୟ ରାଜ୍ୟଗୁଡ଼ିକ ଗଠନ କରାଯାଇଛି। ମଧୁ ବାବୁ ଓଡ଼ିଆ ଜାତି ଓ ଭବିଷ୍ୟତ ପିଢ଼ିର ପ୍ରତୀକ ବୋଲି ମେୟର ଶ୍ରୀ ସିଂହ କହିଥିଲେ। ‘ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ  ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଆଜି ସାରା ଓଡ଼ିଶା ଗର୍ବ କରୁଛି। ମଧୁବାବୁ ଆମ ଅସ୍ମିତାର ଅନ୍ୟତମ ପ୍ରତୀକ।ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରତୀକ ଶ୍ରୀ ଜଗନ୍ନାଥ ହୋଇଥିବା ବେଳେ ଦ୍ବିତୀୟରେ ମଧୁ ବାବୁ ରହିବେ। ଓଡ଼ିଶା ବାହାରକୁ ଗଲେ ଆମ ରାଜ୍ୟ କେତେ ସୁନ୍ଦର ତାହା ଜଣାପାଡ଼େ। ଏଠି କେହି କାହାରି ଜାତି ବିଷୟରେ ପଚାରନ୍ତି ନାହିଁ କି ଧର୍ମ ପଚାରି ଗୁଳି କରନ୍ତି ନାହିଁ। କଟକର ଭାଇଚାରା ପରମ୍ପରା, ଖୋର୍ଦ୍ଧାର କାଇପାଦର, ବାଲେଶ୍ବରର ଭୁଜାଖିଆ ପୀରଙ୍କୁ ଦେଖିଲେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ପରିଚୟ ମିଳିଯିବ। ମଧୁବାବୁ ବାଧ୍ୟ ବାଧକତାରେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରି ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଯେତେ‌ବେଳେ ବିପଦ ଆସିଥିଲା, ସେ ଏ ଜାତିର ପ୍ରତୀକଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମଧୁ ବାବୁଙ୍କ ସମାଧିପୀଠର ରୂପାନ୍ତରଣରେ କଟକ ମେୟର ସୁବାସ ସିଂହଙ୍କ ଅବଦାନକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ।‘ଆମ ଓଡ଼ିଶା’ର ସଂପାଦକ ଅରବିନ୍ଦ ଦାସ ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଧୁବାବୁଙ୍କ ସମାଧିପୀଠରେ ୨୦ ବର୍ଷେ ତଳେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର କଳେବର ଓ ଆଦୃତି କିଭଳି ବ୍ୟାପକ ହେବାରେ ଲାଗିଛି, ସେ ସଂପର୍କରେ ବର୍ଣ୍ଣନା କରିଥିଲେ। କଟକ ‘ସମ୍ବାଦ’ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କଟକର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *