ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
ଭୁବନେଶ୍ୱର ୧୭-୦୪-୨୦୨୫(ଏସ.ଏମ ) :(ବିଜୟ କୁମାର ପଣ୍ଡା ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ସମ୍ପନ୍ନ ହୋଇଛି। ବିଜେଡି ପକ୍ଷରୁ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ଦଳର ପ୍ରମୁଖ ନେତା, ଦଳୀୟକର୍ମୀଙ୍କ ସମେତ ସାଧାରଣ ଲୋକେ ସାମିଲ ହୋଇଥିଲେ।ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ତଥା ଦଳୀୟକର୍ମୀ ଓ ଲୋକେ ରୀତିନୀତି ଅନୁଯାୟୀ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି।ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, ନାରୀ ସଶକ୍ତିକରଣ ସହ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ।
ଏକ୍ସ ରେ ଟୁଇଟ କରିଛନ୍ତି ନବୀନ ପଟ୍ଟନାୟକ
Naveen Patnaik
@Naveen_Odisha
ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।
ସୂଚନାଯୋଗ୍ୟ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୫ ମାର୍ଚ୍ଚ ୧୯୧୬ରେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ବ୍ରହ୍ମପୁରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠାର ଘୁମୁସର ନୂଆଗାମରେ ରହୁଥିଲେ । ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅଧୀନରେ ପାରଳାଖେମୁଣ୍ଡି ଇଷ୍ଟେଟର ଦିୱାନ ଥିଲେ । ବିଜୁ ପଟ୍ଟନାୟକ ଓଡ଼ିଶାର ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିଲେ କିନ୍ତୁ ବିମାନ ଚଳାଚଳରେ ଆଗ୍ରହ ଯୋଗୁ ସେ ଶିକ୍ଷା ଛାଡି ପାଇଲଟ୍ ଭାବରେ ତାଲିମ ନେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ୍ ଇଣ୍ଡିଆନ୍ ଏୟାର ଫୋର୍ସରେ ଯୋଗ ଦେଇଥିଲେ ।ସେ ୧୯୬୧ ରୁ ୧୯୬୩ ଏବଂ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୯ ରୁ ୧୯୮୦ ଏବଂ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ୧୪ତମ ଇସ୍ପାତ ଓ ଖଣି ଏବଂ ପ୍ରଥମ କୋଇଲା କେନ୍ଦ୍ର ମନ୍ତ୍ରୀ ଥିଲେ। ୧୯୭୭ ରୁ ୧୯୮୫ ପର୍ଯ୍ୟନ୍ତ ସେ କେନ୍ଦ୍ରାପଡ଼ାରୁ ଲୋକସଭା ସଦସ୍ୟ ଥିଲେ। ୧୯୯୭ ଏପ୍ରିଲ୍ ୧୭ରେ ସେ ଦିଲ୍ଲୀଠାରେ ଇହଧାମ ତ୍ୟାଗ କରିଥିଲେ।
ଏକ୍ସ ରେ ଟୁଇଟ କରିଛନ୍ତି ମୋହନ ଚରଣ ମାଝୀ
Mohan Charan Majhi
@MohanMOdisha
ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, ନାରୀ ସଶକ୍ତିକରଣ ସହ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ।
