ରାଜ୍ୟରେ ଏଲ୍ପିଜି ଅଭାବ ନାହିଁ: ପେଟ୍ରୋଲ, ଡିଜେଲ ବି ପର୍ଯ୍ୟାପ୍ତ ମାତ୍ରାରେ ରହିଛି
ରାଜ୍ୟରେ ଏଲ୍ପିଜି ଅଭାବ ନାହିଁ: ପେଟ୍ରୋଲ, ଡିଜେଲ ବି ପର୍ଯ୍ୟାପ୍ତ ମାତ୍ରାରେ ରହିଛି
ସହରାଞ୍ଚଳରେ ୨୫ ଦିନରେ ଏବଂ ଗ୍ରାମାଞ୍ଚଳରେ ୪୫ ଦିନରେ ଏଲ୍ପିଜି ବୁକିଂ ସୁବିଧା ମିଳୁଛି। ବୁକିଂର ହାରାହାରି ୪ରୁ ୫ ଦିନ ମଧ୍ୟରେ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଉଛି। କେଉଁଠି ଦିନକରେ ମିଳିଯାଉଛି ତ ଆଉ କେଉଁଠି ୭/୮ ଦିନ ଲାଗୁଛି।
ଭୁବନେଶ୍ୱର ୦୬-୦୪-୨୦୨୬ (ଏସ.ଏମ ) : ରାଜ୍ୟରେ ସଂପ୍ରତି ପର୍ଯ୍ୟାପ୍ତ ମାତ୍ରାରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି ମହଜୁଦ ରହିଛି। ବଟଲିଂ ପ୍ଲାଟ୍ଗୁଡ଼ିକ ମଧ୍ୟ ଠିକ୍ରେ କାର୍ଯ୍ୟ କରୁଛନ୍ତି। ଏଜେନ୍ସିଗୁଡ଼ିକୁ କମ୍ପାନିଗୁଡ଼ିକ ଗ୍ୟାସ୍ ଯୋଗାଇ ଦେଉଛନ୍ତି। ପୂର୍ବରୁ ଗ୍ରାହକମାନେ ଯେଭଳି ଛାନିଆଁ ହୋଇ କିମ୍ବା ଅଧିକ ମହଜୁଦ ରଖିବା ଲାଗି ଗ୍ୟାସ୍ ବୁକିଂ କରୁଥିଲେ ତାହା କମିଯାଇଛି। ସବୁକିଛି ସ୍ବାଭାବିକ ହେଲାଣି। ସହରାଞ୍ଚଳରେ ୨୫ ଦିନରେ ଏବଂ ଗ୍ରାମାଞ୍ଚଳରେ ୪୫ ଦିନରେ ଏଲ୍ପିଜି ବୁକିଂ ସୁବିଧା ମିଳୁଛି। ବୁକିଂର ହାରାହାରି ୪ରୁ ୫ ଦିନ ମଧ୍ୟରେ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଉଛି। କେଉଁଠି ଦିନକରେ ମିଳିଯାଉଛି ତ ଆଉ କେଉଁଠି ୭/୮ ଦିନ ଲାଗୁଛି। ତେଣୁ ହାରାହାରି ୪ରୁ ୫ ଦିନରେ ଲୋକଙ୍କୁ ଗ୍ୟାସ୍ ମିଳିଯାଉଛି ବୋଲି ଭାରତୀୟ ତୈଳ ନିଗମ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଓଡ଼ିଶାରେ ବାର୍ଷିକ ୨୪ ହଜାର ଟନ୍ ଏଲ୍ପିଜି ବ୍ୟବହାର ହେଉଛି। ଦୈନିକ ୧.୩ ଲକ୍ଷରୁ ୧.୪ ଲକ୍ଷ ଗ୍ୟାସ୍ ସିଲିଣ୍ଡର ଲୋକଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ରାଜ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ବାଣିଜ୍ୟିକ ଏଲ୍ପିଜି ଯୋଗାଇ ଦିଆଯାଉଛି। ସରକାରଙ୍କ ଦ୍ବାରା ସ୍ଥିରୀକୃତ ଅଗ୍ରାଧିକାର କ୍ଷେତ୍ରକୁ ଏହା ପ୍ରଦାନ କରାଯାଉଛି। ସରକାର ଓ ବିଭିନ୍ନ ସଂଘ ସହ ନିୟମିତ ଆଲୋଚନା କରାଯାଇ ଏଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ସିଲ୍ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୫୬୧୧୮ ଲୋକଙ୍କ ଘରେ ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି। ୫ଟି କମ୍ପାନି ଯଥା ଗେଲ୍, ବିପିସିଏଲ୍, ଗେଲ୍ ଗ୍ୟାସ୍, ମେଘା ଗ୍ୟାସ ଏବଂ ଆଦାନୀ ଗ୍ୟାସ୍ ଏହା ଯୋଗାଇ ଦେଉଛନ୍ତି। କଟକ ଓ ଭୁବନେଶ୍ବରରେ ଗେଲ୍ ପ୍ରାୟ ୩୭ ହଜାର ଘରେ ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଇ ଦେଉଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅବଶିଷ୍ଟ ୧୯ ହଜାର ଗ୍ରାହକଙ୍କୁ ପାଇପ୍ ଜରିଆରେ ଅନ୍ୟ ୪ କମ୍ପାନି ଗ୍ୟାସ ଯୋଗାଇ ଦେଉଛନ୍ତି। କଟକ ଓ ଭୁବନେଶ୍ବରରେ ଦୈନିକ ୧୦୦ରୁ ୧୫୦ ଗ୍ରାହକ ମଧ୍ୟ ପାଇପ୍ ଜରିଆରେ ଗ୍ୟାସ ସଂଯୋଗ ନେଉଛନ୍ତି। ପାଇପ୍ ଯୋଗେ ଗ୍ୟାସ ବ୍ୟବହାର ଅଧିକ ନିରାପଦ। ଏଥିସହିତ ଏହାର ମୂଲ୍ୟ ଏଲ୍ପିଜି ତୁଳନାରେ କମ୍ ରହୁଥିବାରୁ ସରକାର ଏହି ଗ୍ୟାସ୍ ସଂଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ସିଲ୍ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଇଓସିଏଲ୍ ସମେତ ବିପିସିଏଲ୍, ଏଚ୍ପିସିଏଲ୍ ଏବଂ ଗେଲ୍ ଆଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
