ବଜାରକୁ ଆସିଲା ଗିୟରଯୁକ୍ତ ବିଶ୍ଵର ପ୍ରଥମ ଇଲେକ୍ଟ୍ରିକ ବାଇକ୍
ବଜାରକୁ ଆସିଲା ଗିୟରଯୁକ୍ତ ବିଶ୍ଵର ପ୍ରଥମ ଇଲେକ୍ଟ୍ରିକ ବାଇକ୍
ବାଙ୍ଗାଲୁର /ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) : ବଜାରକୁ ଆସିଛି ଗିୟରଯୁକ୍ତ ବିଶ୍ଵର ପ୍ରଥମ ଇଲେକ୍ଟ୍ରିକ ବାଇକ। ଅହମ୍ମଦାବାଦର ମ୍ୟାଟର ମୋଟର୍ସ କମ୍ପାନୀ ପକ୍ଷରୁ ବେଙ୍ଗାଲୁରୁରେ ଏହି ବାଇକ୍କୁ ଲଞ୍ଚ କରାଯାଇଛି। ଏହାର ନାଁ ରହିଛି ‘ମ୍ୟାଟର ଏରା’। ସାଧାରଣତଃ ଇଲେକ୍ଟ୍ରିକ ଯାନରେ ଗିୟରବକ୍ସ ଦେଖିବାକୁ ମିଳେନାହିଁ। ଆସିଲରେଟର ଦ୍ଵାରା ଗାଡ଼ି ଗତିଶୀଳ ହୋଇଥାଏ। କିନ୍ତୁ ଏହି ବାଇକରେ ପ୍ରଥମ ଥର ଲାଗି ଗିୟରବକ୍ସ ରଖାଯାଇଛି।ଏହି ବାଇକର ଏକ୍ସ ଶୋ’ରୁମ ମୂଲ୍ୟ ୧ ଲକ୍ଷ ୮୮ ହଜାର ଟଙ୍କା ରଖାଯାଇଛି। କିନ୍ତୁ ପ୍ରଥମ ୫୦୦ ଗ୍ରାହକ ୧ ଲକ୍ଷ ୭୪ ହଜାର ଟଙ୍କାରେ ଏହାକୁ କିଣିପାରିବେ। ଏହାବ୍ୟତୀତ କମ୍ପାନୀ ନୂତନ ଗ୍ରାହକଙ୍କୁ ଗାଡ଼ିର ବ୍ୟାଟେରି ପାଇଁ ମାଗଣା ଲାଇଫଟାଇମ ଓ୍ବାରେଣ୍ଟି ପ୍ରଦାନ କରୁଛି।ଏହି ଇଲେକ୍ଟ୍ରିକ ବାଇକରେ ୧୦ କିଲୋଓ୍ବାଟ୍ର ମୋଟର ବ୍ୟବହୃତ ହୋଇଛି। ଗାଡ଼ିରେ ୪ଟି ଗିୟର ରହିଛି। ଇନବିଲ୍ଟ ଆକ୍ଟିଭ କୁଲିଂ ସିଷ୍ଟମ ସହିତ ଗତିଶୀଳତା ପାଇଁ ଭିନ୍ନ ଭିନ୍ନ ରାଇଡିଂ ମୋଡ ରହିଛି। ଯେପରିକି ଇକୋ, ସିଟି ଏବଂ ସ୍ପୋର୍ଟ ମୋଡ ସାମିଲ ଅଛି। ଗାଡ଼ିର ପିକ୍ଅପ ମଧ୍ୟ ବହୁତ ଭଲ ରହିଛି। କମ୍ପାନୀର ଦାବି ଅନୁସାରେ ଏହି ବାଇକ ୨.୮ ସେକେଣ୍ଟରେ ଶୂନରୁ ଘଣ୍ଟାପ୍ରତି ୪୦ କି.ମି. ବେଗ ପର୍ଯ୍ୟନ୍ତ ଗତି କରିପାରିବ। ଗାଡ଼ିରେ ୫ କିଲୋଓ୍ବାଟ ବିଶିଷ୍ଟ ଶକ୍ତିଶାଳୀ ବ୍ୟାଟେରି ରହିଛି। ଯାହା ଗୋଟିଏ ଚାର୍ଜରେ ୧୭୨ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ବ୍ୟାଟେରି ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହେବା ଲାଗି ୫ ଘଣ୍ଟା ସମୟ ନେବ। ଫାଷ୍ଟ ଚାର୍ଜିଂରେ ମାତ୍ର ଦେଢ଼ ଘଣ୍ଟା ସମୟ ଲାଗିବ।