Businessବାଣିଜ୍ୟରାଜନୀତିରାଜ୍ୟସାହିତ୍ୟ

ବଜାରରେ ବିକୃତ ‘ବର୍ଣ୍ଣ‌ବୋଧ’

ବଜାରରେ ବିକୃତ ‘ବର୍ଣ୍ଣ‌ବୋଧ’

ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା

ପୂର୍ବରୁ ଥିଲା

କଟକ ୨୦.୦୪.୨୦୨୫ (ଏସ .ଏମ ) :(ବିଜୟ କୁମାର ପଣ୍ଡା )  ଧୁସୂଦନ ରାଓଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’ ବହିକୁ ବିକୃତ କରି କେତେକ ପ୍ରକାଶନୀ ସଂସ୍ଥା ତାହାକୁ ବଜାରରେ ବିକ୍ରି କରିବା ଘଟଣା ଭାଷା ସାହିତ୍ୟ ପ୍ରେମୀଙ୍କୁ ବ୍ୟଥିତ କରିଛି। ଓଡ଼ିଆ ଅସ୍ମିତାର ଉତ୍‌ଥାନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭକ୍ତିକବି ମଧୁସୂଦନ ରାଓଙ୍କ ଦ୍ବାରା ରଚିତ ‘ବର୍ଣ୍ଣବୋଧ’ ବହିକୁ ବିକୃତ କରି ତାଙ୍କ ନାମରେ ପ୍ରକାଶ କରାଯିବା ଘଟଣାରେ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ୧୦ ବର୍ଷ ପୂର୍ବେ ବିକୃତ ‘ବର୍ଣ୍ଣବୋଧ’ ପ୍ରକାଶନକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଛପା ଯାଇଥିବା ସମସ୍ତ ପୁସ୍ତକକୁ ହଟାଯାଇ ପୁଣି ନୂଆ ପୁସ୍ତକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଥିଲା। ସେହି ‘ବର୍ଣ୍ଣବୋଧ’ ବହିକୁ ଏବେ ସରକାରଙ୍କ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବା ସହିତ ସରକାରଙ୍କ ପକ୍ଷରୁ ‘ବର୍ଣ୍ଣବୋଧ’ ଦିବସ ପାଳନ କରାଯାଉଛି। କିନ୍ତୁ ଏପଟେ ଦୁଇ/ତିନିଟି ପ୍ରକାଶନୀ ସଂସ୍ଥା ଅବିକଳ ମଧୁସୂଦନ ରାଓଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’ ବହି ଛାପି ସେଥିରେ ପଣକିଆ, ଜାତୀୟ ସଂଗୀତ, ଅନ୍ୟ ଗୀତ ଯୋଡ଼ି ବଜାରକୁ ବିକ୍ରି ପାଇଁ ଛାଡ଼ିଛନ୍ତି। ଫଳରେ ମୂଳ ‘ବର୍ଣ୍ଣବୋଧ’କୁ ନେଇ ପୁଣି ଥରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୧୮୯୫ରେ ମଧୁସୂଦନ ରାଓଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’ ଇଂଲଣ୍ଡରୁ ଛପା ହୋଇ ଓଡ଼ିଶାକୁ ବିକ୍ରି ପାଇଁ ଆସୁଥିଲା। ପରବର୍ତ୍ତୀ ସମୟରେ ‌ଏହା କୋଲକାତାରୁ ଛପାଗଲା। ତେବେ ବଜାରରେ ‘ବର୍ଣ୍ଣବୋଧ’ ଉପଲବ୍ଧ ନ ହେବାରୁ ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ପକ୍ଷରୁ ଦେବବ୍ରତ କରଙ୍କ ସଙ୍କଳନରେ ଛବିଳ ମଧୁ ‘ବର୍ଣ୍ଣବୋଧ’ ଛପାଗଲା। କିନ୍ତୁ ଭକ୍ତିକବି ମଧୁସୂଦନ ରାଓଙ୍କ ପ୍ରଣୀତ ଅବିକଳ ‘ବର୍ଣ୍ଣବୋଧ’ ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଙ୍କଳନ ଓ ସଂପାଦନାରେ ୨୦୧୩ରେ ପ୍ରକାଶ ପାଇଲା। ୨୦୨୫ରେ ବି ଏହାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। କିନ୍ତୁ ଏଭଳି ସ୍ଥିତିରେ ବିକୃତ ‘ବର୍ଣ୍ଣବୋଧ’ ପ୍ରସ୍ତୁତି ପୁଣି ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଏ ସଂପର୍କରେ ଭକ୍ତକବି ମଧୁସୂଦନ ରାଓଙ୍କ ଅଣନାତୁଣୀ ସୁସାହିତ୍ୟିକା ସୁସ୍ମିତା ରଥ କହିଛନ୍ତି, ଭକ୍ତକବି ମଧୁସୂଦନ ରାଓ ଛୋଟ ପିଲାଙ୍କୁ ଓଡ଼ିଆ ଭାଷା ସହିତ ପରିଚିତ କରିବା ପାଇଁ ‘ବର୍ଣ୍ଣବୋଧ’ ରଚନା କରିଥିଲେ।ଏଥିରେ କେବଳ ଓଡ଼ିଆ ବର୍ଣ୍ଣମାଳା ସହ ସମସ୍ତ ଯୁକ୍ତାକ୍ଷର ରହିଥିଲା। କିନ୍ତୁ କିଛି ବର୍ଷ ତଳେ ଓଡ଼ିଶା ସରକାର ‘ବର୍ଣ୍ଣବୋଧ’ ଛାପିଲେ। ସେଥିରେ ଇଂରାଜୀ ଅକ୍ଷର, ପଣକିଆ ଆଦି ରହିଥିବାରୁ ୨୦୧୪ରେ ସ୍ବର୍ଗତ ବୀଣାପାଣି ମହାନ୍ତି ଏହି ପ୍ରକାଶନ ବିରୋଧରେ କୋର୍ଟର ଆଶ୍ରୟ ନେଲେ। ଏହି କେସ୍ ପରେ ୨୦୧୯ରେ ସରକାରଙ୍କ ଦୁଇ ଜଣ ପ୍ରତିନିଧି ଆସି ଆମଠାରୁ ମୂଳ ‘ବର୍ଣ୍ଣବୋଧ’ର ଜେରକ୍ସ କପି ସଂଗ୍ରହ କରି ୨୦୧୯ରେ ମୂଳ ‘ବର୍ଣ୍ଣବୋଧ’ ଛାପିଲେ। କିନ୍ତୁ ତାହାର କପି ଆମକୁ ମିଳିଲା ନାହିଁ। ଏବେ ଦୁଇଟି ସଂସ୍ଥା ବିବେକ୍ ପବ୍ଲିକେସନ୍ ଓ ବୁକ୍‌ମେଟ୍ ପବ୍ଲିକେସନ୍‌ ପୁଣି ‘ବର୍ଣ୍ଣବୋଧ’କୁ ବିକୃତ ଛାପିଛନ୍ତି। ସେମାନେ ଛାପିଥିବା ବହିର ନାମ ‘ବର୍ଣ୍ଣବୋଧ’ ରହିଛି। କିନ୍ତୁ ମୂଳ ‘ବର୍ଣ୍ଣବୋଧ’ରେ ନଥିବା ପଣକିଆ, ଇଂରାଜୀ ବର୍ଣ୍ଣମାଳା ଆଦି ଅନେକ କଥା ଏଥିରେ ରହିଛି। ମୂଳ ‘ବର୍ଣ୍ଣବୋଧ’କୁ ବିକୃତ କରିବା ଓ ଏହାର ନାମ ‘ବର୍ଣ୍ଣବୋଧ’ ଦେବା ଉଚିତ ହୋଇନାହିଁ। ‌‌ସେ‌ମାନେ ଯଦି କିଛି ଛାପିବେ, ତାଙ୍କର ନିଜସ୍ବ ନାମରେ ଛାପନ୍ତୁ ବୋଲି କହିଛନ୍ତି ଶ୍ରୀମତୀ ରଥ। ବିଶିଷ୍ଟ ଭାଷାବିତ ତଥା ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ କହିଛନ୍ତି ଯେ ରାଜ୍ୟ ସରକାର ଛାପିଥିବା ‘ବର୍ଣ୍ଣବୋଧ’କୁ ନେଇ ବିବାଦ ହେବାରୁ ସରକାର ନିଜ ତ୍ରୁଟିକୁ ସୁଧାରି ଠିକ୍‌ କରି ଛାପିଲେ। ଏବେ ପୁଣି କିଛି ସଂସ୍ଥା ‘ବର୍ଣ୍ଣ‌ବୋଧ’କୁ ମନଇଚ୍ଛା ବିକୃତ କରି ପ୍ରକାଶ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ବିଶ୍ବଭାରତୀ ଶାନ୍ତିନିକେତନ ଓଡ଼ିଆ ଭାଷାସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ବୈଷ୍ଣବ ଚରଣ ସାମଲ କହିଛନ୍ତି, ଭକ୍ତକବି ମଧୁସୂଦନ ରାଓଙ୍କ ‘ବର୍ଣ୍ଣ‌ବୋଧ’କୁ ଅନ୍ୟସଂସ୍ଥା ଛାପିବା ଓ ଏଥିରେ ମନଇଚ୍ଛା ଇଂରାଜୀ ଶବ୍ଦ, ସଂଖ୍ୟା ଆଦି ପ୍ରକାଶ କରିବା ଦୁର୍ଭାଗ୍ୟଜନକ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *