ରାଜ୍ୟ

ସୁନ୍ଦରଗଡ଼ ଖଣି ଲୁଟ୍ ର ଆଉ ଏକ ସାଂଘାତିକ ଚିତ୍ର

ସୁନ୍ଦରଗଡ଼ ଖଣି ଲୁଟ୍ ର ଆଉ ଏକ ସାଂଘାତିକ ଚିତ୍ର

ଜାମକାନି ସଂରକ୍ଷିତ ଜଙ୍ଗଲରେ ବହୁ ଖଣି, ଷ୍ଟକୟାର୍ଡ, ଲମ୍ବିଛି ଛତିଶଗଡ଼କୁ ଚୋରା ରାସ୍ତା

ସୁନ୍ଦରଗଡ଼/ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) :  ହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଖଣିଜ କଳେଙ୍କାରୀ ପଦାକୁ ଆସିବା ୧୯ ଦିନ ବିତିଗଲାଣି। ଦିନ ଯେତିକି ଗଡ଼ୁଛି, ଖଣିଜ ଲୁଟ୍ ର ସେତିକି ନୂଆ ନୂଆ ତଥ୍ୟ, ଚୋରା ଠିକଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏବେ ଖଣି କେଳେଙ୍କାରୀ କିପରି ସଂରକ୍ଷିତ ଜଙ୍ଗଲ ଭିତରେ ଲୁଚି ରହିଛି, ତାର କିଛି ସାଂଘାତିକ ଚିତ୍ର ସମ୍ବାଦ ହାତରେ ଲାଗିଛି। ସୁନ୍ଦରଗଡ଼ ବନଖଣ୍ଡ ଗୋପାଳପୁର ବନାଞ୍ଚଳ ରତନସରା ସଂଲଗ୍ନ ଜାମକାନି ସଂରକ୍ଷିତ ଜଙ୍ଗଲ ଭିତରେ ମାଫିଆମାନେ ବହୁ ଖଣି ଖୋଳିବା ସହ ସେଥିରୁ କୋଇଲା ଉତ୍ତୋଳନ କରି ଜଙ୍ଗଲ ଭିତରେ ୨୦ରୁ ଅଧିକ ଷ୍ଟକୟାର୍ଡ କରିଥିବା ଦେଖିବାକୁ ମିଳିଛି। ଅନେକ ଷ୍ଟକୟାର୍ଡରୁ ଶହ ଶହ ଟନ୍‌ କୋଇଲା ଚାଲାଣ ହୋଇସାରିଛି। କେବଳ ସେତିକି ନୁହେଁ, ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା ତିଆରି କରି ମାଫିଆମାନେ ବେଧଡ଼କ କୋଇଲା ପରିବହନ କରିଚାଲିଛନ୍ତି। ରାସ୍ତାଟି ଜଙ୍ଗଲରୁ ଛତିଶଗଡ଼କୁ ଲମ୍ବି ଯାଇଥିବା ସୂଚନା ମିଳିଛି। ଦିନେ କି ମାସେ ନୁହେଁ, ବର୍ଷ ବର୍ଷ ଧରି ଖଣିଜ ଲୁଟ୍‌ ଚାଲିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଡ଼ ବଡ଼ ଖଣି ଖୋଳିବା ସହ ଗଛକାଟି ଷ୍ଟକୟାର୍ଡ କରି ଜଙ୍ଗଲ ମଧ୍ୟରେ ରାସ୍ତା ତିଆରି କରି ସେହି ବାଟରେ ଛତିଶଗଡ଼ ଅଞ୍ଚଳକୁ ନିୟମିତ କୋଇଲା ଚାଲାଣ କରୁଥିବା ଜଣାପଡ଼ିଛି। ତେବେ ପ୍ରଥମ କରି ଖଣିଜ ଲୁଟ୍‌ ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ ବନ ବିଭାଗ ସଂରକ୍ଷିତ ଜଙ୍ଗଲ‌‌ରେ କୌଣସି ବେଆଇନ ଖଣି ଖନନ, କୋଇଲାର ଷ୍ଟକୟାର୍ଡ ନଥିବା କହିଥିଲେ। ଯାହା ଖଣି ଖନନ ଓ କୋଇଲା ଚୋରି କେବଳ ରାଜସ୍ବ ଜଙ୍ଗଲରେ ହେଉଥିବା ପ୍ରକାଶ କରିଥିଲେ। ଏପରିକି ଖୋଦ୍‌ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୁନ୍ଦରଗଡ଼ ଖଣି କେଳେଙ୍କାରୀ ଦେଖିବାକୁ ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବନବିଭାଗର କଥାକୁ ଦୋହରାଇ ସଂରକ୍ଷିତ ଜଙ୍ଗଲରେ ବେଆଇନ ଖଣି ପରିଚାଳନା ହେଉ ନଥିବା କହିଥିଲେ।ଏବେ ଜାମକାନି ଜଙ୍ଗଲରେ ଚାଲିଥିବା ଖଣିଜ ଲୁଟ୍‌ ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ି ଯାଇଛି ବନ ବିଭାଗ। ଏ ସମ୍ପର୍କରେ ବିଭାଗ କିପରି ଜାଣିପାରିଲାନି, ନା ଜାଣି ଜାଣି ଏସବୁ ଖଣି କେଳେଙ୍କାରୀକୁ ଲୁଚ‌ାଇଦେବାକୁ ଉଦ୍ୟମ କରିଥିଲା, ସେ ନେଇ ଉଠିଛି ପ୍ରଶ୍ନ। ଏସ୍ଥିତିରେ ଏହା ସହ ଜଡ଼ିତ ଏକ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଗତବ‌ର୍ଷ ମେ’ ମାସରେ ଗୋପାଳପୁର ବନାଞ୍ଚଳ ଅଧିକାରୀ ତତ୍କାଳୀନ ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ ଚିଠି ଲେଖି ତେଲେନଡିହି ଜଙ୍ଗଲରେ ବେଆଇନ ଖଣି ଖନନ ଓ କୋଇଲା ଚୋରା ଚାଲାଣ ହେଉଥିବା ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କହିଥିଲେ। କିନ୍ତୁ ଶ୍ରୀ ମହାନ୍ତି ଚିଠିକୁ ଲୁଚାଇ ଦେବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା କାରଣରୁ ଜିଲ୍ଲାପାଳ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ। ବନାଞ୍ଚଳ ଅଧିକାରୀ ତତ୍କାଳୀନ ତହସିଲଦାରଙ୍କୁ ଖଣିଜ ଲୁଟ୍‌ ସମ୍ପର୍କରେ ଚିଠି ଲେଖିବା ସହ ପ୍ରାଶାସନିକ ବିଧି ମୁତାବକ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ଗୋପାଳପୁର ବନାଞ୍ଚଳ ଅଧିକାରୀ ଗଣମାଧ୍ୟମ ଆଗରେ ଏ ସୂଚନା ଦେବା ସହ ବର୍ଷେ ତଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ, ହୁଏତ ବଡ଼ ଖଣିଜ ଲୁଟ୍‌କୁ ରୋକାଯାଇପାରିଥାନ୍ତା ବୋଲି କହିଥିଲେ। ବନାଞ୍ଚଳ ଅଧିକାରୀଙ୍କ ଚିଠି ସୂତ୍ରରେ ଖଣିଜ ଲୁଟ୍‌ ସମ୍ପର୍କରେ ବନଖଣ୍ତ ଅଧିକାରୀ ମଧ୍ୟ ବର୍ଷେ ତଳେ ଅବଗତ ଥିଲେ ବୋଲି କହିଲେ ଭୁଲ୍‌ ହେବ ନାହିଁ। ପ୍ରଶ୍ନ ଉଠିଛି, ବନଖଣ୍ଡ ଅଧିକାରୀ ସେ ସମୟରେ ରାଷ୍ଟ୍ରୀୟ ସମ୍ପତ୍ତିର ଏ ପ୍ରକାର ଲୁଟ୍‌ ସମ୍ପର୍କରେ ଜିଲ୍ଲାପାଳଙ୍କୁ କାହିଁକି ଜଣାଇନଥିଲେ। ଆଉ ଏବେ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ହେବା ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ଏ ଚିଠି ସମ୍ପର୍କରେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ଦୃଷ୍ଟି ଆକର୍ଷଣ କରି ବନଖଣ୍ଡ ଅଧିକାରୀ କାହିଁକି ଚୁପ୍‌ ଥିଲେ ବୋଲି ଗଣମାଧ୍ୟମ ପଚାରିଥିଲା। ମନ୍ତ୍ରୀ ଏହାର ତଦନ୍ତ ହେବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *