ରାଜ୍ୟ

୧୪୨ ଇନ୍‌ସ୍ପେକ୍ଟରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଆଶା ବଢ଼ିଛି

୧୪୨ ଇନ୍‌ସ୍ପେକ୍ଟରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଆଶା ବଢ଼ିଛି

ରାଜ୍ୟରେ ୨୦୨୨ ପରଠାରୁ ଅଟକି ରହିଥିବା ଡିଏସ୍‌ପି ପଦୋନ୍ନତି ବୋର୍ଡ ଶେଷରେ ବସିଛି

କଟକ/ଭୁବନେଶ୍ୱର ୨୪.0୪.୨୦୨୫ (ଏସ .ଏମ ) : ରାଜ୍ୟରେ ୨୦୨୨ ପରଠାରୁ ଅଟକି ରହିଥିବା ଡିଏସ୍‌ପି ପଦୋନ୍ନତି ବୋର୍ଡ ଶେଷରେ ବସିଛି। ଏଥିସହିତ ୧୪୨ ଇନ୍‌ସ୍ପେକ୍ଟରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଆଶା ବଢ଼ିଛି। ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରରୁ ପଠାଯାଇଥିବା ନାମ ତାଲିକା ଆଧାରରେ ଗୃହ ବିଭାଗ ବୋର୍ଡ ବସାଇଛି। ପୁଲିସ ଅଫିସରଙ୍କ ସିସିଆର୍ ସମେତ ପଦୋନ୍ନତି ସମ୍ପର୍କିତ ତଥ୍ୟ ବି ଏଥିରେ ପଠାଯାଇଛି। ୨୦୦୫ ବ୍ୟାଚ୍‌ରେ ମୋଟ ୨୮୩ ଜଣ ଏସ୍‌ଆଇ ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଥିଲେ। ସେଥିରୁ ୧୨ ଜଣ ଚାକିରି ଛାଡ଼ି ଦେଇଥିଲେ। ଚାକିରିରେ ଥିବା ୨୭୧ ଜଣ ଏସ୍‌ଆଇଙ୍କୁ ୨୦୧୩ରେ ଇନ୍‌ସ୍ପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ମିଳିଥିଲା। ୫ ବର୍ଷ ପରେ ଅର୍ଥାତ୍ ୨୦୧୮ରେ ଏହି ବ୍ୟାଚ୍‌ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲା। ୨୭୧ ଜଣଙ୍କ ମଧ୍ୟରୁ ବିଭିନ୍ନ ସମୟରେ ୧୨୯ ଜଣ ଡିଏସ୍‌ପି ପଦୋନ୍ନତି ପାଇଥିଲେ। ୨୦୨୨ରେ ଶେଷ ଥର ପଦୋନ୍ନତି ବୋର୍ଡ ବସିଥିଲା। ଏହି ବୋର୍ଡ ଆଧାରରେ ୨୦୨୩ ଜୁନ୍‌ ୧୯ରେ ଏହି ବ୍ୟାଚ୍‌ର ୧୪ ଜଣ ଇନସ୍ପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ତା’ ପରଠାରୁ ୨୦୦୫ ବ୍ୟାଚ୍‌ର ୧୪୨ ଜଣ ଅଫିସର ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ନ ପାଇ ଇନ୍‌ସ୍ପେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ। ଏହାକୁ ନେଇ ସେମାନେ ଆର୍ଥିକ କ୍ଷତି ସହିତ ମାନସିକ ନିର୍ଯାତନା ଭୋଗୁଥିଲେ।

ଖାଲି ପଡ଼ିଛି ୧୭୦ ଡିଏସ୍‌ପି ପଦବି

କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୨୪ ଅଗଷ୍ଟ ୮ରେ ପ୍ରତ୍ୟେକ ଜିଲ୍ଲା ଏସ୍‌ପି ଏବଂ ଏଷ୍ଟାବ୍ଲିସ୍‌ମେଣ୍ଟଗୁଡ଼ିକୁ ପଦୋନ୍ନତି ପାଇବାକୁ ଥିବା ଉପରୋକ୍ତ ଇନ୍‌ସ୍ପେକ୍ଟର୍‌ଙ୍କ ନୋମିନେସନ୍ ଦାଖଲ କରିବାକୁ କୁହାଯାଇଥିଲା। ଏହି ତାଲିକା ଆସିବା ପରେ ଅକ୍ଟୋବରରେ ପଦୋନ୍ନତି ପାଇବାକୁ ଥିବା ଇନ୍‌ସ୍ପେକ୍ଟର୍‌ଙ୍କ ସିସିଆର୍ ସମେତ ଭିଜିଲାନ୍ସ, ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌, କ୍ରାଇମ୍‌ବ୍ରାଞ୍ଚ, ରାଜ୍ୟ ମାନବାଧିକାର କମିସନ୍‌, ଜାତୀୟ ମାନବାଧିକାର କମିସନ ଇତ୍ୟାଦିର କ୍ଲିଅରାନ୍ସ ସଂକ୍ରାନ୍ତ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦାଖଲ କରାଯାଇଥିଲା। ୨୦୨୩ ସେପ୍ଟେମ୍ବରରେ ଡିଏସ୍‌ପି ପଦୋନ୍ନତି ବୋର୍ଡ ବସିବାର ଯୋଜନା ଥିଲା। କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ନିର୍ବାଚନ ଓ ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ଏହାକୁ ବାରମ୍ବାର ଘୁଞ୍ଚାଇ ଚାଲିଥିଲେ। ଏଭଳି ପଦୋନ୍ନତି ପ୍ରକ୍ରିୟା ବିଳମ୍ବ ହୋଇ ଆସୁଥିବାରୁ ଅଫିସରମାନେ ଇନ୍‌ସ୍ପେକ୍ଟର୍‌ ସ୍କେଲ୍‌ରେ ଦରମା ପାଉଥିଲେ। ପ‌ଦୋନ୍ନତି ପାଇ ପାରୁ ନଥିବା ଅଧିକାରୀ ବାର୍ଷିକ ୭୨ ହଜାର ଟଙ୍କାର ଆର୍ଥିକ କ୍ଷତି ସହି ଆସୁଥିଲେ। ରାଜ୍ୟରେ ପାଖାପାଖି ୧୭୦ ଡିଏସ୍‌ପି ପଦବି ଖାଲି ପଡ଼ିଥି‌ବା ବେଳେ ଗୃହ ବିଭାଗ ବୋର୍ଡ ବସାଇଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ପଦୋନ୍ନତି ଓ ନୂଆ ନିଯୁକ୍ତି ହେବାକୁ ଯାଉଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *