ଘନେଇଲା ଜଗବନ୍ଧୁ-ଅର୍ଚ୍ଚନା କଳି
ଘନେଇଲା ଜଗବନ୍ଧୁ-ଅର୍ଚ୍ଚନା କଳି
ଉଭୟେ ଜାମିନରେ ମୁକୁଳିବା ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଫାଟ ଏବେ ମେଲିମେଲି ଚାଲିଛି
ଭୁବନେଶ୍ୱର ୨୪.0୪.୨୦୨୫ (ଏସ .ଏମ ) : ବହୁ ଚର୍ଚ୍ଚିତ ଦମ୍ପତି ଜଗବନ୍ଧୁ-ଅର୍ଚ୍ଚନା କଳି ଦିନକୁ ଦିନ ଘନେଇବାରେ ଲାଗିଛି। ବ୍ଲାକ୍ମେଲିଂ ଓ ଠକାମି ମାମଲାରେ ଉଭୟେ ଜାମିନରେ ମୁକୁଳିବା ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଫାଟ ଏବେ ମେଲିମେଲି ଚାଲିଛି। ସେମାନଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟର ବିଚାରାଧୀନ ଥିବା ବେଳେ ଅର୍ଚ୍ଚନା ପୁଣି ଏକ ସଂଗିନ୍ ଅଭିଯୋଗ ଆଣିଛନ୍ତି। ସ୍ବାମୀ ଜଗବନ୍ଧୁ ତାଙ୍କ ଅନୁପସ୍ଥିତିରେ ଘରୁ ଗହଣା, ଟଙ୍କା ଓ କାଗଜପତ୍ର ଚୋରି କରିଛନ୍ତି ବୋଲି ଅର୍ଚ୍ଚନା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଥାନାରୁ ମାମଲା ପ୍ରତ୍ୟାହାର ନ କଲେ, ଉଭୟ ମା ଓ ପୁଅକୁ ଏସିଡ୍ ପକାଇ ଜାଳିଦେବାକୁ ମଧ୍ୟ ଜଗବନ୍ଧୁ ଧମକ ଦେଇଛନ୍ତି ବୋଲି ଅର୍ଚ୍ଚନା ଅଭିଯୋଗ କରିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୋଗ ଗ୍ରହଣ କରିଛି ଏବଂ ମାମଲାର ସତ୍ୟତା ନେଇ ଖୋଳତାଡ଼ କରୁଥିବା ସୂଚନା ଦେଇଛି। ଚଳିତ ମାସ ୧୨ ତାରିଖରୁ ଅର୍ଚ୍ଚନା ମଞ୍ଚେଶ୍ବର ଥାନାରେ ଏଭଳି ଅଭିଯୋଗ କଲେଣି। ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ ୧୨ ତାରିଖ ଦିନ ସେ ଓ ତାଙ୍କ ପରିବାର ଲୋକେ ଖୋର୍ଦ୍ଧା ସୁନାଖଳା ହନୁମାନ ମନ୍ଦିର ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଫୋନ୍ କରି କହିଥିଲେ ଯେ ଜଗବନ୍ଧୁ ତାଙ୍କ ଘରେ ପଶିଛି। ତାଙ୍କ ଅନୁପସ୍ଥିତିରେ ଜଗବନ୍ଧୁ କିଭଳି ତାଙ୍କ ଘରେ ପଶିଲା ବୋଲି ସେ ତୁରନ୍ତ ଲ୍ୟାଣ୍ଡ୍ଫୋନ୍କୁ କଲ୍ କରିଥିଲେ। ଜଗବନ୍ଧୁ ରିସିଭ୍ କରିଥିଲେ। କଣ ପାଇଁ ବିନା ଅନୁମତିରେ ଘରେ ପଶିଛ ବୋଲି ପ୍ରଶ୍ନର ଉତ୍ତରରେ ଜଗବନ୍ଧୁ, ତାଙ୍କୁ ଓ ପୁଅକୁ ମାରିବା ପାଇଁ ଆସିଛି ବୋଲି କହିଥିଲେ। ପୁଲିସ କେସ୍ ପ୍ରତ୍ୟାହାର ନ କଲେ, ପୂର୍ବର ବ୍ଲାକ୍ମେଲ୍ ଓ ଠକାମି ମାମଲାରେ ସେ କୋର୍ଟରେ ପ୍ରତିପକ୍ଷଙ୍କ ସମର୍ଥନରେ ସାକ୍ଷୀ ଦେବେ ବୋଲି ଜଗବନ୍ଧୁ ଧମକ ଦେଇଥିଲେ। ଏଭଳି ଧମକ ପାଇବା ପରେ ଅର୍ଚ୍ଚନା ତୁରନ୍ତ ଘରକୁ ଫେରିଆସିଥିଲେ ଏବଂ ଦେଖିଲେ ଯେ ଲକର୍ରୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଓ କିଛି ଗହଣା (ଗୋଟିଏ ଚେନ୍ ଓ ୨ହଳ ସୁନା କଙ୍କଣ) ଲୁଟ୍ ହୋଇଯାଇଛି। ଅର୍ଚ୍ଚନାଙ୍କ କହିବା କଥା ସେମାନଙ୍କ ଛାଡ଼ପତ୍ର ପାଇଁ ଭୁବନେଶ୍ବର ଫ୍ୟାମିଲି କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେଣୁ କୋର୍ଟଙ୍କୁ ଅବମାନନା କରି ଜଗବନ୍ଧୁ ତାଙ୍କୁ ଓ ତାଙ୍କ ପୁଅକୁ ବାରମ୍ବାର ଧମକ ଦେଉଛନ୍ତି। ପ୍ରକାଶ ଥାଉ କି, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ମେଲ୍ କରିବା ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ। ପରେପରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ବରକୁ ୨୦୨୨ ଅକ୍ଟୋବର ୬ରେ ଗିରଫ କରାଯାଇଥିଲା। ବ୍ଲାକ୍ମେଲିଂ ଓ ଠକେଇ ମାଧ୍ୟମରେ ଅର୍ଚ୍ଚନା ବିପୁଳ ଅର୍ଥ ଉପାର୍ଜନ କରିଥିବା ଅଭିଯୋଗ ହୋଇଥିଲା। ଅର୍ଚ୍ଚନାଙ୍କ ଆଲିସାନ୍ ବଙ୍ଗଳା ବା କୋଠା, ଦାମୀ ଗାଡ଼ି ଆଦି ଠାବ ହେବା ପରେ ମାମଲା ଇଡି ହାତକୁ ଯାଇଥିଲା। ସେତେବେଳେ ଏହି ମାମଲା ସମଗ୍ର ରାଜ୍ୟରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଏବେ ପୁଣି ନୂଆ ମାମଲାରେ ଚର୍ଚ୍ଚା ଜୋର୍ ଧରିଛି।