TOP STORIESଅପରାଧରାଜ୍ୟ

ନିଆରା ସର୍ତ୍ତ ରଖିଲେ ହାଇକୋର୍ଟ

ନିଆରା ସର୍ତ୍ତ ରଖିଲେ ହାଇକୋର୍ଟ

ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଡାକ୍ତରଖାନା ସଫେଇ ଓ ଗଛ ଲଗାଇବା ଭଳି ନିଆରା ସର୍ତ୍ତ ରଖିଛନ୍ତି

କଟକ/ଭୁବନେଶ୍ବର୦୪.୦୫.୨୦୨୫ (ଏସ .ଏମ ) : ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଡାକ୍ତରଖାନା ସଫେଇ ଓ ଗଛ ଲଗାଇବା ଭଳି ନିଆରା ସର୍ତ୍ତ ରଖିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଏକ ମାସ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ରୁମ୍ ଓ ୱାର୍ଡ ସଫା କରିବେ। ଏଥି ପାଇଁ ଆବେଦନକାରୀ ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ ଅଧୀକ୍ଷକଙ୍କ ଦ୍ବାରସ୍ଥ ହେବେ। ସଫେଇ ପାଇଁ ସୁଯୋଗ ଦେବା ପାଇଁ ଅଧସ୍ତନ କର୍ମଚାରୀଙ୍କୁ ଅଧୀକ୍ଷକ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରି‌ବାକୁ ଆବେଦନକାରୀ ଅନୁରୋଧ କରିବେ। ଏଥି ସହିତ ଡୁମୁଡୁମା ଅଞ୍ଚଳର ସରକାରୀ ଜମି/ ଗୋଷ୍ଠୀ/ ଘରୋଇ ଜମିରେ ୧ଶହ ଆମ୍ବ, ନିମ, ତେନ୍ତୁଳି ଭଳି ଗଛ ଆଗାମୀ ‌ମୌସୁମୀରେ ଆବେଦନକାରୀ ଲଗାଇବେ।ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରା ରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଂଗରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ। ଜିଲ୍ଲା ନର୍ସରି/ଡିଏଫ୍‌ଓ ଚାରା ଯୋଗାଇବା ପ୍ରସଂଗରେ ସହଯୋଗ କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ଆବେଦନକାରୀ ମାମଲାର ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଆର୍‌. ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ ଜଟଣୀ ଇନ୍‌ଫୋଭ୍ୟାଲି ଥାନା ପୁଲିସ ବିଏନ୍‌ଏସ୍‌ର ଧାରା ୩୦୯(୪)/୩(୫)ରେ ମାମଲା ରୁଜୁ କରିବା ସହିତ ଆବେଦନକାରୀଙ୍କୁ ଗତ ଜାନୁଆରି ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *