ଖେଳଦେଶ- ବିଦେଶ

ଆଇପିଏଲ୍‌ ପ୍ଲେ ଅଫ୍‌ରେ ଆର୍‌ସିବି

ଆଇପିଏଲ୍‌ ପ୍ଲେ ଅଫ୍‌ରେ ଆର୍‌ସିବି

ନାଟକୀୟ ତଥା ଶେଷ ବଲ୍‌ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨ ରନ୍‌ରେ ପରାସ୍ତ କରିଛି

ବେଙ୍ଗାଲୁରୁ/ଭୁବନେଶ୍ୱର ୦୪.୦୫.୨୦୨୫(ଏସ.ଏମ ): ନାଟକୀୟ ତଥା ଶେଷ ବଲ୍‌ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨ ରନ୍‌ରେ ପରାସ୍ତ କରିଛି। ତା’ ସହିତ ଏକାଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ପାଇ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରି ନେଇଛି। ଚେନ୍ନାଇ ଶନିବାର ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଶେଷରେ ଏକାଦଶ ମ୍ୟାଚ୍‌ରୁ ନବମ ପରାଜୟ ବରଣ କରି ସବାଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୧୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ୧୭ ବର୍ଷୀୟ ଆୟୁଷ ମହାତ୍ରେ (୯୪) ଏବଂ ରବୀନ୍ଦ୍ର ଜାଡ଼େଜା (୭୭*)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଶେଷ ପର୍ଯ୍ୟନ୍ତ ବିଜୟ ଦୌଡ଼ରେ ରହିଥିଲା। ‌‌ଶେଷ ଓଭରରୁ ଜିତିବା ପାଇଁ ୧୫ ରନ୍‌ ଦରକାର ଥିଲା ବେଳେ କିନ୍ତୁ ୨୧୧/୫ରେ ଅଟକି ଯାଇଥିଲା। ୟଶ୍ ଦୟାଲଙ୍କ ଘଟଣା ବହୁଳ ଶେଷ ଓଭରରେ ନୋ’ବଲ୍, ଡିୱାଲ୍‌ଡ ବ୍ରେଭିସ୍‌ଙ୍କ ବିଳମ୍ବିତ ଓ ଅସଫଳ ଏଲ୍‌ବିଡବ୍‌ଲ୍ୟୁ ରିଭ୍ୟୁ, ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍‌ର ମୋଟେଇ ପରୀକ୍ଷା ଏବଂ ଆର୍‌ସିବି ଖେଳାଳିମାନେ ଅନ୍ୟୂନ ୫ଟି ସହଜ କ୍ୟାଚ୍ ହାତଛଡ଼ା କରିବା ମ୍ୟାଚ୍‌ର ରୋମାଞ୍ଚକୁ ବହୁଗୁଣ ବଢ଼ାଇଥିଲା। ୪୦ ଓଭର ହାଇଭୋଲ୍‌ଟେଜ୍ କ୍ରିକେଟ୍ ପରେ କିନ୍ତୁ ଆର୍‌ସିବି ବାଜି ମାରି ନେଇଥିଲା। ପୂର୍ବରୁ ଦୁଇଟି ରେକର୍ଡ ଭରା ଅର୍ଦ୍ଧଶତକ ବଳରେ ଆର୍‌ସିବି ୨୧୩ ରନ୍‌ର ଆହ୍ବାନଭରା ସ୍କୋର୍ କରିଥିଲା। ପ୍ରଥମରୁ ଦୁଇ ଓପନର ବିରାଟ କୋହଲି (୬୨) ଓ ଜ୍ୟାକବ ବେଥେଲ (୫୫) ୯୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। କୋହଲି (୬୨) ଆଇପିଏଲ୍‌ରେ ସର୍ବାଧିକ ଅର୍ଦ୍ଧଶତକ କରିବାରେ ଡେଭିଡ୍ ୱାର୍ଣ୍ଣରଙ୍କ ସମକକ୍ଷ ହୋଇଥିଲେ। ପୁଣି ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ (୫୦୫) ହୋଇ ଗୁଜରାଟର ସାଇ ସୁଦର୍ଶନଙ୍କଠାରୁ ନାରଙ୍ଗୀ ଟୋପି ଛଡ଼ାଇ ନେଇଥିଲେ। କୋହଲି ଆଉଟ୍ ହେବା ପରେ ମାତ୍ର ୩୬ ରନ୍‌ରେ ୪ ୱିକେଟ୍ ହରାଇ ଆର୍‌ସିବି ହଠାତ୍ ଦିଗ ହରାଇଥିଲା। ତେବେ ଶେଷ ୩ ଓଭରରେ ରୋମାରିଓ ସେପାର୍ଡଙ୍କ ଧୂଆଁଧାର ଅର୍ଦ୍ଧଶତକ (୧୪ ବଲ୍‌ରୁ ୫୩* ରନ୍) ବଳରେ ୨୦୦ ଟପି ଯାଇଥିଲା। ରୋମାରିଓ କରିଥିବା ଅର୍ଦ୍ଧଶତକ ଆଇପିଏଲ୍‌ ଇତିହାସର ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ଯଶସ୍ବୀ ଜୟସ୍ବାଲ ୨୦୨୩ ମସିହାରେ କେକେଆର୍‌ ବିପକ୍ଷରେ ୧୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଏବେବି ଏହିକ୍ରମରେ ଦ୍ରୁତତମ ମୁକୁଟ ନିଜ ପାଖରେ ରଖିଛନ୍ତି। ସେପାର୍ଡଙ୍କ ଆକ୍ରମଣାତ୍ମକ ମୁଦ୍ରା ପାଇଁ ଆର୍‌ସିବି ଶେଷ ଦୁଇ ଓଭରରେ ଅବିଶ୍ବସନୀୟ ଭାବେ ୫୪ ରନ୍ ଅମଳ କରି ନେଇଥିଲା। ତୃତୀୟ ତଥା ‌ଶେଷ ପର୍ଯ୍ୟାୟ ସଂପୂର୍ଣ୍ଣ ଭାବେ ସେପାର୍ଡଙ୍କ ନାଁରେ ରହିଥିଲା। ୧୯ତମ ଓଭର ବୋଲିଂ କରିଥିବା ଖଲିଲ୍ ଅହମଦଙ୍କଠାରୁ ସେପାର୍ଡ ୩୩ ରନ୍ (୬, ୬, ୪, ୬, ୭, ୦, ୪) ଆଦାୟ କରିବା ନିର୍ଣ୍ଣାୟକ ହୋଇଥିଲା।

ସଂକ୍ଷିପ୍ତ ସ୍କୋର୍: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୧୩/୫ (ବିରାଟ ‌କୋହଲି ୬୨, ଜ୍ୟାକବ ବେଥେଲ ୫୫, ରୋମାରିଓ ସେପାର୍ଡ ୫୩*, ମହୀଶ ପଥିରଣା ୩/୩୬)। ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୨୧୧/୫ (ଆୟୁଷ ମହାତ୍ରେ ୯୪, ରବୀନ୍ଦ୍ର ଜେଡ଼େଜା ୭୭*, ଲୁଙ୍ଗି ଏନ୍‌ଗିଡ଼ି ୩/୩୦, କୃନାଲ ପାଣ୍ଡ୍ୟା ୧/୨୪)।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *