ବାଣିଜ୍ୟରାଜନୀତିରାଜ୍ୟ

ସୁପ୍ରିମକୋର୍ଟଙ୍କ ରାୟ ପରେ ଅନିଶ୍ଚିତତା

ସୁପ୍ରିମକୋର୍ଟଙ୍କ ରାୟ ପରେ ଅନିଶ୍ଚିତତା

ଓଡ଼ିଶା ଯୋଜନା ବଦଳାଇପାରେ ଜେଏସ୍‌ଡବ୍ଲ୍ୟୁ

ମହାରା‌ଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଛତିଶଗଡ଼ କାରଖାନା ପରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌ (ବିପିଏସ୍‌ଏଲ୍‌)କୁ ୧୯,୭୦୦ କୋଟି ଟଙ୍କାରେ ଅଧିଗ୍ରହଣ କରି ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପୂର୍ବ ଭାରତରେ ପ୍ରବେଶ କରିଥିଲା।

ଭୁବନେଶ୍ୱର ୦୯.୦୫.୨୦୨୫(ଏସ .ଏମ ) :  ହାରା‌ଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଛତିଶଗଡ଼ କାରଖାନା ପରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌ (ବିପିଏସ୍‌ଏଲ୍‌)କୁ ୧୯,୭୦୦ କୋଟି ଟଙ୍କାରେ ଅଧିଗ୍ରହଣ କରି ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପୂର୍ବ ଭାରତରେ ପ୍ରବେଶ କରିଥିଲା। ଏଥି ସହିତ କମ୍ପାନି ଏହି କାରଖାନାର ସମ୍ପ୍ରସାରଣ ଲାଗି ମଧ୍ୟ ଶହ ଶହ କୋଟି ଟଙ୍କା ନିବେଶ ‌କରିଛି। କିନ୍ତୁ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବିପିଏସ୍‌ଏଲ୍‌ ଅଧିଗ୍ରହଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଘୋଷଣା କରିବା ପରେ କମ୍ପାନିର ଓଡ଼ିଶା ଯୋଜନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

‘ବିଗ୍‌ମିଣ୍ଟ’ର ଏକ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଜେଏସ୍‌ଡବ୍ଲ୍ୟୁକୁ ଏହାର ଓଡ଼ିଶା ଯୋଜନା ବଦଳାଇବାକୁ ପଡ଼ିପାରେ। କମ୍ପାନି ୨୦୩୦ ସୁଦ୍ଧା ଏହାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୫୦ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହି ଲକ୍ଷ୍ୟ ହାସଲ କରିବ‌ାରେ ଓଡ଼ିଶା ପ୍ରକଳ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ବିପିସିଏଲ୍‌ ବ୍ୟତୀତ ରାଜ୍ୟରେ ଆଉ ଦୁଇଟି ନୂଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଜେଏସ୍‌ଡବ୍ଲ୍ୟୁ ଘୋଷଣା କରିଛି। ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ପୋସ୍କୋ ସହ ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ଏକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ଏବଂ ୬୫ ହଜାର କୋଟି ଟଙ୍କା ନିବେଶରେ ଏକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ନୂଆ ଇସ୍ପାତ କାରଖାନା ବସାଇବାକୁ କମ୍ପାନି ଘୋଷଣା କରିଛି। ରାଜ୍ୟରେ ସ୍ଥାପନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର କଞ୍ଚାମାଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନି ଓଡ଼ିଶାରେ ଏକାଧିକ ଲୁହାପଥର ଖଣି ହାସଲ କରିଛି। ଏହାର ନେତ୍ରବନ୍ଧ ଲୁହାପଥର ଖଣିରୁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି, ଯାହାର ବାର୍ଷିକ କ୍ଷମତା ୨ ନିୟୁତ ଟନ୍ ରହିବ। ଏହା ବ୍ୟତୀତ କମ୍ପାନି ପାଖରେ ନାରାୟଣପୋଷୀ ଲୁହାପଥର ଓ ମାଙ୍ଗାନିଜ୍ ଖଣି, ଗଣୁଆ ଲୁହାପଥର ଖଣି ଓ ନୂଆଗାଁ ଲୁହାପଥର ଖଣି ରହିଛି।

ଝାରସୁଗୁଡ଼ାରେ ଥିବା ବିପିଏସ୍‌ଏଲ୍‌ କାରଖାନାର ଉତ୍ପାଦନ କ୍ଷମତା ୩.୩୮ ନିୟୁତ ଟନ୍ ରହିଛି। ତାହାକୁ ୫ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ କମ୍ପାନି ଯୋଜନା ରଖିଛି। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ କାରଖାନାର ଭବିଷ୍ୟତ ଓ ପରିଚାଳନାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବା ଉପରେ କମ୍ପାନି ବିଚାର କରୁଥିବା ଜଣାପଡ଼ିଛି। ଏହି ମାମଲାରେ କେନ୍ଦ୍ର ସରକାର ମଧ୍ୟ ନିଜର ପକ୍ଷ ସୁପ୍ରିମକୋର୍ଟରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ କମ୍ପାନି ଓଡ଼ିଶାରେ ନୂତନ ପ୍ରକଳ୍ପଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଇପାରେ ବୋଲି କୁହାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *