TOP STORIESଖେଳଦେଶ- ବିଦେଶ

ଆଇପିଏଲ୍‌ ଅପେକ୍ଷାରେ ପ୍ରଶଂସକ

ଆଇପିଏଲ୍‌ ଅପେକ୍ଷାରେ ପ୍ରଶଂସକ

ବର୍ବରୋଚିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆରମ୍ଭ କରିଥିବା ଅପରେସନ୍ ‘ସିନ୍ଦୂର’ ଏବଂ ତାକୁ ନେଇ ପାକିସ୍ତାନ ସହ ହୋଇଥିବା ସାମରିକ ମୁହାଁମୁହିଁ ପାଇଁ ଆଇପିଏଲ୍‌ ସ୍ଥଗିତ ରହିଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫.୦୫.୨୦୨୫(ଏସ .ଏମ ) : ର୍ବରୋଚିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆରମ୍ଭ କରିଥିବା ଅପରେସନ୍ ‘ସିନ୍ଦୂର’ ଏବଂ ତାକୁ ନେଇ ପାକିସ୍ତାନ ସହ ହୋଇଥିବା ସାମରିକ ମୁହାଁମୁହିଁ ପାଇଁ ଆଇପିଏଲ୍‌ ସ୍ଥଗିତ ରହିଥିଲା। ୧୭ ତାରିଖରୁ ବିଶ୍ବ କ୍ରିକେଟ୍‌ର ଏହି ସବୁଠାରୁ ଚର୍ଚ୍ଚିତ, ଲୋକପ୍ରିୟ ତଥା‌ ଧନୀ ଲିଗ୍ ପୁନର୍ବାର ଆରମ୍ଭ ହେବ ବୋଲି ବିସିସିଆଇ ଘୋଷଣା କରିବା କ୍ରିକେଟ୍ ଜଗତରେ ଖୁସି ଭରି ଦେଇଛି। ଯାହାକୁ ନେଇ କ୍ରିକେଟ୍‌ପ୍ରେମୀ ଓ ପ୍ରଶଂସକ ଉତ୍ସାହିତ ଅଛନ୍ତି। ସେପଟେ ବିଭିନ୍ନ ଦଳର ବିଦେଶୀ ଖେଳାଳିମାନେ ସ୍ବଦେଶ ଯାଇଥିବାରୁ ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳର କିଛି ଖେଳାଳି ବୁଧବାରଠାରୁ ଅଭ୍ୟାସ ବି ଆରମ୍ଭ ହୋଇଯାଇଛି। ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏହାର ନେତୃତ୍ବ ନେଇଛନ୍ତି। ରୋହିତଙ୍କ ସହ ସ୍ପିନର୍‌ କର୍ଣ୍ଣ ଶର୍ମା, ଅଶ୍ବିନ କୁମାର, ରବିନ ମିଞ୍ଜ ଓ ତିଳକ ବର୍ମା ମଧ୍ୟ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଢେର୍‌ ସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ରାଜସ୍ଥାନ ରୟାଲ୍‌ସ, ଗୁଜରାଟ ଟାଇଟନ୍ସ ଭଳି ଦଳ ଗୁରୁବାରଠାରୁ ଅଭ୍ୟାସ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ସର୍ବପ୍ରଥମେ ଦଳର ଖେଳାଳିମାନେ ଗୋଟିଏ ସ୍ଥାନରେ ଏକତ୍ର ହେବେ। ତା’ପରେ ପୁନଃନିର୍ଦ୍ଧାରିତ ସୂଚୀ ଅନୁଯାୟୀ ନିଜନିଜ ମ୍ୟାଚ୍ ଖେଳିବାକୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ। ସୂଚନାଯୋଗ୍ୟ ଯେ ଆଇପିଏଲ୍‌-୨୦୨୫ର ୫୭ଟି ମ୍ୟାଚ୍ ସରିଥିଲା ବେଳେ ଆଉ ୧୭ଟି ମ୍ୟାଚ୍ ଖେଳାଯିବାର ଅଛି। ସେଥିମଧ୍ୟରେ ୧୩ଟି ଲିଗ୍ ଏବଂ ୪ଟି ପ୍ଲେ ଅଫ୍ ମ୍ୟାଚ୍ ସାମିଲ ରହିଛି। ୧୭ ତାରିଖରେ ଖେଳାଯିବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁଠାରେ ଆର୍‌ସିବି ଓ କେକେଆର୍ ମୁହାଁମୁହିଁ ହେବେ। ଲିଗ୍ ପର୍ଯ୍ୟାୟ ୬ଟି ସ୍ଥାନରେ ହେବ ବୋଲି ବିସିସିଆଇ ଘୋଷଣା କରିଛି। ପ୍ଲେ ଅଫ୍ ଭେନ୍ୟୁ ପରେ ଘୋଷଣା କରାଯିବ ବୋଲି ମଧ୍ୟ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସୂଚନା ଦେଇଛି।

ମ୍ୟାକ୍‌ଗର୍କଙ୍କ ସ୍ଥାନରେ ମୁସ୍ତାଫିଜୁର
ସୁରକ୍ଷା କାରଣ ଦର୍ଶାଇ ଅଷ୍ଟ୍ରେଲୀୟ ବ୍ୟାଟର୍‌ ଜେକ୍ ଫ୍ରେଜର ମ୍ୟାକ‌୍‌ଗର୍କ ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟକୁ ଫେରିବେନି ବୋଲି ସ୍ପଷ୍ଟ କରିବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ତାଙ୍କ ସ୍ଥାନରେ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ନିଜ ଦଳରେ ସାମିଲ କରିଛି। ମ୍ୟାକ୍‌ଗର୍କ ଯିବା କିନ୍ତୁ ଦିଲ୍ଲୀକୁ ସେତେଟା ବାଧିଲା ଭଳି ମନେ ହେଉନି। କାରଣ ପ୍ରଥମ ୬ ମ୍ୟାଚ୍‌ରେ ସୁଯୋଗ ପାଇବା ପରେ ମ୍ୟାକ୍‌ଗର୍କ ମାତ୍ର ୫୫ ରନ୍ କରିଥିଲେ। ଏଣୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରୁ ଦିଲ୍ଲୀ ତାଙ୍କୁ ବାଦ୍ ଦେଇଥିଲା। ଅନ୍ୟତମ ଅଷ୍ଟ୍ରେଲୀୟ ତଥା ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଫେରିବାର ଆଶା ନଥିବାରୁ ମୁସ୍ତାଫିଜୁରଙ୍କୁ ନେଇ ଦିଲ୍ଲୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯୋଜନା ରଖିଛି। ୨୦୧୬ରେ ଆଇପିଏଲ୍ ପଦାର୍ପଣ କରିଥିବା ମୁସ୍ତାଫିଜୁର ପୂର୍ବରୁ ୨୦୨୨ ଓ ୨୦୨୩ ଋତୁରେ ଦିଲ୍ଲୀର ପ୍ରତିନିଧିତ୍ବ କରିଥିଲେ। ଏହି ୨୯ ବର୍ଷୀୟ ବୋଲର ଆଇପିଏଲ୍‌ରେ ୩୮ ମ୍ୟାଚ୍ ଖେଳି ୩୮ ୱିକେଟ୍ କରାୟତ୍ତ କରିଛନ୍ତି।

ବିସିସିଆଇ ବଦଳାଇଲା ‌‘ଖେଳାଳି ବଦଳ’ ନିୟମ
ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଲାଗି ବିସିସିଆଇ ଆଇପିଏଲ୍‌ରେ ପ୍ରଚଳିତ ‘ଖେଳାଳି ବଦଳ’ ନିୟମରେ ପରିବର୍ତ୍ତନ କରିଛି। ବୋର୍ଡ ଏବେ ସମସ୍ତ ୧୦ଟି ଯାକ ଦଳକୁ ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଏବଂ ଅସ୍ଥାୟୀ ଭାବେ ବଦଳ ଖେଳାଳି ବାଛିବାର ଅଧିକାର ପ୍ରଦାନ କରିଛି। ପୂର୍ବରୁ କେବଳ କୌଣସି ଖେଳାଳି ଅସୁସ୍ଥ ଅବା ଆହତ ହେଲେ ତାଙ୍କ ବଦଳରେ ଅନ୍ୟ ଖେଳାଳି ନେବାକୁ ଅନୁମତି ମିଳୁଥିଲା। ବହୁ ବିଦେଶୀ ଖେଳାଳି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭାରତ ଫେରିବାକୁ ଅନିଚ୍ଛୁକ ଥିବାରୁ ବିସିସିଆଇ ‘ଖେଳାଳି ବଦଳ’ ନିୟମକୁ ବଦଳାଇବାକୁ ନୀତିଗତ ନିଷ୍ପତ୍ତି ନେଇଛି। ତେବେ ଅସ୍ଥାୟୀ ଭାବେ ନିଆଯାଉଥିବା ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଗାମୀ ଋତୁ ଲାଗି ରିଟେନ୍ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ବିସିସିଆଇ।

ଫେରିବେନି କରନ, ଓଭରଟନ୍
ସାମ୍ କରନ ଓ ଜାମି ଓଭରଟନ୍‌ଙ୍କ ଛଡ଼ା ଚେନ୍ନାଇ ସୁପରକିଙ୍ଗ୍ସର ସମସ୍ତ ବିଦେଶୀ ଖେଳାଳି ଫେରିବେ। ଏହି ସୂଚନା ଦେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥ। ଚେନ୍ନାଇ ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି। ତେବେ ଦଳ ତାର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ଭଲ କରି ସମ୍ମାନର ସହ ଚଳିତ ଋତୁର ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଓଭରଟନ୍ ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରି ନଥିଲେ ମଧ୍ୟ କରନ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ଅନୁପସ୍ଥିତି ଚେନ୍ନାଇକୁ ସମସ୍ୟାରେ ପକାଇପାରେ। ତେବେ ନ୍ୟୁଜିଲାଣ୍ଡର ଦୁଇ କ୍ରିକେଟର୍ ଡେଭନ୍ କନୱେ ଓ ରାଚିନ ରବୀନ୍ଦ୍ର ଉପଲବ୍ଧ ଅଛନ୍ତି ବୋଲି କାଶୀ ସୂଚନା ଦେଇଛନ୍ତି। ଚେନ୍ନାଇ ତାର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌‌ରେ ୨୦ ତାରିଖରେ ଦିଲ୍ଲୀରେ ରାଜସ୍ଥାନ ରୟାଲ୍‌ସକୁ ଏବଂ ୨୫ ତାରିଖରେ ଅହମଦାବାଦଠାରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

ପ୍ଲେ ଅଫ୍‌ରେ ସାମିଲ ହୋଇନପାରନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ଲାଗି ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପ୍ଲେ ଅଫ୍‌ ପାଇଁ ଉପଲବ୍ଧ ହୋଇନପାରନ୍ତି। କାରଣ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ସୁକ୍ରି କନାର୍ଡ ଚଳିତ ମେ’ ୨୬ ସୁଦ୍ଧା ସ୍ବଦେଶ ଫେରିବାକୁ ଆଇପିଏଲ୍‌ରେ ସାମିଲ ଥିବା ନିଜ ଦଳର ସମସ୍ତ ଖେଳାଳିମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆଇପିଏଲ୍ ଫାଇନାଲ୍ ଶେଷ ହେବାର ପରଦିନ ଅର୍ଥାତ୍ ୨୬ରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ନିଜ ଦେଶକୁ ଫେରିବାର ଥିଲା। ତେବେ ନୂଆ ସୂଚୀ ଅନୁସାରେ ଆଇପିଏଲ୍ ଫାଇନାଲ୍ ଜୁନ୍ ୩ରେ ଖେଳାଯିବାର ଥିଲା ବେଳେ ତାଙ୍କ ଖେଳାଳିଙ୍କ ସ୍ବଦେଶ ଫେରିବା ସୂଚୀ ପୂର୍ବବତ୍ ଅପରିବର୍ତ୍ତିତ ରହିଛି ବୋଲି କର୍ନଡ କହିଛନ୍ତି। ପ୍ଲେ ଅଫ୍ ଖେଳିବାକୁ ଥିବା ଚାରିଟି ସମ୍ଭାବ୍ୟ ଦଳରେ ଅନ୍ୟୂନ ୭ଜଣ ଦକ୍ଷିଣ ଆଫ୍ରିକୀୟ ଖେଳାଳି ରହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *