ଖେଳଦେଶ- ବିଦେଶରାଜ୍ୟ

ଭାରତରେ ଆୟୋଜିତ ହେବ ସୁଟିଂ ଲିଗ୍

ଭାରତରେ ଆୟୋଜିତ ହେବ ସୁଟିଂ ଲିଗ୍

ନଭେମ୍ବର ୨୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ,କ୍ରିକେଟ୍‌, ହକି, ଫୁଟବଲ୍ ଓ କବାଡ଼ି ଭଳି ସୁଟିଂରେ ମଧ୍ୟ ଏକ ପେସାଦାର ଲିଗ୍ ଆୟୋଜିତ ହେବ। ଯାହାର ନାଁ ସୁଟିଂ ଲିଗ୍ ଅଫ୍ ଇଣ୍ଡିଆ ବା ଏସ୍‌ଏଲ୍‌ଆଇ ରଖାଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : କ୍ରିକେଟ୍‌, ହକି, ଫୁଟବଲ୍ ଓ କବାଡ଼ି ଭଳି ସୁଟିଂରେ ମଧ୍ୟ ଏକ ପେସାଦାର ଲିଗ୍ ଆୟୋଜିତ ହେବ। ଯାହାର ନାଁ ସୁଟିଂ ଲିଗ୍ ଅଫ୍ ଇଣ୍ଡିଆ ବା ଏସ୍‌ଏଲ୍‌ଆଇ ରଖାଯାଇଛି। ଜାତୀୟ ରାଇଫଲ୍ ସଂଘ (ଏନ୍‌ଆର୍‌ଏଆଇ)ର ପରିଚାଳନା ପରିଷଦ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମିଳିତ ହୋଇ ଏହି ପେସାଦାର ଲିଗ୍‌ର ଢା‌ଞ୍ଚା, ନୀତିନିୟମ, ବର୍ଗ, ପୁରସ୍କାର ରାଶି, ଖେଳାଳି ନିଯୁକ୍ତି ଏବଂ ଲୋଗୋ ଉନ୍ମୋଚନ ନେଇ ବିସ୍ତୃତ ଆଲୋଚନା କରିଛି। ସୁଟିଂକୁ ସାରା ଦେଶରେ ଲୋକପ୍ରିୟ କରାଇବା ନେଇ ଏଭଳି ଏକ ପେସାଦାର ଲିଗ୍‌ର ପରିକଳ୍ପନା କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସୁଟିଂ ବୈଷୟିକ କମିଟିର ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିସକୁ ପରିଷଦ ଗ୍ରହଣ କରିଥିଲା।

ନଭେମ୍ବର ୨୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ
ଅଂଶଗ୍ରହଣ କରିବେ ୮ ଦଳ, ଜୁନ୍ ୪ରେ ଲୋ‌ଗୋ ଉନ୍ମୋଚନ
ଏସ୍‌ଏଲ୍‌ଆଇ ଭାରତୀୟ ସୁଟିଂ ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ: କଳିକେଶ

ସୂଚନା ଅନୁସାରେ ଏହି ପ୍ରତୀକ୍ଷିତ ଲିଗ୍‌ର ପ୍ରଥମ ସଂସ୍କରଣରେ ୧୦ ଓ ୨୫ ମିଟର ପିସ୍ତଲ, ୧୦ ଓ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଏବଂ ସଟଗନ୍ (ଟ୍ରାପ୍ ଓ ସ୍କିଟ୍)ର ମିଶ୍ରିତ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ଲିଗ୍ ନଭେମ୍ବର ୨୦ରୁ ଆରମ୍ଭ ହୋଇ ୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ୮ଟି ଦଳକୁ ଚାରିଟି ଲେଖାଏଁ ଦଳର ଦୁଇଟି ପୁଲ୍‌ରେ ବିଭକ୍ତ କରାଯିବ। ନଭେମ୍ବର ୨୧ରୁ ୨୬ ଲିଗ୍ ପର୍ଯ୍ୟାୟ ଖେଳାଯିବ। ପ୍ରତ୍ୟେକ ପୁଲ୍‌ର ଶୀର୍ଷ ଦୁଇ ଦଳ ନକ୍‌ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏଥିରେ ଭାରତ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ ସୁଟିଂ ତାରକା ଅଂଶଗ୍ରହଣ କରିବେ। ସବୁ ଦଳରେ ସନ୍ତୁଳନ ରକ୍ଷା କରିବା ଲାଗି ଖେଳାଳିଙ୍କୁ ଚାରିଟି ସ୍ତର ଯଥା ଏଲିଟ୍ ଚାମ୍ପିଅନ୍ସ, ୱାର୍ଲଡ ଏଲିଟ୍, ନ୍ୟାସନାଲ ଚାମ୍ପିଅନ୍ସ ଏବଂ ଜୁନିଅର୍ ଓ ୟୁଥ୍ ଚାମ୍ପିଅନ୍ସରେ ବିଭକ୍ତ କରାଯିବ। ପ୍ରତିଯୋଗିତାର ଲୋଗୋ ନୂଆଦିଲ୍ଲୀରେ ଜୁନ୍ ୪ ତାରିଖରେ ଉନ୍ମୋଚିତ ହେବ। ଏଥିନେଇ ପୂର୍ବତନ ଅନ୍ତର୍ଜାତୀୟ ସୁଟିଂ ତାରକା, ବଲାଙ୍ଗୀର ସାଂସଦ ତଥା ଏନ୍‌ଆର୍‌ଏଆଇ ସଭାପତି କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ଏହା ହେଉଛି ଏକ ଶୀର୍ଷସ୍ତରୀୟ କ୍ରୀଡ଼ା ସହ ଲିଗ୍ ଶୈଳୀ ମନୋରଞ୍ଜନର ସମିଶ୍ରଣ। ଏସ୍ଏଲ୍‌ଆଇ, ସୁଟିଂକୁ ଏକ ଖେଳ ଭାବେ ନୂଆ ସ୍ତରକୁ ନେଇ ଆଗାମୀ ପିଢ଼ିଙ୍କୁ ଅନୁପ୍ରେରିତ କରିବ। ଏହାକୁ ଏବେ ଚାରିଆଡ଼ୁ ସମର୍ଥନ ମିଳୁଛି। ଏସ୍ଏଲ୍‌ଆଇ ଭାରତୀୟ ସୁଟିଂ ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣି ନୂଆ ସୀମା ସରହଦ ଛୁଇଁବ। ପ୍ରଥମ ଥର ଲାଗି ଏଭଳି ଏକ ଲିଗ୍‌ର ପରିକଳ୍ପନା କରି ଆମେ ଗର୍ବିତ। ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ପାଇଁ ବହୁ ବିଶ୍ବସ୍ତରୀୟ ସୁଟର୍‌ ଗୋଟିଏ ଦଳରୁ ଖେଳିବାର ସୁଯୋଗ ପାଇବେ। ନିଜ ନିଜ ମଧ୍ୟରେ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ବି ପାଇବେ। ଏହାଦ୍ବାରା କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ସୁଟିଂର ଉନ୍ନତି ହେବ। ବହୁ ଯୁବ ପ୍ରତିଭା ମଧ୍ୟ ଏହି ଖେଳ ପ୍ରତି ଆକର୍ଷିତ ହେବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *