TOP STORIESରାଜ୍ୟ

ଭକ୍ତଙ୍କ ପାଇଁ ଖୋଲୁନି ଶ୍ରୀଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଖୋଲୁନି ଶ୍ରୀଗୁଣ୍ଡିଚା ମନ୍ଦିର

ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କ ବାଲ୍ୟକାଳର ଲୀଳାଭୂମି। ଏଣୁ କେବଳ ରଥଯାତ୍ରା ବେଳେ ନୁହେଁ, ବରଂ ପ୍ରତ୍ୟେକ ଦିନ ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଭକ୍ତଙ୍କର ପ୍ରବଳ ଆଗ୍ରହ ଥାଏ

ପୁରୀ/ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : ହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କ ବାଲ୍ୟକାଳର ଲୀଳାଭୂମି। ଏଣୁ କେବଳ ରଥଯାତ୍ରା ବେଳେ ନୁହେଁ, ବରଂ ପ୍ରତ୍ୟେକ ଦିନ ଏହାକୁ ଦେଖିବା ପାଇଁ ପ୍ରତ୍ୟେକ ଭକ୍ତଙ୍କର ପ୍ରବଳ ଆଗ୍ରହ ଥାଏ। ରଥଯାତ୍ରା ବେଳେ ଠାକୁର ଯେଉଁଠି ବିଜେ କରନ୍ତି, ସେହି ଆଡ଼ପ ମଣ୍ଡପକୁ ଛୁଇଁ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରୁଥିବା ଅନୁଭବ କରନ୍ତି। ହେଲେ କୋଭିଡ୍‌ ଆଳରେ ଏହି ମନ୍ଦିରକୁ ଭକ୍ତଙ୍କ ପାଇଁ ବାରଣ କରାଯାଇଥିଲା। ୫ ବର୍ଷ ହେବ ଏହାକୁ ବନ୍ଦ ରଖାଯାଇଛି। କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହାକୁ ଖୋଲା ରଖାଯାଉଥିବା ବେଳେ ରଥଯାତ୍ରା ପରେ ତାଲା ପକାଇ ଦିଆଯାଉଛି।ବଡ଼କଥା ହେଉଛି, ୨୦୨୨ ମସିହାରେ ବସିଥିବା ଏକ ପରିଚାଳନା କମିଟି ବୈଠକରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୁରୁଣା କମିଟିର କାର୍ଯ୍ୟକାଳ ସରିବା ପରେ ଆଉ ନୂଆ କମିଟି ଗଠନ ହୋଇନଥିବାରୁ ନିଷ୍ପତ୍ତିକୁ ଅଧିକାରୀମାନେ ଚାପି ଦେଇଛନ୍ତି। ଫଳରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ରଥ ପୂର୍ବରୁ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।ସୂଚନା ମୁତାବକ, ଶ୍ରୀମନ୍ଦିରର ୯ଟି ମାହାଲ ରହିଛି। ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ, ନୀଳାଚଳ ଉପବନ, ଲୁଣ ପତ୍ର, ବଲ୍ଲଭଭୋଗ, ମହାଲକ୍ଷ୍ମୀ ଭଣ୍ଡାର, ରୋଷ ଦର୍ଶନ ମନ୍ଦିର ଭିତରେ ରହିଥିବା ବେଳେ ବାହାରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ନରେନ୍ଦ୍ର ସଂକଳ୍ପ ରହିଛି। ୨୦୧୯ ମସିହା ପର୍ଯ୍ୟନ୍ତ ଭକ୍ତଙ୍କଠାରୁ ଏହି ସବୁ ମାହାଲରୁ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଆଦାୟ କରୁଥିଲା। ୨୦୨୦ ମସିହାରେ ଏହି ସବୁ ମାହାଲରୁ ଅର୍ଥ ଆଦାୟ ବନ୍ଦ କରିବାକୁ ଦାବି ହେବାରୁ ୨୦୨୦ ମସିହା ଫେବ୍ରୁ୍ଆରି ମାସରେ ନିଷ୍ପତ୍ତି ନେଲା କି ସମସ୍ତ ଜାଗାରେ ଭକ୍ତଙ୍କୁ ମାଗଣାରେ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ। ପ୍ରାୟ ମାସେ କାଳ ଏହି ସବୁ ମାହାଲରୁ ଅର୍ଥ ଆଦାୟ ହେଲା ନାହିଁ। ଏହା ପରେ ମାର୍ଚ୍ଚ ମାସରେ କରୋନା ଆସିଥିଲା। ସେବେଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି। ରୋହିଣୀ କୁଣ୍ଡରେ ତାଲା ପଡ଼ିଛି। କୋଇଲି ବୈକୁଣ୍ଠ ଓ ରୋଷଘର ଦର୍ଶନ ପାଇଁ ଏବେ ଭକ୍ତଙ୍କୁ ଅର୍ଥ ଦେବାକୁ ପଡ଼ୁଛି। ଶ୍ରୀମନ୍ଦିର ପ୍ରଶାସନ ଏ ସବୁକୁ ଠିକା ଦେଇଛି। ବାରମ୍ବାର ଅଭିଯୋଗ ପରେ ୨୦୨୨ ଅଗଷ୍ଟ ମାସରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପ୍ରବେଶ ପାଇଁ ଦେୟମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା। ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ସର୍ତ୍ତ ଥିଲା କି ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ। ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି। ରୋଷଘରକୁ ବି ପ୍ରବେଶ କରିପାରିବେନି। ଏଥିପାଇଁ ଆଡ଼ପମଣ୍ଡପ ଚାରିପାର୍ଶ୍ବରୁ ଓ ରୋଷଘର ପାଖରେ ବି ବାରିକେଡିଂ କରାଯିବ। ଭକ୍ତଙ୍କୁ ଶୋଷଣ ଉପରେ ସିସିଟିଭି ସହ ସୁରକ୍ଷା କର୍ମୀ କଡ଼ା ନଜର ରଖିବେ। ଏହି ସର୍ତ୍ତରେ ୭ ଦିନ ମଧ୍ୟରେ ଖୋଲିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ବିଭିନ୍ନ ବାହାନା କରି ପ୍ରଶାସନ ଏହାକୁ ଖୋଲୁନାହିଁ। ବାସ୍ତବରେ ଅଧିକାରୀମାନେ ଏହାକୁ ମଧ୍ୟ ରୋଷଘର ଦର୍ଶନ, କୋଇଲିବୈକୁଣ୍ଠ ଓ ନରେନ୍ଦ୍ର ସଂକଳ୍ପ ଭଳି ଅର୍ଥ ଆଦାୟ କରିବାକୁ ଯୋଜନା କରିଛନ୍ତି। ପରିଚାଳନା କମିଟି ମାଗଣାରେ ଦର୍ଶନ ପାଇଁ ନିଷ୍ପତ୍ତି ନେଇଯିବାରୁ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଣୁ ‘ଅର୍ଥ ଯଦି ଆସିବନି, ତେବେ ଖୋଲିଲେ କେତେ ନ ଖୋଲିଲେ କେତେ’ ବୋଲି କହି ନିଷ୍ପତ୍ତିକୁ ଚାପି ଦେଇଥିବା ଅଭିଯୋଗ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *