LatestNewsଅପରାଧରାଜ୍ୟ

ଯାଜପୁରରେ ପିଲା ବିକ୍ରି ଘଟଣା

ଯାଜପୁରରେ ପିଲା ବିକ୍ରି ଘଟଣା…

୭ ବର୍ଷର ପୁଅ ଭୁବନରୁ ଉଦ୍ଧାର, ମା’ ଓ ପୁଅ ସିଡବ୍ଲ୍ୟୁସିରେ ହାଜର, ପୁଲିସର ତନାଘନା

ଯାଜପୁର/ଭୁବନେଶ୍ୱର ୩୦-୦୫-୨୦୨୫( ଏସ.ଏମ ) :  ଯାଜପୁରରେ ଜଣେ ମହିଳା ନିଜର ୭ ବର୍ଷର ନାବାଳକ ପୁଅକୁ ବିକ୍ରି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଦୁଇଦିନ ତଳେ ଫେରାର ମା’କୁ ପୁଲିସ ଠାବ କରିଥିବାବେଳେ ଆଜି ଢେଙ୍କାନାଳ ଭୁବନ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରି ଯାଜପୁର ଶିଶୁ ମଙ୍ଗଳ କମିଟିରେ ହାଜର କରାଇଛି। ଉଭୟ ମା’ ଓ ପୁଅଙ୍କୁ ଜିଲ୍ଲା ପ୍ରଶାସନ ହେପାଜତରେ ରଖାଯାଇଛି।

ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳର ପ୍ରଶାନ୍ତ ପରିଡ଼ା ଓ ତାଙ୍କ ପତ୍ନୀ ପୂଜା ପରିଡ଼ାଙ୍କ ମଧ୍ୟ‌ରେ ମନୋମାଳିନ୍ୟ ହେବା ପରେ ପୂଜା ଡୁବୁରୀ ଅଞ୍ଚଳରେ ରହି କାମଧନ୍ଦା କରୁଥିଲେ। ସେଠାରେ ଜଣେ ମହିଳାଙ୍କ ପ୍ରରୋଚନାରେ ଟଙ୍କା ପାଇଁ ନିଜ ପୁଅକୁ ଢେଙ୍କାନାଳ ଭୁବନ ଅଞ୍ଚଳର ଜଣେ ନିଃସନ୍ତାନ ଦମ୍ପତିକୁ ବିକ୍ରି କରି ଦେଇଥିଲେ। ତେବେ ଏହି ଘଟଣା ଜାଣିବା ପରେ ନାବାଳକର ବାପା ଓ ଜେଜେମା’ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ ସମିତି ଓ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା ଉକ୍ତ ଗାଁକୁ ଯାଇ ତଦନ୍ତ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଦୁଇଦିନ ତଳେ ପୁଲିସ ଫେରାର ପୂଜାଙ୍କୁ ବିଞ୍ଝାରପୁର ଅରେଇ ଗାଁରୁ ଧରି ଖୋଳତାଡ଼ କରିଥିଲା। ପରେ ଢେଙ୍କାନାଳ ଅଞ୍ଚଳରୁ ପୁଅକୁ ପୁଲିସ ଉଦ୍ଧାର କରିଛି।

ଶିଶୁ ସୁରକ୍ଷା ୟୁନିଟ୍‌ କାର୍ଯ୍ୟାଳୟରେ ନାବାଳକର କାଉନ୍‌ସେଲିଂ କରାଯିବା ସହ ଶିଶୁ ମଙ୍ଗଳ ସମିତିରେ ମା’ ଓ ନାବାଳକ ଶିଶୁପୁତ୍ରକୁ ପଚରାଉଚରା କରାଯାଇଥିଲା। ତେବେ ଶିଶୁପୁତ୍ରକୁ ରଖିଥିବା ଦମ୍ପତି ପିଲାର ପ୍ରମାଣପତ୍ରକୁ ବେଆଇନ ଭାବେ ତାଙ୍କ ନାଁରେ କରି ଦେଇଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ପିଲାର ଜନ୍ମିତ ଗାଁରେ ମଧ୍ୟ ଅନ୍ୟ ଏକ ପ୍ରମାଣପତ୍ର ରହିଛି। ଶିଶୁପୁତ୍ରଟି ଆଜି ତା’ର ପ୍ରକୃତ ମା’କୁ ଚିହ୍ନି ପାରିନଥିଲା। ନାବାଳକକୁ ଅସ୍ଥାୟୀ ଭ‌ାବେ ଯାଜପୁର ବାଳାଶ୍ରମରେ ରଖାଯାଇଛି। କୋର୍ଟରେ ବୟାନ ରେକର୍ଡ ପର୍ଯ୍ୟନ୍ତ ‌ମା’କୁ ବି ସର୍ଟଷ୍ଟେ ହୋମ୍‌ରେ ରଖାଯାଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଉପରେ ଘଟଣାର ଶୁଣାଣି ନିର୍ଭର କରୁଥିବା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଜେନା କହିଛନ୍ତି। ଅନ୍ୟପଟେ ଏସ୍‌ଡିପିଓ ପ୍ରଶାନ୍ତ ମାଝୀ କହିଛନ୍ତି ଯେ ପୁଲିସ ଖୁବ୍‌ଶୀଘ୍ର ଏହି ଘଟଣାରେ ସଫଳତା ପାଇଥିବାବେଳେ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *