ଏସୀୟ ଦୌଡ଼କୁଦ: ଭାରତକୁ ଆଉ ୩ ସ୍ବର୍ଣ୍ଣ
ଏସୀୟ ଦୌଡ଼କୁଦ: ଭାରତକୁ ଆଉ ୩ ସ୍ବର୍ଣ୍ଣ
ଚଳିତ ୨୭ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ୩ଟି ଅପ୍ରତ୍ୟାଶିତ ସ୍ବର୍ଣ୍ଣ ପଦକ ଅମଳ କରିଛନ୍ତି। ୩୬ ବର୍ଷର ଅନ୍ତ ଘଟାଇ ପୁରୁଷ ୩୦୦୦ ମିଟର୍ ଷ୍ଟିପଲ୍ଚେଜ୍ରେ ଅବିନାଶ ସାବ୍ଲେ ସ୍ବର୍ଣ୍ଣ ପଦକ ଜିତିଛନ୍ତି
ଗୁମି (ଦକ୍ଷିଣ କୋରିଆ)/ନୂଆଦିଲ୍ଲୀ୩୦-୦୫-୨୦୨୫ (ଏସ .ଏମ ) : ଚଳିତ ୨୭ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ୩ଟି ଅପ୍ରତ୍ୟାଶିତ ସ୍ବର୍ଣ୍ଣ ପଦକ ଅମଳ କରିଛନ୍ତି। ୩୬ ବର୍ଷର ଅନ୍ତ ଘଟାଇ ପୁରୁଷ ୩୦୦୦ ମିଟର୍ ଷ୍ଟିପଲ୍ଚେଜ୍ରେ ଅବିନାଶ ସାବ୍ଲେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିବା ଅବିନାଶ ସାବ୍ଲେ ଶେଷ ୬ ଲ୍ୟାପ୍ ପୂର୍ବରୁ ତୃତୀୟ ସ୍ଥାନରେ ରହିଥିଲେ। ଦୁଇ ଜାପାନୀ ଖେଳାଳିଙ୍କ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ୨ ଲ୍ୟାପ୍ ପୂର୍ବରୁ ଦ୍ବିତୀୟ ସ୍ଥାନକୁ ଉଠିଥିଲେ। ଅନ୍ତିମ ଲ୍ୟାପ୍ରେ କିନ୍ତୁ ସମସ୍ତଙ୍କୁ ଚକିତ କରି ଅବିନାଶ ଅବିଶ୍ବସନୀୟ ଗତି ସହ ଜାପାନର ୟୁତାରୋ ନିନାଏଙ୍କୁ ପଛରେ ପକାଇଦେଇଥିଲେ। ୱାଟର୍ ଜମ୍ପ୍ ପରେ ପରେ ସେ ପ୍ରଥମ ସ୍ଥାନରେ ପହଞ୍ଚି ସ୍ବର୍ଣ୍ଣିମ ସ୍ବପ୍ନକୁ ସାକାର କରିନେଇଥିଲେ। ନିନାଏ ଜାପାନକୁ ରୌପ୍ୟ ପଦକ ଦେଇଥିବା ବେଳେ କତରର ଜାକାରିଆ ଇଲାଲାମି କାଂସ୍ୟ ପଦକ ହାସଲ କରିଥିଲେ।
ଭାରତ ପାଇଁ ଆଉ ଏକ ବହୁ ପ୍ରତୀକ୍ଷିତ ସ୍ବର୍ଣ୍ଣ ପଦକ ଜିତିଥିଲେ ଭାରତୀୟ ମହିଳା ରିଲେ ଦଳ। ଜିସ୍ନା ମାଥ୍ୟୁ, ରୁପଲ ଚୌଧୁରୀ, ରଜିଥା କୁଞ୍ଜ, ଶୁଭ ଭେଙ୍କଟେଶନଙ୍କୁ ନେଇ ଗଠିତ ଭାରତୀୟ ୪ ଗୁଣା ୪୦୦ ମିଟର୍ ମହିଳା ରିଲେ ଦଳ ସିଜନ୍ ଶ୍ରେଷ୍ଠ ପ୍ରଦର୍ଶନ (୩:୩୪.୧୮) ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୨ ବର୍ଷ ପରେ ଭାରତକୁ ଏହି ଇଭେଣ୍ଟ୍ରୁ ସ୍ବର୍ଣ୍ଣ ପଦକ ମିଳିଥିଲା। ଭିଏତ୍ନାମ ଓ ଶ୍ରୀଲଙ୍କା ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ରୁପଲ ଓ ଶୁଭ କ୍ରମାଗତ ଦ୍ବିତୀୟ ଦିନ ସ୍ବର୍ଣ୍ଣ ପଦକ ଜିତିଥିଲେ। ବୁଧବାର ଏମାନେ ଭାରତୀୟ ମିଶ୍ରିତ ୪୦୦ ମିଟର୍ ରିଲେ ଦଳକୁ ବି ସ୍ବର୍ଣ୍ଣ ପଦକ ଦେଇଥିଲେ। ଗୁରୁବାର ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକଟି ଦେଇଥିଲେ ସ୍ପ୍ରିଣ୍ଟର୍ ଜ୍ୟୋତି ୟାରାଜୀ। ୧୦୦ ମିଟର୍ ମହିଳା ବାଧାଦୌଡ଼ରେ ଜ୍ୟୋତି ୧୨.୯୬ ସେକେଣ୍ଡ୍ ସମୟ ସହିତ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ୨୦୨୩ରେ ବ୍ୟାଙ୍କକ୍ରେ ଅନୁଷ୍ଠିତ ଗତ ସଂସ୍କରଣ ଏସୀୟ ଦୌଡ଼କୁଦରେ ମଧ୍ୟ ଜ୍ୟୋତି ଏହି ଇଭେଣ୍ଟ୍ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭୁବନେଶ୍ବରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ୍ରେ ତାଲିମପ୍ରାପ୍ତ ଜ୍ୟୋତିଙ୍କ ପଛକୁ ରହି ଜାପାନର ୟୁମି ତାନାକା ଏବଂ ଚୀନର ୟୁ ୟାନି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।
୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ ସାବ୍ଲେ, ଟାଇଟଲ୍ ବଜାୟ ରଖିଲେ ଜ୍ୟୋତି ୟାରାଜୀ, ୧୨ ବର୍ଷ ପରେ ମହିଳା ରିଲେ ଦଳକୁ ମୁକୁଟ
ଗୁରୁବାର ଭାରତ ପାଇଁ ପୁରୁଷ ୪ଗୁଣା ୪୦୦ ମିଟର୍ ରିଲେ ଦଳ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଜୟ କୁମାର, ଧରମବୀର ଚୌଧୁରୀ, ବିଶାଲ ଥେନାରାଜୁ କାୟାଲଭିଜି ଓ ମନୁ ଥେକିନାଲିଲ ସାଜି ୩:୦୩.୬୭ ଟାଇମିଂ ସହିତ ଦ୍ବିତୀୟରେ ରହିଥିବା ବେଳେ କତର ଓ ଚୀନ ରିଲେ ଦଳ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ମହିଳା ଲଙ୍ଗ୍ଜମ୍ପ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଆନ୍ସି ସୋଜନ୍ ଏବଂ ସାଇଲି ସିଂହ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଭାରତକୁ ଗୋଟିଏ ଇଭେଣ୍ଟରୁ ୨ ପଦକ ଦେଇଥିଲେ। ଇରାନର ରିହାନେ ମୋବିନି ଆରାନି (୬.୪୦ ମିଟର୍) ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଆନସୀ (୬.୩୩) ଓ ସାଇଲି (୬.୩୦) ତାଙ୍କ ପଛକୁ ପଛ ରହିଥିଲେ। ମୋବିନି କିନ୍ତୁ ଇରାନ୍ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଥିଲେ। ମହିଳା ହେପ୍ଟାଥଲନ୍ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି ହୋଇଛି। ୪ ଇଭେଣ୍ଟ୍ ସୁଦ୍ଧା ଭାରତର ନନ୍ଦିନୀ ଅଗସରା (୩,୬୧୦ ପଏଣ୍ଟ) ଶୀର୍ଷରେ ରହିଛନ୍ତି। ଚୀନର ଲିୟୁ ଜିଙ୍କି (୩,୪୧୨) ଓ ତାଇପେଇର କାଇ ଜୁଆନ୍ ଚେନ୍ (୩,୪୧୦) ପରବର୍ତ୍ତୀ ଦୁଇ ସ୍ଥାନରେ ରହିଛନ୍ତି। ଗୁରୁବାର ଅନୁଷ୍ଠିତ ୨୦୦ ମିଟର୍ ଦୌଡ଼ରେ ବି ନନ୍ଦିନୀ ଶୀର୍ଷରେ ରହିଥିଲେ। ଅନ୍ତିମ ୩ ଇଭେଣ୍ଟ୍ ଲଙ୍ଗ୍ ଜମ୍ପ୍, ଜାଭଲିନ୍ ଥ୍ରୋ ଓ ୮୦୦ ମିଟର୍ ଦୌଡ଼ ଶୁକ୍ରବାର ଖେଳାଯିବ। ଓଡ଼ିଶାର ଅନିମେଶ କୁଜୁର ମଧ୍ୟ ଶୁକ୍ରବାର ତାଙ୍କ ୨୦୦ ମିଟର୍ ଅଭିଯାନ ଆରମ୍ଭ କରିବେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ସ୍ବର୍ଣ୍ଣ, ୬ ରୌପ୍ୟ, ୩ କାଂସ୍ୟ ସହ ମୋଟ ୧୪ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଛି। ଶୀର୍ଷରେ ଥିବା ଚୀନ ୧୨ ସ୍ବର୍ଣ୍ଣ, ୬ ରୌପ୍ୟ, ୩ କାଂସ୍ୟ ସହ ୨୧ ପଦକ ଜିତିଛି।