ରାଜନୀତିରାଜ୍ୟ

ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ ୩ ଥର

ଭୁବନେଶ୍ବର/କାମାକ୍ଷାନଗର ,୩୧-୦୫-୨୦୨୫(ଏସ .ଏମ ) : କାମାକ୍ଷାନଗର ନିର୍ବାଚନମଣ୍ଡଳୀର ତିନିଥରର ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଶ୍ରୀ ପଟ୍ଟନାୟକ ୧୯୬୪ ମସିହାରେ ଛାତ୍ର ରାଜନୀତିରୁ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ ସେ ସ୍ବତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ। ପରେ ‘ସ୍ବତନ୍ତ୍ର ପାର୍ଟି’ ‘ଲୋକ ଦଳ’ରେ ବିଲୟ ହୋଇଯାଇଥିଲା। ସେ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଢେଙ୍କାନାଳ ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ବରେ ଥିଲେ। ୧୯୭୪ ମସିହାରେ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ। ପରେ ସେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ। ୧୯୭୭ ସାଧାରଣ ନିର୍ବାଚନରେ ସେ ଜନତା ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ୨୮ ବର୍ଷ ବୟସରେ ସେ କାମାକ୍ଷାନଗର ଆସନରୁ ନିର୍ବାଚିତ ହୋଇ ରାଜ୍ୟର ସର୍ବକନିଷ୍ଠ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ।

କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ ୩ ଥର
ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେଲେ କାମାକ୍ଷାନଗରବାସୀ
ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

୧୯୮୦ରେ ଭାରତୀୟ ଜନସଂଘ ଭାରତୀୟ ଜନତା ପାର୍ଟିରେ ପରିଣତ ହେବା ପରେ ଅଟଳ ବିହାର ବାଜପେୟୀଙ୍କ ନେତୃତ୍ବରେ ସେ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚିତ ହୋଇଥିଲେ। ଏହି ସମୟରେ ବିଜେପିକୁ ଓଡ଼ିଶାରେ ମଜଭୁତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ୧୯୮୫ ସାଧାରଣ ନିର୍ବାଚନରେ ସେ ଏକମାତ୍ର ବିଜେପି ବିଧାୟକ ଭାବେ ରାଜ୍ୟରେ ନିର୍ବାଚିତ ହୋଇ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳରେ ଯୋଗ ଦେଇ ୧୯୯୦ରୁ ୯୫ ପର୍ଯ୍ୟନ୍ତ ପୁଣି କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ତାଙ୍କ ପତ୍ନୀ ନଳିନୀପ୍ରଭା ପଟ୍ଟନାୟକଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ, ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ ସହିତ ଅଞ୍ଚଳର ୧୫ରୁ ଅଧିକ ଶିକ୍ଷାନୁଷ୍ଠାନ ନିର୍ମାଣ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଆଜି ବିଧାନସଭା ଓ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବହୁ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ। ଶିକ୍ଷା, ସାମାଜିକ ସେବା ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ଅସାମାନ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ବହୁ ପଦାଧିକାରୀ ଶୋକ ବ୍ୟକ୍ତ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର କାମାକ୍ଷାନଗରରେ ପହଞ୍ଚିବା ପରେ ଶତାଧିକ ଜନସାଧାରଣ ପ୍ରିୟନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *