ଖେଳଦେଶ- ବିଦେଶରାଜନୀତି

ବେଙ୍ଗାଲୁରୁ ଦଳାଚକଟା ମାମଲା ଘଟଣା

ବେଙ୍ଗାଲୁରୁ ଦଳାଚକଟା ମାମଲା ଘଟଣା

ଶୀର୍ଷ ଆର୍‌ସିବି ଅଧିକାରୀଙ୍କ ସମେତ ୪ ଗିରଫ

ବେଙ୍ଗାଲୁରୁ/ଭୁବନେଶ୍ୱର ୦୭-୦୬-୨୦୨୫(ଏସ .ଏମ ) : ର୍‌ସିବି (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ) ଟିମ୍‌ର ପ୍ରଥମ ଆଇପିଏଲ୍‌ ବିଜୟ ଉତ୍ସବ ପାଳନ ସମୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୧ ଜଣଙ୍କ ପ୍ରାଣହାନି ହୋଇଛି। ଏହି ଘଟଣାରେ ପୁଲିସ ଆର୍‌ସିବିର ଜଣେ ଶୀର୍ଷ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଅନୁଯାୟୀ ଆର୍‌ସିବିର ଶୀର୍ଷ ମାର୍କେଟିଂ ଅଧିକାରୀ ନିଖିଲ ସୋସେଲ୍‌ଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ନିଖିଲ ଆଜି ସକାଳେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ କମ୍ପାନି ଡିଏନ୍‌ଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ସଦସ୍ୟ। କର୍ଣ୍ଣାଟକ ଷ୍ଟେଟ୍‌ କ୍ରିକେଟ୍‌ ଏସୋସିଏସନ୍‌ (କେଏସ୍‌ସିଏ)ର ୨ ଜଣ ଅଧିକାରୀ ତଥା ସମ୍ପାଦକ ଶଙ୍କର ଏବଂ କୋଷାଧ୍ୟକ୍ଷ ଜୟରାମ ଏବେ ଫେରାର୍‌ ଅଛନ୍ତି। ପୁଲିସ ସେମାନଙ୍କୁ ଖୋଜୁଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ବହିଷ୍କୃତ
ସୀମାନ୍ତ କୁମାର ସିଂହ ନୂଆ ବେଙ୍ଗାଲୁରୁ ପୁଲିସ କମିସନର

ଅନ୍ୟପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ରାଜ‌ନୈତିକ ସଚିବ କେ ଗୋବିନ୍ଦରାଜଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି। ଦଳାଚକଟା ଘଟଣା ପାଇଁ ରାଜ୍ୟ ସରକାର କଡ଼ା ସମାଲୋଚନାର ଶିକାର ହୋଇଥିବାବେଳେ ଏହି ସମୟରେ କେ ଗୋବିନ୍ଦରାଜ ତାଙ୍କ ପଦରୁ ବହିଷ୍କୃତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି। କିନ୍ତୁ ଏଥିପାଇଁ କୌଣସି କାରଣ ଦର୍ଶାଯାଇନି। ଆର୍‌ସିବି ଆଇପିଏଲ୍‌ ଟିମ୍‌ର ବିଜୟ ପରେଡ୍‌ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା କୁହାଯାଉଛି। କିନ୍ତୁ ଏହାକୁ ଗୋବିନ୍ଦରାଜ ଖଣ୍ଡନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାପାଇଁ ମୁଁ କିଏ ? ଅନ୍ୟପକ୍ଷେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଅଦଳ ବଦଳରେ ବରିଷ୍ଠ ଆଇପିଏସ୍‌ ଅଫିସର ସୀମାନ୍ତ କୁମାର ସିଂହଙ୍କୁ ବେଙ୍ଗାଲୁରୁର ନୂଆ ପୁଲିସ କମିସନର ନିଯୁକ୍ତ କରାଯାଇଛି। ବି ଦୟାନନ୍ଦଙ୍କ ସ୍ଥାନରେ ସେ ବେଙ୍ଗାଲୁରୁର ନୂଆ କମିସନର ନିଯୁକ୍ତ ହୋଇଛନ୍ତି। ସିଂହ ହେଉଛନ୍ତି ୧୯୯୬ ବ୍ୟାଚ୍‌ର ଜଣେ ଆଇପିଏସ୍‌ ଅଫିସର ଏବଂ ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟାସ୍କ ଫୋର୍ସ୍‌ର ଏଡିଜିପି। ‌ତାଙ୍କୁ ବେଙ୍ଗାଲୁରୁ ସିଟି ପୁଲିସ କମିସନର ସହ ଏଡିଜିପି ଦାୟିତ୍ବ ମଧ୍ୟ ଦିଆଯାଇଛି।

ବିଜେପି ନିଶାଣରେ କଂଗ୍ରେସ ସରକାର, ହତ୍ୟାକାରୀ ଏବେ ପୁଲିସକୁ ଦଣ୍ଡ ଦେଉଛନ୍ତି

ନୂଆଦିଲ୍ଲୀ ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କ୍ରମରେ ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ ନିଲମ୍ବିତ ହୋଇଥିବା ବେଳେ ଏହାକୁ ବିଜେପି ଜୋରଦାର ବିରୋଧ କରିଛି। ଏହା ପୁଲିସ ବାହିନୀ ଉପରେ ଏକ ଅପ୍ରତ୍ୟାଶିତ ଆକ୍ରମଣ ଏବଂ କଂଗ୍ରେସ ସରକାରର ଅରାଜକତା ବୋଲି ଦଳ କହିଛି। ଦଳ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍‌ କରାଯାଇଛି ଏବଂ ଲେଖାଯାଇଛି ‘ ପ୍ରଥମ ଥର ପାଇଁ କର୍ଣ୍ଣାଟକ ଇତିହାସରେ ହତ୍ୟାକାରୀମାନେ ଶୀର୍ଷ ପୁଲିସ ଅଧିକାରୀଙ୍କୁ ଦଣ୍ଡ ଦେଉଛନ୍ତି। ଏଥିସହ ସେମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କର ଏକ ବିକୃତ ଫଟୋ ପୋଷ୍ଟ୍‌ କରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହା‌ରେ ଦଳାଚକଟା ହୋଇ ୧୧ ଲୋକଙ୍କ ମୃତ୍ୟୁ ହେବାର ଦିନକ ପରେ ବେଙ୍ଗାଲୁରୁ ସିଟି ପୁଲିସ କମିସନର ଭାବେ ଦାୟିତ୍ବ ତୁଲାଇଥିବା ଦୟାନନ୍ଦ ନିଲମ୍ବିତ ହୋଇଛନ୍ତି। ଦୟାନନ୍ଦଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର ଏହି ନିଷ୍ପତ୍ତିକୁ ବିଜେପି କଡ଼ା ସମାଲୋଚନା କରିଛି। କର୍ଣ୍ଣାଟକ ବିଜେପି ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ସରକାରଙ୍କ କାର୍ଯ୍ୟକୁ ଲଜ୍ଜାଜନକ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ୟେଦୁରପ୍ପା କହିଛନ୍ତି- ‘ଆର୍‌ସିବି ବିଜୟ ଉତ୍ସବ ପାଳନ କରିବା ସମୟରେ ସରକାର ନିଜର ନୈତିକ କର୍ତ୍ତବ୍ୟ ଭୁଲି ଯାଇଥିଲେ। ଜନସାଧାରଣଙ୍କ କ୍ରୋଧକୁ ଶାନ୍ତ କରିବାପାଇଁ ସେମାନେ ପୁଲିସ କମିସନରଙ୍କ ସମେତ ୫ ପୁଲିସ ଅଫିସରଙ୍କୁ ବଳିର ବୋଦା କରିଛନ୍ତି। ଏହା କର୍ଣ୍ଣାଟକ ଇତିହାସରେ ଏକ କଳା ଅଧ୍ୟାୟ।’

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *