ବିହାରରେ ୫,୨୦୦ କୋଟିର ବିକାଶ ପ୍ରକଳ୍ପ ଶିଳାନ୍ୟାସ
ବିହାରରେ ୫,୨୦୦ କୋଟିର ବିକାଶ ପ୍ରକଳ୍ପ ଶିଳାନ୍ୟାସ
ବିହାରର ସିୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର୨୧-୦୬-୨୦୨୫(ଏସ .ଏମ ) : ବିହାରର ସିୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମୋଦୀ ଆଜି ସିୱାନରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି ଏବଂ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଉତ୍ତର ବିହାରରେ ଯୋଗାଯୋଗ ସୁଦୃଢ଼ କରିବାପାଇଁ ମୋଦୀ ପାଟଳିପୁତ୍ରରୁ ଗୋରଖପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ୪୦୦ କୋଟିରୁ ଅଧିକ ଟଙ୍କାର ବୈଶାଳୀ-ଦେଓରିଆ ରେଳଲାଇନ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଏବଂ ଏହି ପଥରେ ଏକ ନୂଆ ରେଳ ସେବା ଶୁଭାରମ୍ଭ କରିଛନ୍ତି। ଶକ୍ତି ଭିତ୍ତିଭୂମି ଏବଂ ଆବାସ, ପାନୀୟ ଜଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ମୋଦୀ ଶୁଭାରମ୍ଭ କରିଛନ୍ତି। ୫୩,୬୦୦ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଦେଇଛନ୍ତି ଏବଂ ଏଥିସହ ଶେଷ ହୋଇଥିବା ୬,୬୦୦ ଘରର ଏକ ସାଙ୍କେତିକ ଗୃହ ପ୍ରବେଶ କରାଇଛନ୍ତି।
ଆର୍ଜେଡି, କଂଗ୍ରେସ ବାବାସାହେବଙ୍କୁ ଅପମାନିତ କରୁଛନ୍ତି: ମୋଦୀ
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବାବାସାହେବ ଆମ୍ବେଦକରଙ୍କର ଫଟୋ ଲାଲୁ ଯାଦବଙ୍କ ପାଦ ନିକଟରେ ରଖାଯାଇଥିବା ପ୍ରସଙ୍ଗରେ ମୋଦୀ ଲାଲୁଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଆର୍ଜେଡି ଓ କଂଗ୍ରେସ ବାବା ସାହେବଙ୍କୁ ସର୍ବଦା ସେମାନଙ୍କ ପାଦ ତଳେ ରଖିଛନ୍ତି। ମୁଁ ତାଙ୍କୁ ମୋ ହୃଦୟରେ ରଖିଛି। ମୋଦୀ କହିଛନ୍ତି, ସମଗ୍ର ଦେଶ ଦେଖିଛି ଆରେ୍ଜେଡି ଆମ୍ବେଦକରଙ୍କ ଫଟୋ ସହ କ’ଣ କରିଛି। ସେମାନଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ମଧ୍ୟ ଦାବି କରାଯାଇଛି। କିନ୍ତୁ ଦଳିତ ଏବଂ ଅତିରିକ୍ତ ପଛୁଆ ଶ୍ରେଣୀ ପାଇଁ ସେମାନଙ୍କ ସମ୍ମାନ ନଥିବାରୁ ସେମାନେ କ୍ଷମା ବି ମାଗିବେ ନାହିଁ ବୋଲି ମୋଦୀ କହିଛନ୍ତି। ‘ସବ୍ କା ସାଥ, ସବ୍ କା ବିକାଶ’ ଉପରେ ମୁଁ ଗୁରୁତ୍ବ ଦେଉଛି କିନ୍ତୁ ଆର୍ଜେଡି ଓ କଂଗ୍ରେସର ଲକ୍ଷ୍ୟ କେବଳ ‘ପରିବାର କା ସାଥ ପରିବାର କା ବିକାଶ’ ବୋଲି ମୋଦୀ କହିଛନ୍ତି।