ଦେଶ- ବିଦେଶରାଜନୀତି

୫ ବିଧାନସଭା ଉପନିର୍ବାଚନ ଫଳ ପ୍ରକାଶ

୫ ବିଧାନସଭା ଉପନିର୍ବାଚନ ଫଳ ପ୍ରକାଶ

୨ ଆସନରେ ଜିତିଲା ଆପ୍‌, କଂଗ୍ରେସ, ଟିଏମ୍‌ସି, ବିଜେପିକୁ ଗୋଟିଏ ଲେଖାଏଁ ଆସନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୦୬-୨୦୨୫(ଏସ .ଏମ ) : ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିବା ପରେ ଆପ୍‌ ଦଳର ରାଜନୈତିକ ସ୍ଥିତି ଏକପ୍ରକାର ଦୋହଲି ଯାଇଥିଲା। କିନ୍ତୁ ନିକଟ‌ରେ ‌ଶେଷ ହୋଇଥିବା ୪ ରାଜ୍ୟର ୫ ବିଧାନସଭା ଆସନ ଉପନିର୍ବାଚନରେ ଆପ୍‌ ବାଜି ମାରିଛି। ପଞ୍ଜାବର ଲୁଧିଆନା ପଶ୍ଚିମ ଏବଂ ଗୁଜରାଟର ବିସାବଦର ଆସନରେ ଆପ୍‌ ବିଜୟୀ ହୋଇଛି। ଅନ୍ୟପକ୍ଷେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ (ୟୁନାଇଟେଡ୍‌ ଡେ ମୋକ୍ରାଟିକ ଫ୍ରଣ୍ଟ୍‌) କେରଳର ନିଳାମ୍ବୁର ଆସନରେ ଜିତିଛି। ବିଜେପି ସମସ୍ତ ୫ଟି ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଏହା କେବଳ ଗୁଜରାଟର କଡ଼ି ଆସନରେ ନିର୍ବାଚନ ଜିତିଛି। ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନ ବଜାୟ ରଖିଛି। ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରେ ଆପ୍‌ ସମସ୍ତ ଉଦ୍ୟମ ଲଗାଇ ଦେଇଥିଲା। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଦିଆ ଏବଂ ଆତିଶୀ ପ୍ରାର୍ଥୀ ସଂଜୀବ ଆରୋରାଙ୍କ ପାଇଁ ପ୍ରଚାର କରିଥିଲେ। କେଜ୍ରିୱାଲ ବ୍ୟକ୍ତିଗତ ଭାବେ ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ କରିଥିଲେ।

ପଞ୍ଜାବ ବିଧାନସଭା ନିର୍ବାଚନ ଆଉ ମାତ୍ର ୨ ବର୍ଷ ବାକିଥିବାବେଳେ ଏହା ପୂର୍ବରୁ ଆପ୍‌ର ଏହି ବିଜୟକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆପ୍‌ର ଆରୋରା ଲୁଧିଆନା ପଶ୍ଚିମ ଆସନରେ ୧୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତାଙ୍କ ପଛକୁ କଂଗ୍ରେସର ଭରତ ଭୂଷଣ ଆଶୁ ଥିବାବେଳେ ବିଜେପିର ଜିୱନ ଗୁପ୍ତା ‌ସବା ଶେଷରେ ରହିଛନ୍ତି। ଆପ୍‌ ବିଧାୟକ ଗୁରପ୍ରିସ ବସିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ପ୍ରିୟଙ୍କା ଗାନ୍ଧୀ ପ୍ରତିନିଧିତ୍ବ କରୁଥିବା ୱାୟନାଡ଼ ଲୋକସଭା ଆସନର ଏକ ଅଂଶ ନିଲାମ୍ବୁର ଉପନିର୍ବାଚନ କଂଗ୍ରେସ ପାଇଁ ଏକ ସମ୍ମାନର ପ୍ରଶ୍ନ ଥିଲା। କଂଗ୍ରେସର ଆର୍ଯ୍ୟଦାନ ଶୌକଥ ନିଳାମ୍ବୁର ଆସନରେ ୧୧ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି। ସେ ‌ଶାସକ ବାମ ଦଳର ଏମ୍‌ ସ୍ବରାଜଙ୍କୁ ହରାଇଛନ୍ତି। ଶୌକଥ ୭୭,୭୩୬ ଭୋଟ୍‌ ପାଇଥିବାବେଳେ ସ୍ବରାଜ ୬୬,୬୬୦ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷେ ଆପ୍‌ର ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆ ବିସାବଦରରେ ନିର୍ବାଚନ ଜିତିଛନ୍ତି। ୨୦୨୩ରୁ ଏହି ଆସନ ଖାଲି ପଡ଼ିଥିଲା। ଆପ୍‌ ବିଧା‌ୟକ ଭୂପେନ୍ଦ୍ର ଭାୟାନି ଉକ୍ତ ଆସନରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାପରେ ଏହି ଆସନ ଖାଲି ପଡ଼ିଥିଲା। ସେହିପରି ଗୁଜରାଟର କଡ଼ି ଆସନରୁ ବିଜେପିର ରାଜେନ୍ଦ୍ର ଚାବଡ଼ା ନିର୍ବାଚନ ଜିତିଛନ୍ତି। ୩୯ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ସେ ନିର୍ବାଚନ ଜିତିଛନ୍ତି। ବିଜେପି ବିଧାୟକ କରସନ ସୋଲାଙ୍କିଙ୍କ ମୃତ୍ୟୁ ପରଠାରୁ ଉକ୍ତ ଆସନ ଖାଲି ପଡ଼ିଥିଲା। ସେହିପରି ପଶ୍ଚିମବଙ୍ଗର କାଲିଗଞ୍ଜ ଆସନରେ ତୃଣମୂଳ କଂଗ୍ରେସର ଅଲିଫା ଅହମଦ ୫୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *