କିଂବଦନ୍ତି ସ୍ପିନର୍ ଦିଲୀପ ଦୋଶୀଙ୍କ ପରଲୋକ
କିଂବଦନ୍ତି ସ୍ପିନର୍ ଦିଲୀପ ଦୋଶୀଙ୍କ ପରଲୋକ
ମହାନ କ୍ରିକେଟର୍ ଦିଲୀପ ଦୋଶୀଙ୍କର ସୋମବାର ରାତିରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍ଘାତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ବ କରିଥିବା ଏହି ବାମହାତୀ ସ୍ପିନର୍ ୩୩ ଟେଷ୍ଟ୍ ଓ ୧୫ ଦିନିକିଆ ଖେଳିଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୦୬-୨୦୨୫(ଏସ .ଏମ ) : ମହାନ କ୍ରିକେଟର୍ ଦିଲୀପ ଦୋଶୀଙ୍କର ସୋମବାର ରାତିରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍ଘାତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ବ କରିଥିବା ଏହି ବାମହାତୀ ସ୍ପିନର୍ ୩୩ ଟେଷ୍ଟ୍ ଓ ୧୫ ଦିନିକିଆ ଖେଳିଥିଲେ। ଘରୋଇ କ୍ରିକେଟ୍ରେ ସେ ସୌରାଷ୍ଟ୍ର ପାଇଁ ଖେଳିଥିଲେ। ନିଜ ଦକ୍ଷତା, ସଙ୍କଳ୍ପ ତଥା ଅସାଧାରଣ ପ୍ରତିଭା ପାଇଁ ସେ ବିଶ୍ବ କ୍ରିକେଟ୍ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିକଟରେ ସେ ବିସିସିଆଇ ପୁରସ୍କାର ପ୍ରଦାନ ଉତ୍ସବ ଏବଂ ଲର୍ଡସରେ ଅନୁଷ୍ଠିତ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ବେଳେ ମଧ୍ୟ ଉପସ୍ଥିତ ଥିଲେ। ୩୩ ଟେଷ୍ଟରୁ ୧୧୪ ୱିକେଟ୍ ଏବଂ ୧୫ ଦିନିକିଆରୁ ସେ ୨୨ ୱିକେଟ୍ ଅକ୍ତିଆର କରିଥିଲେ।
୧୯୮୧ ମସିହାର ମେଲବର୍ଣ୍ଣ ଟେଷ୍ଟ୍ରେ ସେ ନେଇଥିବା ୫ ୱିକେଟ୍ ସଫଳତାକୁ ଶ୍ରେଷ୍ଠ ବିବେଚନା କରିଥାନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ କିନ୍ତୁ ସେ ୨୩୮ ମ୍ୟାଚ୍ରୁ ୪୩ ଥର ୫ ୱିକେଟ୍ ସହିତ ମୋଟ ୮୯୮ ୱିକେଟ୍ ଅକ୍ତିଆର କରିବା ତାଙ୍କ କ୍ରିକେଟ୍ ଯାତ୍ରାକୁ ପ୍ରତିଫଳିତ କରୁଛି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ସୌରାଷ୍ଟ୍ର, ବେଙ୍ଗଲ, ନଟିଂହାମସାୟାର, ୱାରୱିକ୍ସାୟାର ପାଇଁ ଖେଳିଥିଲେ। ଦିଲୀପ ଦୋଶୀଙ୍କ ପରଲୋକ ଖବର ପାଇ ଭାରତୀୟ କ୍ରିକେଟ୍ ଦୁନିଆ ଶୋକରେ ମ୍ରିୟମାଣ ହୋଇଯାଇଛି। ପୂର୍ବତନ ବିସିସିଆଇ ସଭାପତି ନିରଂଜନ ସାହା, ସୌରାଷ୍ଟ୍ର କ୍ରିକେଟ୍ ସଂଘ ସଭାପତି ଜୟଦେବ ସାହାଙ୍କ ସହ ବହୁ ପୂର୍ବତନ କ୍ରିକେଟର୍ ଶୋକ ପ୍ରକାଶ କରିଛନ୍ତି।