ଖେଳଦେଶ- ବିଦେଶ

ପରାଜୟରୁ ଗିଲ୍ ଯୁଗ ଆରମ୍ଭ

ପରାଜୟରୁ ଗିଲ୍ ଯୁଗ ଆରମ୍ଭ

ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବାର ଚାପ ଆଗରେ ଏସବୁ ସ୍ମରଣୀୟ ସଫଳତା ଫିକା ପଡ଼ିଯାଇଛି

ଲିଡ୍‌ସ/ନୂଆଦିଲ୍ଲୀ ୨୫-୦୬-୨୦୨୫(ଏସ .ଏମ ) : ଲିଡ୍‌ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବାର ଚାପ ଆଗରେ ଏସବୁ ସ୍ମରଣୀୟ ସଫଳତା ଫିକା ପଡ଼ିଯାଇଛି। ସ୍କୋର୍ ବୋର୍ଡରେ ବଡ଼ ରନ୍ ସହ ପାଗ, ପରିବେଶ ଓ ପିଚ୍ ସବୁକିଛି ବୋଲିଂ ପାଇଁ ଅନୁକୂଳ ଥିଲେ ମଧ୍ୟ ଇଂଲଣ୍ଡ ଦ୍ବିତୀୟ ପାଳିର ୧୦ ୱିକେଟ୍ ଝାଡ଼ିବାରେ ଅସମର୍ଥ ହୋଇ ଭାରତ ଏଠାରେ ୫ ୱିକେଟ୍‌ରେ ପରାଜିତ ହୋଇଛି। ୫ ଶତକ ପରେ ବି ମ୍ୟାଚ୍ ହାରିବାରେ ୧୪୮ ବର୍ଷର ଟେଷ୍ଟ୍ ଇତିହାସରେ ପ୍ରଥମ ଦଳ ହୋଇଛି ଟିମ୍ ଇଣ୍ଡିଆ।

ପାଳି ଗଢ଼ିବା ଏବଂ ଦଳୀୟ ଆବଶ୍ୟକତା ଅନୁସାରେ ଖେଳିବାର ଅପୂର୍ବ ଏକାଗ୍ରତା ପାଇଁ ଏକଦା ସବୁଦୃଷ୍ଟିରୁ ପଛୁଆ ଥିବା ଇଂଲଣ୍ଡର ଉତ୍କଣ୍ଠାପୂର୍ଣ୍ଣ ବିଜୟକୁ ନାଟକୀୟ ଭାବେ ଅଟକାଇ ପାରିନି ଗିଲ୍ ବାହିନୀ। ଯାହା ପ୍ରଶଂସକଙ୍କୁ ନିରାଶ ଏବଂ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ସେହିଭଳି ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ସହ ଅଧିନାୟକତ୍ବର ପ୍ରଥମ ପାଳିରେ ଶତକ ହାସଲ କରିବାର ବିରଳ ରେକର୍ଡ କରିଥିବା ଯୁବ ଅଧିନାୟକ ଶୁବମନ୍ ଗିଲ୍ ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ପାଞ୍ଚ ଟିକିଆ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ହାରି ୦-୧ରେ ପଛୁଆ ହୋଇଛି। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାରେ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଆକ୍ରମଣକୁ ଅସ୍ତ୍ର କରି ଅସାଧ୍ୟକୁ ସାଧ୍ୟ କରିଥିବା ଇଂଲଣ୍ଡ କଠିନ ପରିସ୍ଥିତିରେ ୩୭୧ ରନ୍‌ର ଲକ୍ଷ୍ୟକୁ ହାସଲ କରି ନୂଆ ଉଦାହରଣ ସୃଷ୍ଟି କରିଛି। ଭାରତ ବିପକ୍ଷରେ ଦ୍ବିତୀୟ ସର୍ବବୃହତ୍ ପଶ୍ଚାତ୍‌ଧାବନ ହାସଲ କରିଛି ଇଂଲଣ୍ଡ।

ଭାରତ ଏକ କଷ୍ଟକର ଲକ୍ଷ୍ୟ ଦେବା ପରେ ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୨୧ ରନ୍ କରିଥିଲା ଇଂଲଣ୍ଡ। ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳକୁ ଆଉ ୩୫୦ ରନ୍‌ର ଦରକାର ଥିଲା। ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୧୮୮ ରନ୍ ଯୋଡ଼ିବା ପରେ ହିଁ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା। ବିଶେଷ କରି ଡକେଟ୍‌ଙ୍କ ୧୪୯ ରନ୍‌ର ଅବିଶ୍ବସନୀୟ ପାଳି ଦୁଇ ଦଳ ମଧ୍ୟରେ ଫରକ ହୋଇଥିଲା। ଏକାଧିକ ଥର ବର୍ଷା ବ୍ୟାଘାତ ସତ୍ତ୍ବେ ବୁମ୍‌ରା ୱିକେଟ୍ ଶୂନ୍ୟ ରହିବା ଭାରତକୁ ସବୁଠୁ ବେଶି ବାଧିଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମେ କ୍ରଲି ଓ ପରେ ଓଲି ପୋପ୍‌ଙ୍କୁ ଶସ୍ତାରେ ଆଉଟ୍ କରିଥିଲେ ମଧ୍ୟ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିନର ଅଧିକାଂଶ ସମୟ ନିଷ୍ପ୍ରଭ ଥିବା ଶାର୍ଦୁଳ ଠାକୁର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ଏବଂ ରବୀନ୍ଦ୍ର ଜାଡ଼େଜା ପ୍ରତିପକ୍ଷ ଅଧିନାୟକ ‌ଷ୍ଟୋକ୍ସଙ୍କୁ ଆଉଟ୍ କରି କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନିର୍ଭରଯୋଗ୍ୟ ଜୋ ରୁଟ୍ ବରଫ ଭଳି ଶାନ୍ତ ଓ ସ୍ଥିର ରହି ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳକୁ ଶେଷରେ ‌ରୋମାଞ୍ଚକ ବିଜୟ ଉପହାର ଦେଇଥିଲେ। ଭାରତ ପ୍ରଥମ ପାଳିରେ ଶେଷ ୭ ୱିକେଟ୍‌ ୪୧ ରନ୍‌ରେ ଏବଂ ଦ୍ବିତୀୟ ପାଳିରେ ଶେଷ ୬ ୱିକେଟ୍ ୩୧ ରନ୍‌ରେ ହରାଇବା ଶେଷରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି: ୪୭୧। ଇଂଲଣ୍ଡ ପ୍ରଥମ ପାଳି: ୪୬୫ (ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯, ଯଶପ୍ରୀତ୍ ବୁମ୍‌ରା ୫/୮୩, ପ୍ରସିଦ୍ଧ କ୍ରିଷ୍ଣା ୩/୧୨୮, ମହମ୍ମଦ ସିରାଜ ୨/୧୨୨)। ଭାରତ ଦ୍ବିତୀୟ ପାଳି: ୩୬୪ (କେଏଲ୍ ରାହୁଲ-୧୩୭, ଋଷଭ ପନ୍ତ୍‌-୧୧୮, ଜୋସ୍ ଟଙ୍ଗ୍‌-୩/୭୨, ବ୍ରାଇଡନ୍ କାର୍ସ ୩/୮୦)। ଇଂଲଣ୍ଡ ଦ୍ବିତୀୟ ପାଳି: ୮୨ ଓଭରରେ ୩୭୩/୫ (ବେନ୍ ଡକେଟ୍‌-୧୪୯, ଜ୍ୟାକ୍ କ୍ରଲି-୬୫, ଜୋ ରୁଟ୍‌-୫୩*, ବେନ୍ ‌ଷ୍ଟୋକ୍ସ-୩୩, ଜାମି ସ୍ମିଥ୍‌-୪୪*, ଶାର୍ଦୁଳ ଠାକୁର-୨/୫୧, ପ୍ରସିଦ୍ଧ କୃଷ୍ଣା-୨/୯୨, ରବୀନ୍ଦ୍ର ଜାଡ଼େଜା-୧/୧୦୪)।

ଜୟସ୍ବାଲଙ୍କ ଅଲୋଡ଼ା ରେକର୍ଡ, ଗମ୍ଭୀର ଖପ୍ପା
ଗୋଟିଏ ନୁହେଁ କି ଦୁଇଟି ନୁହେଁ। ଚାରି ଚାରିଟି କ୍ୟାଚ୍‌ ଛାଡ଼ି ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଏକ ଅଲୋଡ଼ା ରେକର୍ଡ କରିଛନ୍ତି। ଭାରତୀୟ ବୋଲର ୱିକେଟ୍ ପାଇଁ ସଂଘର୍ଷ କରୁଥିବା‌ ବେଳେ ଜୟସ୍ବାଲଙ୍କ ଘିଅମରା ପାପୁଲି ପାଇଁ ସେ ଘୋର ନିନ୍ଦିତ ହୋଇଛନ୍ତି। ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବି ଜୟସ୍ବାଲଙ୍କ ଉପରେ ଖପ୍ପା ହୋଇଛନ୍ତି। ମଙ୍ଗଳବାର ମହମ୍ମଦ ସିରାଜ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିବା ବେଳେ ବେନ୍ ଡକେଟ୍‌ଙ୍କ କ୍ୟାଚ୍‌ ଛାଡ଼ି ଦେଇଥିଲେ। ସିରାଜଙ୍କ ବଲରେ ଡକେଟ୍‌ଙ୍କ ସଟ୍‌ ମିସଟାଇମ୍ ହୋଇ ଟପ୍ ଏଜ୍ ନେଇଥିଲା। ଜୟସ୍ବାଲ ଦୌଡ଼ିଯାଇ ଡାଇଭ୍ ମାରି ଦୁଇ ହାତରେ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଲ୍‌କୁ କାବୁ କରିପାରି ନଥିଲେ। ଜଣେ ଭାରତୀୟ ଫିଲ୍ଡର ଭାବେ ୪ଟି କ୍ୟାଚ୍‌ ଛାଡ଼ିବା ଏକ ଆଲୋଡ଼ା ରେକର୍ଡ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *