TOP STORIESରାଜ୍ୟ

ଶରଧାବାଲି ଅଭିମୁଖେ ଗଡ଼ିଲା ତିନି ରଥ

ଶରଧାବାଲି ଅଭିମୁଖେ ଗଡ଼ିଲା ତିନି ରଥ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା

ପୁରୀ୨୭-୦୬-୨୦୨୫(ଏସ .ଏମ ) : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ରଥଯାତ୍ରାର ଆକର୍ଷଣୀୟ ଦୃଶ୍ୟ ‘ରଥ’ ଗଡ଼ିଛି।

ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଦେବଙ୍କର ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଛି। ଏଥି ପାଇଁ ବଡ଼ଦାଣ୍ଡ ଭକ୍ତିମୟ ହୋଇଛି। ତାଳଧ୍ବଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଉଛନ୍ତି। ଏହା ପରେ ସୁଭଦ୍ର ଓ ଜଗନ୍ନାଥ ପର୍ଯ୍ୟାୟ କ୍ରମେ ଶରଧାବାଲି ଅଭିମୁଖେ ବାହାରିବେ।

ଶ୍ରୀଜିଉଙ୍କ ୯ ଦିନିଆ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି।
ଶ୍ରୀ ମନ୍ଦିରର ନୀତିକାନ୍ତି ପରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ।

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା।

ପ୍ରାୟ ୧୦ଟାରେ ପ୍ରଭୁ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ ଅପରାହ୍‌ଣ ପ୍ରାୟ ୩ଟାରେ ଶ୍ରୀଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା। ରଥ ଉପରେ ଆବଶ୍ୟକ ନୀତି ଶେଷ ହେଲା ‌ପ‌ରେ ରଥ ଟଣା ଯାଇଛି। ଭକ୍ତଙ୍କ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ପାଇଁ ସିସିଟିଭି କ୍ୟ‌ମେରା ସମେତ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *