ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହାଫିଜ ସୟିଦ ଓ ମସୁଦ ଅଝାରକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି

ହାଫିଜ ସୟିଦ ଓ ମସୁଦ ଅଝାରକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି

ପିପୁଲ୍‌ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଛନ୍ତି ଯେ ଯଦି ନୂଆଦିଲ୍ଲୀ ବିଶ୍ବାସ ସୃଷ୍ଟିକାରୀ ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରସ୍ତୁତ ହୁଏ ତେବେ ଆମେ ଭାରତର ତଦନ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟର୍ପଣ କରିବାକୁ ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ/ଭୁବନେଶ୍ୱର୦୬-୦୭-୨୦୨୫( ଏସ .ଏମ ) : ଭାରତର ଦୁଇ ମୋଷ୍ଟ୍‌ ୱାଣ୍ଟେଡ ପାକ୍‌ ଆତଙ୍କବାଦୀ ହାଫିଜ ସୟିଦ ଓ ମସୁଦ ଅଝାରକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍‌ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଛନ୍ତି ଯେ ଯଦି ନୂଆଦିଲ୍ଲୀ ବିଶ୍ବାସ ସୃଷ୍ଟିକାରୀ ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରସ୍ତୁତ ହୁଏ ତେବେ ଆମେ ଭାରତର ତଦନ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟର୍ପଣ କରିବାକୁ ପ୍ରସ୍ତୁତ ଅଛୁ। ବିଲାଵାଲ ଶୁକ୍ରବାର ଅଲ୍ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି। ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ଏବଂ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ସମ୍ଭାବ୍ୟ ବୁଝାମଣା ଓ ବିଶ୍ବାସ ସୃଷ୍ଟିକାରୀ ପ୍ରୟାସ ଦୃଷ୍ଟିରୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଲାଵାଲ ଏହି ମନ୍ତବ୍ୟ ଦେଇଛନ୍ତି।ବିଲାଵଲ କହିଛନ୍ତି, ପାକିସ୍ତାନ ସହ ଭାରତର ବିସ୍ତୃତ ଆଲୋଚନାର ଏକ ଅଂଶ ଭାବରେ ଏଭଳି ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ ପଛଘୁଞ୍ଚା ଦେବନାହିଁ। ଜାତୀୟ ଆତଙ୍କବାଦ ନିରୋଧୀ ପ୍ରାଧିକରଣ(ନାକ୍ଟା) ଅନୁଯାୟୀ, ଉଭୟ ଲସ୍କର ଓ ଜୈସ-ଏ-ମହମ୍ମଦକୁ ପାକିସ୍ତାନ ନିଷିଦ୍ଧ କରିଥିବା ବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ୩୩ ବର୍ଷ ଜେଲ୍ ଦଣ୍ଡ ଭୋଗୁଛି। ସେହିପରି ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଆଝାରକୁ ମଧ୍ୟ ନାକ୍ଟା ନିଷିଦ୍ଧ କରିଛି। ବିଲାଵଲ କହିଛନ୍ତି ଯେ ଏହି ବ୍ୟକ୍ତିବିଶେଷଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତାହା ପାକିସ୍ତାନ ସହିତ ଜଡ଼ିତ, ଯେପରିକି ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ। ତେବେ ଭାରତ ଏ ବାବଦ ତଦନ୍ତ ସର୍ତ୍ତ ପୂରଣ କରୁନଥିବାରୁ ସୀମାପାର ଆତଙ୍କବାଦ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ବୋଲି ସେ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପାଇଁ ଆବଶ୍ୟକ କେତେକ ଦସ୍ତାବିଜ ଭାରତ ପ୍ରଦାନ କରିପାରିନାହିଁ ବୋଲି ବିଲାୱଲ କହିଛନ୍ତି।ଅନ୍ୟପକ୍ଷରେ ହାଫିଜ ଓ ମସୁଦର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପଚରାଯିବାରୁ ବିଲାଵଲ କହିଛନ୍ତି ଯେ ହାଫିଜ ଏବେ ଜେଲରେ ଥିବା ବେଳେ ଇସଲାମାବାଦ ବିଶ୍ୱାସ କରୁଛି ଯେ ମସୁଦ ଆଫଗାନିସ୍ତାନରେ ରହିଛି। ମସୁଦକୁ ନେଇ ବିଲାୱଲଙ୍କ ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ମସୁଦ ପାକିସ୍ତାନରେ ହିଁ ଅଛି ଏବଂ ତାକୁ ପୁଲିସ ଓ ସେନାର ସୁରକ୍ଷା ଦିଆଯାଉଥିବା ବେଳେ ବିଲାୱଲଙ୍କ ବୟାନକୁ ନେଇ ଅନେକ ବିସ୍ମୟ ପ୍ରକଟ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *