ସୀମାନ୍ତରେ ବନ୍ଧା ପଡ଼ିଛି ଓଡ଼ିଆ ଭାଷା
ସୀମାନ୍ତରେ ବନ୍ଧା ପଡ଼ିଛି ଓଡ଼ିଆ ଭାଷା
ଓଡ଼ିଶାରେ ଜନ୍ମ, ଓଡ଼ିଶାରେ ଘର। ଆବାସ, ଭତ୍ତା, ରାସନ, ରାସ୍ତା, ପାଣି… ସବୁକିଛି ଓଡ଼ିଶା ସରକାରରୁ ପାଉଛନ୍ତି। ହେଲେ ନା ଓଡ଼ିଆ କହିପାରୁଛନ୍ତି, ନା ଲେଖିପାରୁଛନ୍ତି। ଘର ସିନା ଓଡ଼ିଶାରେ ଭାଷା କିନ୍ତୁ ତେଲୁଗୁ
ଗଞ୍ଜାମ/ଭୁବନେଶ୍ୱର୧୩-୦୭-୨୦୨୫(ଏସ .ଏମ ) : ଓଡ଼ିଶାରେ ଜନ୍ମ, ଓଡ଼ିଶାରେ ଘର। ଆବାସ, ଭତ୍ତା, ରାସନ, ରାସ୍ତା, ପାଣି… ସବୁକିଛି ଓଡ଼ିଶା ସରକାରରୁ ପାଉଛନ୍ତି। ହେଲେ ନା ଓଡ଼ିଆ କହିପାରୁଛନ୍ତି, ନା ଲେଖିପାରୁଛନ୍ତି। ଘର ସିନା ଓଡ଼ିଶାରେ ଭାଷା କିନ୍ତୁ ତେଲୁଗୁ। ଆନ୍ଧ୍ର ସୀମାନ୍ତ ଗଞ୍ଜାମଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର, ଏ ହେଉଛି ଗୁଡ଼ିପଦର ଓ ବଳରାମପୁର ଗାଁକୁ ନେଇ ଗୁଡ଼ିପଦର ପଞ୍ଚାୟତ ଗଠିତ। ଏହି ଗାଁରେ ୧୦ ପ୍ରତିଶତରୁ କମ୍ ଓଡ଼ିଆ ଭାଷାଭାଷୀ ରହୁଛନ୍ତି। ବ୍ଲକ୍ ଅଧ୍ୟକ୍ଷା ୱାଇ. ସଞ୍ଜୁକ୍ତାଙ୍କ ନିଜ ଗାଁ ହେଉଛି ଗୁଡ଼ିପଦର। ବଳରାମପୁରରେ ଥିବା ପ୍ରାଥମିକ ବିଦ୍ୟାଳୟ ବି ପିଲା ଅଭାବ ଦେଖାଇ ଓଡ଼ିଶା ସରକାର ବନ୍ଦ କରିଦେଲେ। ଫଳରେ ଏହି ଦୁଇ ଗାଁର ଶହ ଶହ ପିଲା ଆନ୍ଧ୍ରର ବିଭିନ୍ନ ସ୍କୁଲ୍ରେ ନାଁ ଲେଖାଇଛନ୍ତି। ସେମାନେ ସେଠାରେ କେବଳ ତେଲୁଗୁ ଭାଷାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଚାରିପଟେ ଆନ୍ଧ୍ର ଜମି, ମଝିରେ ଓଡ଼ିଶାର ଗୁଡ଼ିପଦର ପଞ୍ଚାୟତ। ଇଚ୍ଛାପୁର ଓ ସୋମପେଟ୍ଟା ମଝିରେ ଏହି ପଞ୍ଚାୟତ ରହିଛି। ପ୍ରାୟ ୧୫ଟି ସାହିରେ ୩ହଜାରରୁ ଅଧିକ ଲୋକ ରହୁଛନ୍ତି। ପୂର୍ବରୁ ଗୁଡ଼ିପଦର ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଯାଏଁ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ପାଠ ପଢ଼ା ହେଉଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ତେଲୁଗୁ ବହି ଦେଲେନି। ତେଣୁ ପିଲାମାନେ ସ୍କୁଲ୍ ଆସିବା କମାଇ ଦେଲେ। ଶିକ୍ଷକ ଶିକ୍ଷୟିତ୍ରୀ ବି ଆଉ ସ୍କୁଲ୍ ଆସିଲେନି।
ଓଡ଼ିଆ କହି ପାରୁନାହାନ୍ତି କି ଲେଖି ପାରୁନାହାନ୍ତି
ତେଲୁଗୁ ଭାଷାଭାଷୀ ଗାଁରେ ୧୦ ପ୍ରତିଶତ ଓଡ଼ିଆ
ଓଡ଼ିଶା ବନ୍ଦ କରିଦେଲା ସ୍କୁଲ୍, ଆନ୍ଧ୍ରମୁହାଁ ଛାତ୍ରଛାତ୍ରୀ
ଏ ବିଦ୍ୟାଳୟରେ ତାଲା ଝୁଲିଲା। ବଳରାମପୁର ପ୍ରାଥମିକ ବିଦ୍ୟାଳୟକୁ ବି ୩ବର୍ଷ ତଳେ ବନ୍ଦ କରି ଦିଆଗଲା। ଏସବୁ ଗାଁର ପିଲାମାନେ ଗାଁକୁ ଆସୁଥିବା ସ୍କୁଲ୍ ବସ୍ରେ ଆନ୍ଧ୍ରପ୍ରଦେଶ ଯାଉଛନ୍ତି ପାଠ ପଢ଼ିବାକୁ। ଶ୍ରୀକାକୁଲମ୍ ଜିଲ୍ଲାର ବଳରାମପୁରମ୍କୁ ବଳରାମପୁର ପିଲା ଓ ଖଜୁରିଆ ସ୍କୁଲ୍କୁ ଗୁଡ଼ିପଦର ପିଲା ଯାଉଥିବା ଜଣାପଡ଼ିଛି। ଭାତହାଣ୍ଡିରୁ ଏ ଦୁଇ ସ୍କୁଲ୍ ଗୋଟିଏ ଗୋଟିଏ। ବାସ୍ତବରେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାର ୪୦ରୁ ଅଧିକ ସ୍କୁଲ୍ ବନ୍ଦ ହୋଇଗଲାଣି। ସରକାରୀ ଅବହେଳାରୁ ପିଲାମାନେ ଓଡ଼ିଆ ସ୍କୁଲ୍ ଆସୁନାହାନ୍ତି। ହେଲେ ଅଧିକାରୀମାନେ ନିଜ ଦୋଷ ଘୋଡ଼ାଇ ଉପସ୍ଥାନ କହି ସ୍କୁଲ୍ରେ ତାଲା ପକାଉଛନ୍ତି। ଗୋଟିଏ ପରେ ଗୋଟିଏ ଗାଁର ପିଲାମାନେ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଥିବାରୁ ଆନ୍ଧ୍ର ସରକାର ଅନଧିକୃତ ଭାବେ ପଶିବା ଆରମ୍ଭ କରିସାରିଛନ୍ତି। ଓଡ଼ିଆ ପିଲା ଓଡ଼ିଆ ଲେଖି, କହି, ପଢ଼ି ପାରୁନାହାନ୍ତି। ଅଧିକାଂଶ ବୁଢ଼ାବୁଢ଼ୀ ବି ଜାଣିନାହାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ। ଏମିତି ସ୍ଥିତିରେ ରାଜ୍ୟ ସରକାର ଯଦି ସୀମାନ୍ତକୁ ନଜର ନ ଦେବେ, ତେବେ ଓଡ଼ିଶାର ଗାଁ କିଛି ଦିନ ପରେ ପଡ଼ିଶା ଆନ୍ଧ୍ର ପକେଟରେ ପଶିବା ଥୟ।
