LatestNewsPoliticsTOP STORIESଅପରାଧଦୁର୍ନୀତିଦେଶ- ବିଦେଶବିଶେଷ ସ୍ତମ୍ବରାଜନୀତିରାଜ୍ୟ

ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଜମି ମାପଚୁପରୁ ଉତ୍ତେଜନା

ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଜମି ମାପଚୁପରୁ ଉତ୍ତେଜନା

  • ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ଆମାରିଙ୍ଗ ଗ୍ରାମରେ ଆନ୍ଧ୍ର ପ୍ରଶାସନର ପୁଣି ଦାଦାଗିରି ସାମନାକୁ ଆସିଛି
  • ଦୁଇଦିନ ତ‌ଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ମନ୍ଦୁସା ମଣ୍ଡଳର ଅଧିକାରୀମାନେ….

ପାରଳାଖେମୁଣ୍ଡି,୧୭-୦୭-୨୦୨୫(ଏସ.ଏମ .) : ନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ଆମାରିଙ୍ଗ ଗ୍ରାମରେ ଆନ୍ଧ୍ର ପ୍ରଶାସନର ପୁଣି ଦାଦାଗିରି ସାମନାକୁ ଆସିଛି। ଦୁଇଦିନ ତ‌ଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା ମନ୍ଦୁସା ମଣ୍ଡଳର ଅଧିକାରୀମାନେ ଏହି ଗ୍ରାମକୁ ଆସି ଗାଁ ଖାଲି କରିବାକୁ ତାଗିଦ୍‌ କରିଥିଲେ। ଘର ଓ କୋଠାବାଡ଼ି ଭାଙ୍ଗିବାକୁ ଧମକ ଦେବା ସହ ଆନ୍ଧ୍ରରେ ମିଶିବାକୁ କହିଥିଲେ। ଏହାସହ ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇଥିଲେ। ଫଳରେ ଗତକାଲି ରାୟଗଡ଼ ଉପଜିଲ୍ଲାପାଳ ଅନୁପ ପଣ୍ଡା, ରାୟଗଡ଼ ବ୍ଲକ୍ ଅଧିକାରୀ ଓ ରାଜସ୍ବ ବିଭାଗର ଅଧିକାରୀମାନେ ପୁଲିସ ଫୋର୍ସ ସହ ମ୍ୟାପ୍‌ ନେଇ ମାପଚୁପ କରିବା ସହ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ତେବେ ଆଜି ପୁଣିଥରେ ଆନ୍ଧ୍ରର ଏକ ଟିମ୍‌ ଓଡ଼ିଶା ପ୍ରଶାସନର ଅଜାଣତରେ ଉକ୍ତ ଅଞ୍ଚଳରେ ପହଞ୍ଚି ମାପଚୁପ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହା ଜାଣିବା ପରେ ଜିଲ୍ଲାପାଳ ବିଜୟ କୁମାର ଦାଶ ଓ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ତୁରନ୍ତ ସେମାନଙ୍କୁ ପଟ୍ଟା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଗଜପତି ଜିଲ୍ଲାପାଳ, ଏସ୍‌ପି ପହଞ୍ଚି ଗ୍ରାମବାସୀଙ୍କୁ ଅଭୟବାଣୀ ଦେଲେ
ଗାଁ ଓଡ଼ିଶାର, ଶ୍ରୀକାକୁଲମ୍‌ ଜିଲ୍ଲାପାଳଙ୍କୁ ଚିଠି

ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି, ସୀମାକୁ ନେଇ ଓଡ଼ିଶା ପକ୍ଷରୁ କୌଣସି ବିବାଦ ନାହିଁ। ଏହି ଅଞ୍ଚଳରେ ଓଡ଼ିଶା ସରକାରଙ୍କ ତତ୍ତ୍ବାବଧାନରେ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଗ୍ରାମ ଓଡ଼ିଶା ସୀମା ଭିତରେ ହିଁ ରହିଛି। ଏନେଇ ଉପଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିଛନ୍ତି। ଯଦି କିଛି ଆପତ୍ତି ଥାଏ, ତା’ହେଲେ ଅବଗତ କରିବାକୁ ଶ୍ରୀକାକୁଲମ୍‌ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଆପତ୍ତି, ଅଭିଯୋଗ ଜଣାଇଲେ ମିଳିତ ଭାବେ ସୀମା ଚିହ୍ନଟ କରାଯିବ। ଯଦି ଆନ୍ଧ୍ର ପ୍ରଶାସନ କୌଣସି ଖିଲାପ କରନ୍ତି, ତା’ହେଲେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏସ୍‌ଡିପିଓ ମାଧବାନନ୍ଦ ନାୟକ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକାଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ରାଜସ୍ୱ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଅଣଦେଖା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା କିଛି ବୁଦ୍ଧିଜୀବୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *