ଚିନ୍ତା ବଢ଼ାଇଲା ସ୍କ୍ରବ୍ ଟାଇଫସ୍
ଚିନ୍ତା ବଢ଼ାଇଲା ସ୍କ୍ରବ୍ ଟାଇଫସ୍…
ସୁନ୍ଦରଗଡ଼ରେ ୨ ମୃତ, ୧୫୬୪ ସଂକ୍ରମିତ
- ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି।
- ଜିଲ୍ଲାର ବଡ଼ଗାଁ ଓ ରାଉରକେଲା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୧୦ ମାସ ମଧ୍ୟରେ ୧୫୬୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।
ସୁନ୍ଦରଗଡ଼୨୫-୧୦-୨୦୨୫(ଏସ.ଏମ ) : (ସମରେନ୍ଦ୍ର ରାଉତ ) ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାର ବଡ଼ଗାଁ ଓ ରାଉରକେଲା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୧୦ ମାସ ମଧ୍ୟରେ ୧୫୬୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଜାନୁଆରିରୁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଉରକେଲା ସହରାଞ୍ଚଳରେ ସର୍ବାଧିକ ୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁଣ୍ଡିଆରେ ସର୍ବନିମ୍ନ ୧୦ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ଲକ୍ଷଣ ଥିବା ଜଣାପଡ଼ିଛି। ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିହ୍ନଟ ହୋଇଥିବା ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀଙ୍କ ସଂଖ୍ୟା ୮୪ ଓ ଅନ୍ୟ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ର ୫୭ ଜଣ ରୋଗୀ ଅଛନ୍ତି।
ଜାନୁଆରିରେ ୩୨ ଜଣ ଚିହ୍ନଟ ହୋଇଥିବାବେଳେ ଫେବ୍ରୁଆରିରେ ୨୦, ମାର୍ଚ୍ଚରେ ୨୫, ଏପ୍ରିଲରେ ୨୩, ମେ’ରେ ୨୮, ଜୁନ୍ରେ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁଲାଇବେଳକୁ ଏହା ହଠାତ୍ ବୃଦ୍ଧି ପାଇ ୧୭୨ରେ ପହଞ୍ଚିଥିଲା। ଅଗଷ୍ଟରେ ସର୍ବାଧିକ ୫୫୮ ଜଣ ରୋଗୀଙ୍କ ଦେହରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଥିଲା। ସେପ୍ଟେମ୍ବରରେ ୩୮୩ ଓ ଅକ୍ଟୋବରରେ ଏହା ୨୮୫ ରହିଛି। ମୂଷାଦେହରେ ଥିବା ଏକ ଜୀବାଣୁରୁ ଏହି ରୋଗ ମଣିଷ ଦେହକୁ ସଂକ୍ରମିତ ହେଉଥିବା ସ୍ବାସ୍ଥ୍ୟବିଭାଗ ପ୍ରକାଶ କରିଛି। ତେବେ ଏହାକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ଓ ଏବେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି।

