Bhubaneswar Baliyatra
ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ
ବରିମୁଣ୍ଡ ନିକଟ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହୋଇଛି। ସକାଳୁ କୁଆଖାଇରେ ବୋଇତ ବନ୍ଦାଣ ମାଧ୍ୟମରେ ମହୋତ୍ସବର ଶୁଭାରମ୍ଭ ହୋଇଥିବା
ବାରଙ୍ଗ/ଭୁବନେଶ୍ୱର ୦୬-୧୧-୨୦୨୫(ଏସ.ଏମ ) : ବରିମୁଣ୍ଡ ନିକଟ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହୋଇଛି। ସକାଳୁ କୁଆଖାଇରେ ବୋଇତ ବନ୍ଦାଣ ମାଧ୍ୟମରେ ମହୋତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଲିଯାତ୍ରାର ଆକର୍ଷଣ ସାଜିଥିଲା। ବୋଇତ ବନ୍ଦାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଭୁବନେଶ୍ବର ମେୟର ସୁଲୋଚନା ଦାସ, ଶ୍ରୀମୟି ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ବବିତା ରାଉତ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୂପମା ସାହୁ, ବରିମୁଣ୍ଡ ସରପଞ୍ଚ ସୁପ୍ରିୟା ମଲ୍ଲିକ, ସମିତି ସଭ୍ୟା ସସ୍ମିତା ବରାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଖୋର୍ଦ୍ଧା ଉପ ଜିଲ୍ଲାପାଳ ମନୋରଞ୍ଜନ ସାହୁ, ଗୀତିକାର ପଞ୍ଚାନନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କମିଟିର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନିର୍ମଳ ରାଉତ, ସନ୍ତୋଷ ନାଥ ଓ ଲଛମନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କଣ୍ଠଶିଳ୍ପୀ ଦୀପ୍ତିମୟୀ ଦାସ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ପାଲଟିଥିଲେ। ଲାଗିଲା ମତେ ସିଏ ଏତେ ନିଜର…, ଦେଖୁ ଦେଖୁ ମତେ ସିଏ ଦେଲା ଟିକେ ହସି…, ଦବୁ ଚିର ନିଦ୍ରା ମୁଁ ଶୋଇ ପଡିବି… ପରି ଗୀତ ପରିବେଷଣ କରି ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ପ୍ରଥମ ଦିନରୁ ହିଁ ମହୋତ୍ସବକୁ ସାଧବ ବୋହୂ ବେଶରେ ସଜେଇ ଦିଆଯାଇଛି। ରଙ୍ଗିନ ଆଲୋକରେ ଝଟକୁଛି ସମ୍ପୂର୍ଣ୍ଣ ବାଲିଯାତ୍ରା ପଡ଼ିଆ। ଫାଷ୍ଟଫୁଡ୍, ଗୁପଚୁପ, ଚାଟ୍, ମଥୁରା କେକ୍, ଖେଳଣା, ମନୋହରି, ସୌଖିନ୍ ଓ ଘରକରଣା ସାମଗ୍ରୀ ଷ୍ଟଲଠାରୁ ଆରମ୍ଭ କରି ପିଲାଙ୍କ ଦୋଳି ଦର୍ଶକଙ୍କୁ ବାଲିଯାତ୍ରାକୁ ଟାଣୁଛି।
