ଆମସଂସ୍କୃତିବିଶେଷ ସ୍ତମ୍ବରାଜ୍ୟ

ଜାଗରରେ ଉତ୍ସବମୁଖର ଏକାମ୍ର କ୍ଷେତ୍ର: ସତ୍ୟମ୍‌ ଶିବମ୍‌ ସୁନ୍ଦରଂ…

ଜାଗରରେ ଉତ୍ସବମୁଖର ଏକାମ୍ର କ୍ଷେତ୍ର: ସତ୍ୟମ୍‌ ଶିବମ୍‌ ସୁନ୍ଦରଂ…

ପବିତ୍ର ମହାଶିବରାତ୍ରି ତଥା ହର ହର ମହାଦେବଙ୍କ ଜାଗରଯାତ୍ରା ପାଇଁ ଆଜି ରାଜଧାନୀର କୋଣାନୁକୋଣରେ ଶିବସ୍ତୁତି ଶୁଣିବାକୁ ମିଳିଥିଲ। ପୂରା ସହର ଆଜି ଶିବମୟ ହୋଇପଡ଼ିଥିଲା। ଭାରତର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ….

ଭୁବନେଶ୍ୱର ୧୬-୦୨-୨୦୨୬(ଏସ .ଏମ ) : (ବିଜୟ କୁମାର ପଣ୍ଡା ) ବିତ୍ର ମହାଶିବରାତ୍ରି ତଥା ହର ହର ମହାଦେବଙ୍କ ଜାଗରଯାତ୍ରା ପାଇଁ ଆଜି ରାଜଧାନୀର କୋଣାନୁକୋଣରେ ଶିବସ୍ତୁତି ଶୁଣିବାକୁ ମିଳିଥିଲ। ପୂରା ସହର ଆଜି ଶିବମୟ ହୋଇପଡ଼ିଥିଲା। ଭାରତର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରଠୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିରରେ ଦିନତମାମ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିରହିଥିଲା। ସମସ୍ତଙ୍କ ହାତରେ ଶ୍ରୀଫଳ, କଦଳୀ ଆଦି ଫଳ ସହିତ ବେଲପତ୍ର, ଶିବଙ୍କ ପ୍ରିୟ ଫୁଲ କେତକୀ ଓ ପଦ୍ମ ଭର୍ତ୍ତି ଫୁଲ ଚାଙ୍ଗୁଡ଼ି। ମନ୍ଦିର ବେଢ଼ାରେ ଖେଳିଯାଉଥିଲା ଜଳୁଥିବା ଘିଅ ଦୀପର ମହକ। ସମସ୍ତଙ୍କ ମୁହଁରେ ଥିଲା ଶିବସ୍ତୁତି। କିଏ ପଞ୍ଚାକ୍ଷରୀ ମନ୍ତ୍ର ‘ଓଁ ନମଃ ଶିବାୟ’ କହୁଥିଲା ତ ଆଉ କେହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଗୁଣୁଗୁଣାଉ ଥିଲା। ମନ୍ତ୍ର ଜାଣିନଥିବା ଶ୍ରଦ୍ଧାଳୁଟି ହର ହର ମହାଦେବ, ଜୟ ଶିବଶମ୍ଭୁ, ଜୟ ଭୋଳାଶଙ୍କର ଭଳି ସାଧାରଣ ମନ୍ତ୍ର ଡାକି ମନ୍ଦିରକୁ ପ୍ରବେଶ କରୁଥିଲା। ସନ୍ଧ୍ୟାର ଦୃଶ୍ୟ ଥିଲା ଅତୀବ ମନୋରମ। ମନ୍ଦିର ବେଢ଼ାରେ ଦୀପ ଜାଳି ବସିରହିଥିଲେ ଜାଗର ବ୍ରତଧାରୀମାନେ। ମହାଦୀପ ଦର୍ଶନ ପାଇଁ ସମସ୍ତଙ୍କ ମନରେ ଥିଲା ବଡ଼ ବ୍ୟାକୁଳତା। ଦଧିନଉତିକୁ ମହାଦୀପ ଉଠିବା ବେଳେ ଉପରକୁ ହାତ ଟେକି ଶିବଙ୍କ ଜୟ ଜୟକାର କରୁଥିବା ଭକ୍ତଙ୍କ ଆଖିରୁ ଝରିପଡ଼ୁଥିଲା ଭକ୍ତିର ଲୋତକଧାର…

 ମହାଶିବରାତ୍ରି ପାଇଁ ଆଜି ଏକାମ୍ର କ୍ଷେତ୍ର ଉତ୍ସବମୁଖର ହୋଇଉଠିଥିଲା। ପୁରୁଣା ଭୁବନେଶ୍ବରର ସମସ୍ତ ଶିବ ମନ୍ଦିର ପଞ୍ଚାକ୍ଷରରେ ଗୁଞ୍ଜରିତ ହେଉଥିଲା। ଜାଗର ବ୍ରତଧାରୀ ହୁଅନ୍ତୁ କି ନାହିଁ, ସମସ୍ତଙ୍କ ମୁହଁରେ ଥିଲା ଶିବ ବନ୍ଦନା। ପ୍ରତ୍ୟୁଷରୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥିଲା। ରାତି ୩ଟାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ଓ ବାହାର ଲୋକାରଣ୍ୟ ହୋଇଥିଲା।  ଦିନ ତମାମ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ଶିବ ଦର୍ଶନ କରିଥିଲେ। ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ବେଢ଼ାରେ ପ୍ରବଳ ଗହଳି ଥିଲା। ଏଥର ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ଶନିବାର ରାତି ପ୍ରାୟ ୧ଟାରୁ ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ଠିଆ ହୋଇଥିଲେ। ଭୋର ୩ଟା ବେଳକୁ ଭକ୍ତମାନେ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲେ। ପ୍ରଶାସନ ପକ୍ଷରୁ ନିର୍ମିତ ବାରିକେଡ୍‌ ମଧ୍ୟରେ ରହି ଭକ୍ତମାନେ ଧାଡ଼ି ଲଗାଇବା ଆରମ୍ଭ କରିଥିଲେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର୍‌ ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ହେବା ବେଳକୁ ନୂଆ ଲିଙ୍ଗରାଜ ମାର୍କେଟ୍‌ ଆଡ଼କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଧାଡ଼ି ଲମ୍ୱିଯାଇଥିଲା। ଆଜି ଦିନରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ବେଳେ ମଧ୍ୟ ଦର୍ଶନ ଚାଲୁ ରହିଥିଲା। ପହୁଡ଼ ନୀତିକାନ୍ତି ବେଳେ(ମଧ୍ୟାହ୍ନ)ରେ ସାମାନ୍ୟ ଗହଳି କମିଥିଲା। ଅପରାହ୍ଣରେ ସାହାଣମେଲା ଖୋଲିବା ପରେ ହଜାରହଜାର ଶ୍ରଦ୍ଧାଳୁ ପୁଣି ଧାଡ଼ିବାନ୍ଧି ଆଡ଼କାଠରୁ ଦର୍ଶନ କରିଥିଲେ। ସେହିଭଳି ସୂର୍ଯ୍ୟାସ୍ତ ପରେପରେ ସନ୍ଧ୍ୟା ହେଉ ନ ହେଉଣୁ, ମନ୍ଦିର ବେଢ଼ାରେ ଲକ୍ଷଲକ୍ଷ ଦୀପ ଜଳିଥିଲା। ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମହାଦୀପ ଦର୍ଶନ କରିବାକୁ ଜାଗା ଖୋଜିଖୋଜି ଠିଆ ହୋଇଯାଇଥିଲେ। ମେଘନାଦ ପାଚେରି, ସିଂହଦ୍ବାର ସମ୍ମୁଖ ଖାଲି ସ୍ଥାନ, ଦେବୀପାଦହରା ପୁଷ୍କରିଣୀ ପାଖ, ଶୁକଶାରୀ ମନ୍ଦିର ପରିସର, ନୂଆ ଲିଙ୍ଗରାଜ ମାର୍କେଟ୍‌, ଲିଙ୍ଗରାଜ ହାଟ ଓ ଅନ୍ୟାନ୍ୟ  ବ୍ୟବସାୟ ପ୍ରତିଷ୍ଠାନ ଛାତରେ ଶ୍ରଦ୍ଧାଳୁମାନଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। 

ଭକ୍ତିରସରେ ଭିଜେଇଲେ, ଝୁମେଇଲେ କଣ୍ଠଶିଳ୍ପୀ…

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ମହାଦୀପ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ବେଳେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଆୟୋଜିତ ଭଜନ ସମାରୋହ ‌ସେମାନଙ୍କ ବ୍ୟାକୁଳତାକୁ ବହୁ ମାତ୍ରାରେ ପ୍ରଶମିତ କରିଥିଲା। ବଲିଉଡ୍‌ କଣ୍ଠଶିଳ୍ପୀମାନେ ଶ୍ରଦ୍ଧାଳୁମାନଙ୍କୁ ଯେତିକି ଝୁମାଇଥିଲେ, ଓଡ଼ିଆ କଣ୍ଠଶିଳ୍ପୀମାନେ ସେତିକି ସେମାନଙ୍କୁ ଭକ୍ତିରସରେ ଭିଜେଇଦେଇଥିଲେ। ନୀତିନ ମୁକେଶ, ବର୍ଦ୍ଧନ ସିଂ, ଖୁଶ୍‌ବୁ ତିୱାରୀ ଭଜନ ଗାଇ ମହାଦୀପ ଦର୍ଶନାର୍ଥୀଙ୍କୁ ବିମୋହିତ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଶ୍ରୀଚରଣ, ଶୈଳଭାମା, ଦୀପ୍ତିରେଖା ପାଢ଼ୀ ଓ କୁମାର ବାପି ପ୍ରମୁଖ ୩୦ କଣ୍ଠଶିଳ୍ପୀ ଦର୍ଶକଙ୍କୁ ବିଭୋର କରିଥିଲେ। ନୀତିନ ମୁକେଶଙ୍କ ଦୁନିଆ ବନାନେ ବାଲେ…, ପ୍ରେମ କୀ ଗଙ୍ଗା ବହାତେ ଚଲୋ…, ବର୍ଦ୍ଧନ ସିଂଙ୍କ ହେ ଡମ୍ବରୁ ବାଲେ…, ଖୁଶ୍‌ବୁ ତିୱାରୀଙ୍କ ହେ ଚକାନୟନ… ଆଦି ଗୀତ ଦର୍ଶକଙ୍କ ଜାଗର ବ୍ରତର ଉପବାସ କଷ୍ଟକୁ ଭୁଲାଇ ଦେଇଥିଲା।

ଲିଙ୍ଗରାଜଙ୍କ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଏହି ୩୭ତମ ଭଜନ ସମାରୋହରେ ମିତୁସ୍‌ ବର୍ଦ୍ଧନ, ଶଶିକାନ୍ତ ପୌଡ଼ୱାଲ୍‌, କୋଲକାତାର ତାନି, ମୁନି ଓ ପାର୍ଥ ପ୍ରତିମ ଶାହା, ଛତିଶଗଡ଼ର ତାନିସ ବର୍ମା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଆଜି ଭୋର୍‌ ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ କରାଯିବା ସହ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 

ଅନୁଷ୍ଠାନର ସଭାପତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଧର୍ମିଣୀ, ବାଚସ୍ପତି ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା ସମୀର ମହାନ୍ତି, ବିଧାୟକ ବାବୁ ସିଂ,  କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଚନ୍ଦ୍ରଶେଖର ମଲିଆ, ରଶ୍ମି ମହାପାତ୍ର, ମଦନମୋହନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସାଧାରଣ ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଙ୍ଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଏକାମ୍ରଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ୍‌, ତପନ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଉଠିଲା ମହାଦୀପ, କମ୍ପିଲା ପରିବେଶ  …
ରାତି ୮ଟା ୩୫ରେ ସମର୍ଥା ସେବାୟତମାନେ ଲିଙ୍ଗରାଜ ମନ୍ଦିର ଉପରକୁ ମହାଦୀପ ଉଠାଇଥିଲେ। ମନ୍ଦିର ଭିତରୁ ବେଢ଼ାକୁ ମହାଦୀପ ଆସୁଆସୁ ଶ୍ରଦ୍ଧାଳୁମାନେ ହରିବୋଲ, ହୁଳହୁଳି ଶବ୍ଦରେ ଗଗନପବନ ପ୍ରକମ୍ପିତ କରିଦେଇଥିଲେ। ଓଁ ନମଃ ଶିବାୟ ଓ ହରହର ମହାଦବେ ଶବ୍ଦ ଜୁଆର ଭଳି ଉଛୁଳି ଉଠିଥିଲା। ସେହିଭଳି ମହାଦୀପ ମନ୍ଦିର ଉପରକୁ ଉଠୁଥିବା ବେଳେ ମନ୍ଦିର ବାହାରୁ ଶିବଙ୍କ ଜୟଜୟକାର ପୂରା ପରିବେଶକୁ ପ୍ରକମ୍ପିତ କରିପକାଇଥିଲା।
ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ିଗଲା
ଆଜି ପୁଲିସର ଟ୍ରାଫିକ୍‌ ନିୟନ୍ତ୍ରଣ ପୂରା ଫେଲ୍‌ ମାରିଥିଲା। ସ୍ଥାନୀୟ ଲୋକଙ୍କ ଗାଡ଼ିକୁ ଅଟକା ଯାଉଥିଲା। ଅଥଚ ମାଳମାଳ ଭିଆଇପି ଗାଡ଼ି ଓ ପୁଲିସ ଗାଡ଼ି ବଢ଼େଇବାଙ୍କ ଛକ ର୍ପଯ୍ୟନ୍ତ ଆସୁଥିଲା। ସେଥିରେ ବହୁ ଦର୍ଶନାର୍ଥୀ ଥିଲେ। ଡାକବଙ୍ଗଳା ଛକ ନିକଟରେ ଚାରିଚକିଆ ବନ୍ଦ କରା ନଯିବାରୁ ବହୁ ବଡ଼ ଗାଡ଼ି ମନ୍ଦିର ଆଡ଼କୁ ଆସିଥିଲା। 
ଅକ୍ଳାନ୍ତ ପରିଶ୍ରମ କଲେ ସ୍ବେଚ୍ଛାସେବୀ…
ଆଜି ଦିନ ଓ ରାତି ସାରା ସ୍ବେଚ୍ଛାସେବୀମାନେ ଅକ୍ଳାନ୍ତ ପରିଶ୍ରମ କରି ସେବା ଯୋଗାଇଥିଲେ। ସେମାନେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇବା ସହ ମନ୍ଦିରରୁ ଅଳିଆ ଆବର୍ଜନା ଉଠାଇ ବେଢ଼ା ଓ ଅନ୍ୟାନ୍ୟ ଅଞ୍ଚଳକୁ ସଫା ରଖିଥିଲେ। ପ୍ରଦୀପ ସେବା ଟ୍ରଷ୍ଟ, ଲ୍ୟାରୋ ଫାଉଣ୍ଡେସନ୍‌, ମିସିଂ ଫାଉଣ୍ଡେସନ୍‌, ରେଡ୍‌କ୍ରସ, ସେବା ପ୍ରତିନିଧି, ଏନ୍‌ସିସି, ସେଣ୍ଟ୍‍ଜୋନ୍‌ ଆମ୍ବୁଲାନ୍‌ସ, ପୁରୁଣା ଭୁବନେଶ୍ବର ପତଞ୍ଜଳି ଯୋଗ କେନ୍ଦ୍ର, ଲିଓରା ଫାଉଣ୍ଡେସନ୍‌ ଆଦି ସଂଗଠନର ଶତାଧିକ ସ୍ବେଚ୍ଛାସେବୀ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଲାଗିପଡ଼ିଥିଲେ।
ରୋମିଓକୁ ଛେଚିଲେ ସେବକ…
ମହିଳା ଶ୍ରଦ୍ଧାଳୁଙ୍କୁ ଅସଦାଚରଣ କରୁଥିବା ଜଣେ ରୋମିଓକୁ ସେବାୟତମାନେ ପାନେ ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଯୁବକଜଣକ ବ୍ୟାରିକେଡ୍‌ ପାଖରେ ମହିଳା ଶ୍ରଦ୍ଧାଳୁମାନଙ୍କୁ ଜାଣିଶୁଣି ଅଶାଳୀନ ଭାବେ ଛୁଉଁଥିଲା। ଏହା ଦେଖିପାରି କିଛି ସେବାୟତ ତାକୁ ବେଢ଼ାରୁ ଟାଣିଆଣି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ସିଭିଲ୍‌ ଡିଫେନ୍ସ କର୍ମଚାରୀମାନେ ଯୁବକଙ୍କୁ ମନ୍ଦିର ବାହାରକୁ ନେଇଯାଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70