ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ
ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ
ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନେ୍ଦାଳନ କରାଯାଇଥିଲା।
ଭୁବନେଶ୍ୱର ୧୧-୦୩-୨୦୨୬(ଏସ .ଏମ ) : ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନେ୍ଦାଳନ କରାଯାଇଥିଲା। ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ, ମହିଳା, ଯୁବ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ, ଲଗାତାର ଦରବୃଦ୍ଧି ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷୟ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ। ବିଜେପି ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ବିରୋଧରେ ସ୍ଲୋଗାନ୍ ଦେଇ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତିବାଦ କରିଥିଲା ବିଜୁ ଜନତା ଦଳ। ଗତ ମାର୍ଚ୍ଚ ୭ ତାରିଖରୁ ସାରା ଦେଶରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜି୍ୟକ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି। ଏହି ଦରବୃଦ୍ଧି ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ବାଣିଜି୍ୟକ ସଂସ୍ଥାମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଇଛି।
ସଭାକୁ ସମ୍ୱୋଧନ କରି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନା ନାମରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମାତ୍ର ୫,୦୦୦ ଟଙ୍କା ଦେଇ ଠକିଛି ବିଜେପି ସରକାର। ମହିଳାମାନଙ୍କ ଆର୍ଥିକ ସୁରକ୍ଷାକୁ ମଜବୁତ କରିବା ପରିବର୍ତ୍ତେ ସରକାର ଦରବୃଦ୍ଧି ମାଧ୍ୟମରେ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଏହି ଅବସରରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଆଗରୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ସତ୍ତ୍ୱେ, ସେହି ଲାଭ ସାଧାରଣ ଲୋକଙ୍କୁ ଦିଆଯାଇ ନଥିଲା। ଡବଲ୍ ଇଞ୍ଜିନ ସରକାର ତେଲ କମ୍ପାନୀମାନଙ୍କ ସ୍ୱାର୍ଥରେ କାମ କରୁଛି ଓ ସରକାର ତେଲ ବ୍ୟବସାୟକୁ ସଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଲକ୍ଷାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାରୁ କମନ୍ ମେସ୍ର ଖର୍ଚ୍ଚ ବଢ଼ିବ ଏବଂ ମାସିକ ଖର୍ଚ୍ଚର ଭାର ବଢ଼ିଯିବ। ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବେଶୀ ପ୍ରଭାବିତ ହେବେ। ଏଲପିଜି ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନେ୍ଦାଳନ କରାଯିବ।
