ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି, ବିଜେପିର ମିଶିବା ଚର୍ଚ୍ଚା
ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି, ବିଜେପିର ମିଶିବା ଚର୍ଚ୍ଚା
ଗତ କିଛି ଦିନ ଧରି ମୁକ୍ତି ଓ ମଞ୍ଜୁ ବିଜେପିର ନିକଟତର ହେଉଥିଲେ, ଏଣୁ ବିଜେଡିରେ ତାଙ୍କୁ କଣଠେସା କରାଯାଇଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଆଗ ଭଳି ଡକାଯାଉନଥିଲା। ମଣ୍ଡଳ ଦମ୍ପତିଙ୍କ ବିଜେପିର ନିକଟତର ହେବାକୁ ବିଜେପିର ସ୍ଥାନୀୟ ଏକ ଗୋଷ୍ଠୀ ତୀବ୍ର ବିରୋଧ ମଧ୍ୟ କରୁଛନ୍ତି।
ଭଦ୍ରକ ୦୬-୦୪-୨୦୨୬ (ଏସ.ଏମ ) : ଭଦ୍ରକରେ ବିଜେଡି ନେତା ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଆଜି ବିଜେଡି ଦଳରୁ ନିଲମ୍ବିତ କରାଯାଇଛି। ଦଳର ରାଜ୍ୟ ଉପ ସଭାପତି ପ୍ରତାପ ଜେନା ଆଜି ତାଙ୍କୁ ନିଲମ୍ବିତ କରିଛନ୍ତି। ବିଜେଡିଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମଣ୍ଡଳ ଦମ୍ପତି ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ମୁକ୍ତି ଓ ମଞ୍ଜୁଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପଛରେ ଅନେକ କଥା ଏବେ ଚର୍ଚ୍ଚା ହେଉଛି। ଗତ କିଛି ଦିନ ଧରି ମୁକ୍ତି ଓ ମଞ୍ଜୁ ବିଜେପିର ନିକଟତର ହେଉଥିଲେ, ଏଣୁ ବିଜେଡିରେ ତାଙ୍କୁ କଣଠେସା କରାଯାଇଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଆଗ ଭଳି ଡକାଯାଉନଥିଲା। ମଣ୍ଡଳ ଦମ୍ପତିଙ୍କ ବିଜେପିର ନିକଟତର ହେବାକୁ ବିଜେପିର ସ୍ଥାନୀୟ ଏକ ଗୋଷ୍ଠୀ ତୀବ୍ର ବିରୋଧ ମଧ୍ୟ କରୁଛନ୍ତି। ଏହା ସତ୍ବେ ଯେତେବେଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପତ୍ର ଲୁଲୁ ଓ ଜୁଲୁଙ୍କ ସମେତ ଭଦ୍ରକ ଜିଲ୍ଲାର ୪ ବ୍ଲକ୍ ଅଧ୍ୟକ୍ଷା ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଲେ ସେତେବେଳେ ମୁକ୍ତି ଓ ମଞ୍ଜୁ ମଧ୍ୟ ବିଜେପିର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେମାନେ ଯୋଗ ଦେଇନଥିଲେ। ପରବର୍ତ୍ତୀ ସମୟରେ, ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ଯୋଗଦେବା ସମୟେରେ ମଣ୍ଡଳ ଦମ୍ପତି ବିଜେପିରେ ମିଶିବେ ବୋଲି ଆଲୋଚନା ହେଉଥିଲା। ଏହି ଆଲୋଚନାର ମଧ୍ୟ ସାନି ଅବସାନ ଘଟିଥିଲା। ତେବେ ବର୍ତ୍ତମାନ ଏଇ କିଛି ଦିନ ହେଲା ମୁକ୍ତି ଓ ମଞ୍ଜୁ ଭଦ୍ରକ ଓ ଭୁବନେଶ୍ବର ଛାଡ଼ି ଦିଲ୍ଲୀରେ ଡେରା ପକାଇଛନ୍ତି। ଏବେ ସବୁଠୁ ଜିରା ଡାର ଚର୍ଚା ହେଉଛି ମଣ୍ଡଳ ଦମ୍ପତି ଏଇ ମାସ ସୁଦ୍ଧା ବିଜେପିରେ ଯୋଗଦେଇ ପାରନ୍ତି। ଏମିତି ଚର୍ଚା ଏବେ ମୁକ୍ତି ଙ୍କ ସମର୍ଥକଙ୍କ ଗହଣରେ ଜୋରଦାର ଚର୍ଚ୍ଚା ହେଉଛି। ମୁକ୍ତି ଓ ମଞ୍ଜୁଙ୍କ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକପ୍ରକାର ସବୁଜ ସଂକେତ ଦେଇସାରିଛନ୍ତି। କେନ୍ଦ୍ରୀୟ ବିଜେପି ନେତା ମଧ୍ୟ ସବୁଜ ସଂକେତ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ମାସ ଶେଷ ସୁଦ୍ଧା ମିଶ୍ରଣ ପର୍ବ ହୋଇପାରେ ବୋଲି ମଣ୍ଡଳ ଦମ୍ପତିଙ୍କ ସମର୍ଥକ ଗୋଷ୍ଠୀ କହୁଛନ୍ତି।

