ରାଜଧାନୀରେ ଗୋଷ୍ଠୀ ସଂଘର୍ଷ
ରାଜଧାନୀରେ ଗୋଷ୍ଠୀ ସଂଘର୍ଷ…
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୩ ପ୍ଲାଟୁନ୍ପୁଲିସ ମୁତୟନ ୫ ଯୁବକ ଅଟକ
- ରାତି ଅଧରରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ।
- ଗୋଷ୍ଠୀ ସଂଘର୍ଷରୁ ୩ ଯୁବକ ଜଣେ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ।
- ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା କେଳୁଚରଣ ପାର୍କ ଅଞ୍ଚଳରେ।
ଭୁବନେଶ୍ୱର ୨୪-୦୧-୨୦୨୬(ଏସ.ଏମ ) : ରାତି ଅଧରରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ। ଗୋଷ୍ଠୀ ସଂଘର୍ଷରୁ ୩ ଯୁବକ ଜଣେ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା କେଳୁଚରଣ ପାର୍କ ଅଞ୍ଚଳରେ। ଆକ୍ରମଣ ଯୋଗୁ ସୋନୁ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଖବରପାଇ ଚନ୍ଦ୍ରଶେଖରପୁର ଥାନା ଓ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ସେହିପରି ୫ରୁ ଅଧିକ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ଖରାବେଳେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟଗୋଷ୍ଠୀର ଯୁବକଙ୍କୁ ଗାଳିମନ୍ଦ ସହ ମାର୍ପିଟ୍ କରିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ତେବେ ସନ୍ଧ୍ୟା ସମୟରେ ଗୋଟିଏ ଗୋଷ୍ଠୀର ଯୁବକ କେଳୁଚରଣ ପାର୍କ ନିକଟରେ ଖଟି କରୁଥିବା ସମୟରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ସେଠାକୁ ଆସି ଚକର କାଟିଥିଲେ। ଏହି ସମୟରେ ଖଟି କରୁଥିବା ଯୁବକମାନେ ମାଡ଼ିଆସିଥିଲେ। ବାଇକ୍ରେ ଚକର କାଟୁଥିବା ଯୁବକଙ୍କୁ ମାଡ଼ମାରିବାରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। କିଛି ସମୟ ମଧ୍ୟରେ ସେମାନଙ୍କ ସମର୍ଥକ ଖଣ୍ଡା, ଚାପଡ଼ ଧରି ଖଟିରେ ପହଞ୍ଚିଥିଲେ। ଆଉ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ସୋନୁ ହାବୁଡ଼ରେ ପଡ଼ିଯିବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଠି, କାନ୍ଧ, ହାତକୁ ଚୋଟ ମାରିଚାଲିଥିଲ। ସେମାନଙ୍କ ଉତ୍ପାତ ଦେଖି କେହି ଅଟକାଇବାକୁ ସାହସ ଜୁଟାଇ ନଥିଲେ। ସୋନୁଙ୍କୁ ରକ୍ତାକ୍ତ କରି ସେମାନେ ଚମ୍ପଟ ମାରିଥିଲେ। ଖବରପାଇ ଅନ୍ୟଗୋଷ୍ଠର ୨୦-୩୦ ଯୁବକ ଖଣ୍ଡାରେ ହାଣିଥିବା ଯୁବକଙ୍କୁ ଖୋଜିବା ପାଇଁ ଗାଢ଼କଣ ଅଞ୍ଚଳରେ ଥିବା ଓମ୍ସାଇ ଏନ୍କ୍ଲେଭ ଅପାଟ୍ମେଣ୍ଟକୁ ଆସିଥିଲେ। ସେଠାରେ ଆହୁରି ଉତ୍ତେଜନା ବଢ଼ିଥିଲା। ସ୍ଥିିତି ବିଗିଡ଼ିବା ଖବର ପାଇ ୩ଥାନାର ଆଇଆଇସି, ଜୋନ୍ ଏସିପି ସେଠାରେ ପହଞ୍ଚିଥିଲେ। ଏମିତିକି ୩ ପ୍ଲାଟୁନ୍ ଫୋର୍ସ ମଧ୍ୟ ମଗାଯାଇଥିଲା। ସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ୫ଜଣଙ୍କୁ କାବୁ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।
